ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଶହଶହ ମୃତଦେହ ସଂରକ୍ଷଣ ପାଇଁ ଭୁବନେଶ୍ବର ଆସିଥିବା ବେଳେ ଆହତ ବି ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଫଳରେ ଦୁଇ ଦିନ ଧରି ଭୁବନେଶ୍ବରରେ ଗହଳି ଚହଳି ଲାଗି ରହିଛି। ସମ୍ପର୍କୀୟଙ୍କୁ ମୃତଦେହ ଚିହ୍ନଟ କରାଇବାରେ ସହାୟତା କରିବା ସହ ବିଏମ୍ସି ଅନ୍ୟାନ୍ୟ ସହାୟତା ମଧ୍ୟ ଯୋଗାଇ ଦେଉଛି। ପରିଜନଙ୍କୁ ହରାଇଥିବା ସମ୍ପର୍କୀୟ ଦୁଃଖରେ ଭାଙ୍ଗି ପଡ଼ିଥିବାରୁ ସେମାନଙ୍କୁ ବୁଝାଇବା ପାଇଁ ବିଏମ୍ସି ଆଜି ସ୍ବତନ୍ତ୍ର ଏନ୍ଜିଓଙ୍କୁ କାଉନ୍ସେଲିଂ କାମରେ ଲଗାଇଛି। ବିଏମ୍ସି ଓ ଏମ୍ସପେ ଏମାନେ ସମ୍ପର୍କୀୟଙ୍କୁ କାଉନ୍ସେଲିଂ କରୁଛନ୍ତି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ କାମ କରୁଛି। ଗତକାଲି ୨ଶହରୁ ଅଧିକ କଲ୍ ଆସିଥିବା ବେଳେ ଆଜି ଏହି କଲ୍ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଏ ସମସ୍ତ ବ୍ୟବସ୍ଥାକୁ ଆଜି ଉନ୍ନୟନ କମିସନର ଅନୁ ଗର୍ଗ ବୁଲି ଦେଖିଛନ୍ତି।
ଅନ୍ୟପଟେ ଶିଖରଚଣ୍ଡୀ ବନଫୁଲ ବସ୍ତି ନିକଟରେ ଥିବା ଶ୍ମଶାନକୁ ପ୍ରସ୍ତୁତ କରାଯାଇଛି। ୨୦୨୦ ମସିହାରେ ଏଠାରେ ଗ୍ୟାସ୍ ଚୁଲା ସାହାଯ୍ୟରେ ଶବ ଦାହ ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏହା ବସିବା ବେଳୁ ଖରାପ ହୋଇ ପଡ଼ି ରହିଥିଲା। ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ଏବେ ଭୁବନେଶ୍ବରରେ ଶବ ରହିଥିବାରୁ ଦାହ ପାଇଁ ମଶାଣିର ଆବଶ୍ୟକ ପଡ଼ିପାରେ। ସେଥିପାଇଁ ବିଏମ୍ସି ଏହି ମଶାଣିକୁ ସଚଳ କରିଛି। ଏହାକୁ ପରିଚାଳନା କରିବାକୁ ଠିକା ନେଇଥିବା ସଂସ୍ଥାକୁ ବିଏମ୍ସି ତାଗିଦ୍ କରିବା ପରେ ଏହି ମଶାଣିକୁ ପ୍ରସ୍ତୁତ କରାଯାଇଛି। ଗ୍ୟାସ୍ ଜରିଆରେ ଶବ ଦାହ ହୋଇ ପାରିବ କି ନାହିଁ ତାହାର ପରୀକ୍ଷା କରାଯାଇଛି ଏବଂ ଏହା ପ୍ରସ୍ତୁତ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ବିଏମ୍ସିରେ ସମ୍ପର୍କୀୟଙ୍କୁ କାଉନ୍ସେଲିଂ
ଡିଏନ୍ଏ ଟେଷ୍ଟ ପାଇଁ ହେଲ୍ପଲାଇନ୍
ଉନ୍ନୟନ କମିସନର ବୁଲିଲେ ବିଏମ୍ସି କଣ୍ଟ୍ରୋଲ ରୁମ୍
ଶବ ଖୋଜିବା ପାଇଁ ଆସୁଥିବା ସମ୍ପର୍କୀୟମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କଥା କହିବା ସ୍ଥିତିରେ ରହୁନାହାନ୍ତି। ଫଳରେ ସେମାନଙ୍କ ସହ କଥା ହୋଇ ମୃତକଙ୍କ ସମ୍ପର୍କରେ ପଚାରି ବୁଝିବା ସମ୍ଭବ ହେଉ ନାହିଁ। ଏ ନେଇ ଗତକାଲି ସମସ୍ୟା ହେବାରୁ ଏକ ନିଆରା ପଦକ୍ଷେପ ନିଆଯାଇଛି। ଏନ୍ଜିଓଙ୍କ ଜରିଆରେ ସମ୍ପର୍କୀୟଙ୍କୁ କାଉନ୍ସେଲିଂ କରାଯାଉଛି। ବିଏମ୍ସି ଅଫିସ୍ରେ ରୁଚିକା ସୋସିଆଲ ସର୍ଭିସ୍ ଅର୍ଗାନାଇଜେସନ କାମ ଆରମ୍ଭ କରିଥିବା ବେଳେ ଏମ୍ସରେ ‘ଆଇନା’ କାମ କରୁଛି। ସକାଳ ୮ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ତିନିଟି ସିଫ୍ଟରେ ଏହି କାମ ଚାଲିଛି। ବିଏମ୍ସି ଅଫିସ୍ରେ ଆଜି ୧୩୪ ଜଣଙ୍କୁ କାଉନ୍ସେଲିଂ କରାଯାଇଛି। ବିଏମ୍ସିରେ କାଉନ୍ସେଲିଂ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। କେତେକ ଶିଶୁ ନିଜ ପରିବାରଙ୍କୁ ହରାଇ ସମ୍ପର୍କୀୟଙ୍କ ତତ୍ବାବଧାନରେ ରହୁଛନ୍ତି। ଏମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଅଧିକାଂଶ ଶବର ପରିଚୟ ମିଳିପାରୁନଥିବାରୁ ଡିଏନ୍ଏ ପରୀକ୍ଷା ହେବା ପାଇଁ ଯୋଜନା ହୋଇଛି। ଏଥିପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ଏହି ନମ୍ବର ହେଉଛି ୮୨୮୦୩୪୬୬୨୯। ଏମ୍ସରେ ଏକ ଡିଏନ୍ଏ ଟେଷ୍ଟିଂ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ଯେଉଁମାନେ ରକ୍ତ ଦେଇ ନମୂନା ମେଳ କରିବାକୁ ଚାହୁଛନ୍ତି ସେମାନେ ଏହି ନମ୍ବରରେ ଯୋଗାଯୋଗ କରିବା ପାଇଁ ବିଏମ୍ସି ପକ୍ଷରୁ କୁହାଯାଇଛି।