ପୁରୁଣା ଭୁବନେଶ୍ବର: ସବୁ ସୁନ୍ଦର ଜିନିଷର ସମାହାର ହେଉଛି ସଭ୍ୟତା। ତେଣୁ ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟଂଜନ ପଟ୍ଟନାୟକ। ଦଶହରା ପଡିଆରେ 'କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ'(କାପୋକ) ଆନୁକୁଲ୍ୟରେ ଆୟୋଜିତ 'ଶିଶୁପାଳଗଡ ମହୋତ୍ସବର ତୃତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଆମର କୋଣାର୍କ ଭଳି ସୁନ୍ଦର ମନ୍ଦିର, ଓଡ଼ିଶା ଭଳି ସୁନ୍ଦର ପ୍ରଦେଶ, ଓଡ଼ିଆ ଭଳି ସୁନ୍ଦର ଭାଷା, ବାର ମାସରେ ତେର ପର୍ବ ଆମର ସୁନ୍ଦର ସଂସ୍କାର ଓ ପରମ୍ପରା ରହିଛି। ଏସବୁକୁ ସୁରକ୍ଷା ପାଇଁ ଆମେ ସମସ୍ତେ ପ୍ରାୟସ କରିବା ବୋଲି ସେ କହିଥିଲେ। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆମ ମାଟି ମହାନ। ଏହି ମାଟିରେ ବ୍ରିଟିସ ସରକାର ହାର ମାନିଥିଲା। ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଲେ, ବର୍ତ୍ତମାନର ଆଇନାରେ ଅତତୀର ପ୍ରତିବିମ୍ବ ହିଁ ଶିଶପାଳଗଡ଼। ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ସଂପାଦକ ଚିତ୍ତରଞ୍ଜନ ମହାନ୍ତି, ସହ ସଂପାଦକ ରବିନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା। ସଭ୍ୟ ସୁବାସ କୁମାର ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଟପାଡ୍‌ କଳା ବିକାଶ କେନ୍ଦ୍ରର କଳାକାର ମାନେ 'ଢେମ୍‌ସା ନୃତ୍ୟ' ପରିବେଷଣ କରିଥିଲେ । ପରେ ସାଇ କଳା ସଂସଦ ଦ୍ୱାରା ଓଡିଶୀ ନୃତ୍ୟ 'ଦୁର୍ଗାବତାର' ଏବଂ କୋଲକାତାର ରାହୁଲ ଦେବ ମଣ୍ଡଳଙ୍କ ନୃତ୍ୟ ସଂଯୋଜନାରେ ଭାରତ ନାଟ୍ୟମ ନୃତ୍ୟ, ଆରୢାନ୍‌ ଡ୍ୟାନସ୍ ଗୃପ ଦ୍ୱାରା 'ବାହୁବଳୀ' ନୃତ୍ୟ ଚିତାକର୍ଷକ ହୋଇଥିଲା। କଲରସ୍ ଟିଭି ପ୍ରତିଯୋଗୀ ଜ୍ୟୋତି ରଞ୍ଜନ ସାହୁଙ୍କ ନୃତ୍ୟ, ଗିରିଶ ଡ୍ୟାନ୍ସ ଅଫ ପରଫରମିଂର କଳାକାରମାନଙ୍କ ଦ୍ୱାରା 'ଜୟ ହୋ ..' ନୃତ୍ୟ, ମୁମ୍ବାଇର ପ୍ରଖ୍ୟାତ କଣ୍ଠଶିଳ୍ପୀ ସିଦ୍ଧାର୍ଥ ସ୍ଲାଠିଆଙ୍କ କଣ୍ଠ ରେ ଗୁଲାବି ଆଖେଁ ....., କଭି ଜୋ ବାଦଲ..., ଧିରେ ଧିରେ ସେ ..., ଦିଲ ତୋ ବଚ୍ଚା ହେ ଜି..., ଦିଲବର ମେରେ..., ପେହେଲା ନଶା..ଆଦି ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଇଂ ଶ୍ରୀନିବାସ ଘଟୁଆରୀ ଓ ମୁନମୁନ୍ ସିଂ ସଂଯୋଜନା କରିଥିଲେ। ଅମିତ ପାଇକରାୟ, ଶିବବ୍ରତ, ସନ୍ତୋଷ, ନାଲୁ, ବିଜୟ ସାମନ୍ତରାୟ, ଭକ୍ତ ଭୂଷଣ ବାରିକ, ସବ୍ୟସାଚୀ, ସମରଜିତ, ପ୍ରତୀକ ପରିଚାଳନାରେ ସହଯୋଗ କରିଥିଲେ।