ବାହୁଡ଼ିଲେ ମହାପ୍ରଭୁ

ବର୍ଷା ଅଟକିଲା, ରଥ ଗଡ଼ିଲା  

ଭୁବନେଶ୍ୱର: ସରିଛି ପ୍ରଭୁଙ୍କ ନବ ଦିନାତ୍ମକ ମାନବୀୟ ଲୀଳା। ମାଉସୀ ଘର ବୁଲା ସାରି ବାହୁଡ଼ାରେ ବାହୁଡ଼ିଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା। ଗତକାଲି ଲଗାଣ ବର୍ଷାର ତାଣ୍ଡବ ଦେଖି ଆଜି ବାହୁଡ଼ା ଧୋଇଯିବ ବୋଲି ଆଶଙ୍କା ଜନ୍ମିଥିଲା। କିନ୍ତୁ ଭକ୍ତି ଓ ଆବେଗ ଆଗରେ ବର୍ଷା ହାର୍‌ ମାନିଥିଲା। ଆକାଶରେ ମେଘ ଘୋଟି ଆସିଥିଲା। ହେଲେ ବର୍ଷିନଥିଲା। ଭକ୍ତି ଓ ଭାବର ଶକ୍ତି ପାଣିପାଗର ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଥିଲା। ମେଘୁଆ ଆକାଶ ତଳେ ଆଧ୍ୟାତ୍ମିକତାର ଗୁଞ୍ଜରଣରେ ଭିଜିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଖୋଳ ଓ ଝାଞ୍ଜ ତାଳରେ ହରେକୃଷ୍ଣ ହରେରାମ..ସାଙ୍ଗକୁ ହରିବୋଲ ହୁଳହୁଳିରେ ଉଚ୍ଛୁଳିଥିଲା ସହର। ଖାଲି ସେତିକି ନୁହେଁ, ଆଜି ସନ୍ଧ୍ୟା ସ୍ପର୍ଶ କରିବା ପୂର୍ବରୁ ସମସ୍ତ ରଥ ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା। ବାହୁଡ଼ା ଯାତ୍ରା ସିନା ସୁରୁଖୁରୁରେ ସମ୍ପାଦନ ହୋଇଥିଲା। ମାତ୍ର ମାଉସୀ ଘରଠୁ ରଥରେ ପ୍ରଭୁ ବାହୁଡ଼ିଯିବା ପରେ ସେହି ସ୍ଥାନ ଶ୍ରୀହୀନ ହୋଇଯାଉଥିଲା। ଯେମିତି କେହି ଜଣେ ଅତି ଆପଣାର ମଣିଷଟିଏ ଲେଉଟି ଯାଉଥିଲା…

ବର୍ଷା ଅଟକିଲା, ରଥ ଗଡ଼ିଲା  

ବର୍ଷାରେ ଇସ୍କନ୍‌ ସମ୍ମୁଖରେ ଉଚ୍ଛୁଳା ପାଣି ସହରବାସୀଙ୍କ ଆଖିରେ ଯେପରି ଚିତ୍ର ଆଙ୍କିଛି ତାହା କାହାକୁ ମାଲୁମ୍‌ ନାହିଁ। ତେଣୁ ଆଜି ବର୍ଷାରେ ରଥ ଯଥା ସମୟରେ ଇସ୍କନ୍‌ ସମ୍ମୁଖରେ ଲାଗିପାରିବ ନା ନାହିଁ ସମସ୍ତେ ସନ୍ଦିହାନ ଥିଲେ। କିନ୍ତୁ ସବୁକିଛି ସୁରୁଖୁରୁରେ ସମ୍ପାଦିତ ହୋଇଥିଲା। ସାଢ଼େ ୧୨ଟାରେ ପହଣ୍ଡି ହୋଇଥିବା ବେଳେ ସାଢ଼େ ୨ଟାରେ ଛେରା ପହଁରା ହୋଇଥିଲା। ସାଢ଼େ ୩ଟାରେ ରଥ ଟଣା ହେବା ପରେ ସନ୍ଧ୍ୟା ୬ଟା ୨୮ରେ ରଥ ଇସ୍କନ୍‌ ସମ୍ମୁଖରେ ପହଞ୍ଚି ସାରିଥିଲା। ତେଣୁ ବାହୁଡ଼ା ଦିଅଁଙ୍କୁ ଦର୍ଶନ ପାଇଁ ଓଭରବ୍ରିଜ୍‌ ଉପରେ ଶହଶହ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ। ଜାତୀୟ ରାଜପଥର ଏକ ପାର୍ଶ୍ୱର ଅର୍ଧାଧିକ ଅଂଶ ଗାଡ଼ି ଓ ଭକ୍ତଙ୍କ ଦ୍ୱାରା ଅଧିକୃତ ହୋଇଯାଇଥିଲା। ‘କିସ୍‌’ ଶ୍ରୀବାଣୀ କ୍ଷେତ୍ରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛେରା ପହଁରା କରିଥିବା ବେଳେ ଅପରାହ୍ନ ସାଢ଼େ ୪ଟାରେ ରଥଟଣା ହୋଇ ନିର୍ଧାରିତ ସମୟ ପୂର୍ବରୁ ଶ୍ରୀମନ୍ଦିରରେ ରଥ ପହଞ୍ଚିଥିଲା। ମହାପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ସେହିପରି ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର, ପଟିଆ ଜଗନ୍ନାଥ ମନ୍ଦିର, କୋଳଥିଆ ଜଗନ୍ନାଥ ମନ୍ଦିର, ବରମୁଣ୍ଡା ଜଗନ୍ନାଥ ମନ୍ଦିର, ଆର୍‌ସିଏମ୍‌ ସମେତ ସହରର ସମସ୍ତ ସ୍ଥାନରେ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସମ୍ପାଦିତ ହୋଇଛି।

ଆଜି ରାଜାଧିରାଜ ବେଶ

ରସିକିଆ ପ୍ରଭୁ ଆଜି ସୁନା ଅଳଙ୍କାରରେ ସଜେଇ ହେବେ। ସୁନାବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ପ୍ରଭୁ ବର୍ଷକୁ ୫ଥର ସୁନାବେଶ ହେଉଥିଲେ ହେଁ ୪ଥର ମନ୍ଦିର ମଧ୍ୟରେ ସୁନାବେଶ ହୁଅନ୍ତି। ମାତ୍ର ବାହୁଡ଼ା ଏକାଦଶୀରେ ପ୍ରଭୁ ମନ୍ଦିର ବାହାରେ ଲୋକଙ୍କ ସମ୍ମୁଖରେ ସୁନା ଅଳଙ୍କାରରେ ସଜେଇ ହେଉଥିବାରୁ ଏହା ବିଶେଷ ମହତ୍ତ୍ୱ ରଖେ। ପ୍ରଭୁଙ୍କ ଏହି ବେଶକୁ ରାଜାଧିରାଜ ବେଶ ତଥା ରାଜ ରାଜେଶ୍ୱର ବେଶ ମଧ୍ୟ କୁହାଯାଏ।  ସହରର ବିଭିନ୍ନ  ସ୍ଥାନରେ ପ୍ରଭୁଙ୍କ ସୁନାବେଶ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ିବ।

ରଥ ଆଗରେ ସାନ୍ତାଳୀ ନୃତ୍ୟ

ଆର୍‌ସିଏମ୍‌ ରଥଯାତ୍ରାରେ ପାରମ୍ପରିକ ଘଣ୍ଟ, ମର୍ଦ୍ଦଳ, ତାସା, ଢୋଲ ଓ ତାମକ୍‌ ଶବ୍ଦରେ ସ୍ଥାନୀୟ ଆଦିବାସୀମାନେ ସାନ୍ତାଳୀ ନୃତ୍ୟ କରି ରଥ ଆଗରେ ଚାଲିଥିଲେ। ସେହିପରି ଜାଗମରା ଧର୍ମବିହାର ରଥ ସମ୍ମୁଖରେ ମୁଖା ନୃତ୍ୟ, ଚଢ଼େୟା ଚଢ଼େୟାଣୀ ନୃତ୍ୟ, ପୁରୀର ଆଖଡ଼ା ନୃତ୍ୟ, ଘଣ୍ଟ ନୃତ୍ୟ ଆଦି ଆକର୍ଷଣ ସାଜିଥିଲା।

ସୁଦର୍ଶନ ଦେବ ପୀଠରେ ରଥ ଦଉଡ଼ି ୩ଥର ଛିଡ଼ିଲା

ଗଡ଼ କଣ୍ଟୁଣିଆ ସୁଦର୍ଶନ ଦେବଙ୍କ ପୀଠରେ ବାହୁଡ଼ାଯାତ୍ରାରେ ବିଭ୍ରାଟ ଦେଖାଦେଇଥିଲା। ଅପରାହ୍ନ ୩ଟା ୪୫ରେ ରଥିଜେମା ସ୍ଥିତ ମା’ ଭଗବତୀ ମନ୍ଦିରରୁ ରଥଟଣା ହୋଇଥିଲା। କିନ୍ତୁ କିଛିଦୂର ରଥ ଗଡ଼ିବା ପରେ ଲଗାତାର ୩ ଥର ରଥ ଦଉଡ଼ି ଛିଡ଼ିଯାଇଥିଲା। ଏହାକୁ ସଜାଡ଼ିବା ପରେ ରଥଟଣା ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର