ବାହାନଗା ରେଳ ଦୁର୍ଘଟଣା: ଓଡ଼ିଶା ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ ମାଗଣା ଶିକ୍ଷାଦାନ କରିବ କିଟ୍। ଏ ସଂପର୍କରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି, ଏତେ ବଡ଼ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ପରିବାରର ଦୁଃଖ ଆମେ ଲାଘବ କରି ନପାରିଲେ ମଧ୍ୟ ସେମାନଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିପାରିଲେ ନିଜକୁ ଧନ୍ୟ ମନେ କରିବୁ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୩୯ଜଣ ଥିବା ସୂଚନା ମିଳିଛି। ଓଡ଼ିଶାର ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଭିତ୍ତିରେ କିଟ୍ ଓ କିସ୍ରେ ନିଯୁକ୍ତି ପ୍ରଦାନ କରାଯିବ। ଏଥିସହ ରେଳ ଦୁର୍ଘଟଣାରେ ପିତାମାତା ହରାଇଥିବା ବ୍ୟକ୍ତିଙ୍କ ପିଲାମାନେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ କିଟ୍ ଓ କିସ୍ରେ ସେମାନଙ୍କୁ ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେକୌଣସି ଶ୍ରେଣୀରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା କିଟ୍ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ।