ଆଜି ବର୍ଷା ସତ୍ତ୍ୱେ ରାଜଧାନୀରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ବେଶ୍‌ ଜମିଥିଲା। ଖରା ଓ ଗରମ ନଥିବାରୁ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିଲା। ଲୋକେ ମଝିରେ ମଝିରେ ହେଉଥିବା ବର୍ଷାକୁ ଖାତିର ନକରି କେବଳ ରଥ ଟାଣି ନଥି‌ଲେ, ତା’କୁ ମନଭରି ଉପଭୋଗ ମଧ୍ୟ କରିଥିଲେ।

Advertisment

ଜାଗମରା ଧର୍ମବିହାର
ଜାଗମରା ଧର୍ମବିହାରରେ ବାହୁଡ଼ା ନୀତି ଅନୁସାରେ ମହାଉତ୍ସାହରେ ପାଳିତ ହୋଇଛି। ଆଜି ଗଣ୍ଡମୁଣ୍ଡାସ୍ଥିତ ମାଉସୀ ମା’ ମନ୍ଦିର ତଥା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ସକାଳୁ ଗହଳଚହଳ ଲାଗିଥିଲା। ସକାଳ ନୀତି ପରେ ପରେ ପୂର୍ବାହ୍ନ ଅପରାହ୍ନ ସାଢେ ୩ଟାରେ ତିନି ଠାକୁରଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା। ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ଅପରାହ୍ଣ ସାଢ଼େ ୪ଟାରେ ଛେରାପହଁରା କରିଥିଲେ। ତା’ପରେ ସାଢ଼େ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟାରେ ରଥ ଧର୍ମବିହାର ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ହଜାର ହଜାର ଶ୍ରଦ୍ଧାଳୁ ଏତିରେ ଭାଗ ନେଇଥିଲେ। ଖରାପ ପାଗ ଲୋକଙ୍କ ଉତ୍ସାହକୁ କମାଇ ପାରି ନଥିଲା। ଏହି ଅବସରରେ ଭଜନ ସମାରୋହ ଓ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା। ଭୁବନେଶ୍ୱର ସାଉଥ୍‌ ୱେଲ୍‌ଫେୟାର ଆସୋସିଏସନ ଓ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ରଥଯାତ୍ରା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ସୁନ୍ଦରଭାବେ ହୋଇଥିଲା।

ଇସ୍କନ୍‌
ରଥଯାତ୍ରା ଭଳି ଆଜି ଇସ୍କନ୍‌ ମନ୍ଦିରରେ ବାହୁଡ଼ାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତି, ସାଢ଼େ ୭ଟାରେ ଦର୍ଶନ ଆଳତି ହୋଇଥିଲା। ଅପରାହ୍ଣ ସାଢ଼େ ୧୨ଟାରେ ଠାକୁରଙ୍କ ପହଣ୍ଡି ନୀତି ହୋଇଥିଲା। ଅପରାହ୍ଣ ସାଢ଼େ ୨ଟାରେ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ ଛେରାପହଁରା କରିଥିଲେ। ଅପରାହ୍ଣ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନ ମଧ୍ୟରେ ହଜାର ହଜାର ଭକ୍ତଙ୍କ ଗହଣରେ ତିନିରଥ ୟୁନିଟ୍‌ ୮ସ୍ଥିତ ଗୁଣ୍ଡିଚା ମନ୍ଦିରରୁ ବାହାରିଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ତିନିରଥ ଇସ୍କନ୍ ମନ୍ଦିରରେ ପହଞ୍ଚିଥିଲେ। ଏହି ଅବସରରେ ମନ୍ଦିର ପକ୍ଷରୁ ୧୦,୦୦୦ ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ବୁଧବାର ସନ୍ଧ୍ୟା ୭ଟାରେ ସୁନାବେଶ ଅନୁଷ୍ଠିତ ହେବ।

ଓୟୁଏଟି
ଓୟୁଏଟିରେ ମହାସମାରୋହରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଓୟୁଏଟି ସ୍ଥିତ ଝାଡ଼େଶ୍ୱରୀ ମନ୍ଦିରରେ ଦିନ ୨ଟା ବେଳେ ପ୍ରଭୁଙ୍କ ପହଣ୍ଡି କରାଯାଇଥିଲା। ବାୟାବାବା ମଠର ମହନ୍ତ ସ୍ୱାମୀ ହରିଶଚନ୍ଦ୍ର ଛେରାପହଁରା କରିଥିଲେ। ରଥଟଣା ସାଢ଼େ ୪ଟାରେ ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୬ଟାରେ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା।
ପଟିଆ ଶ୍ରୀମନ୍ଦିର
ଆଜି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରା ବାହୁଡ଼ାରେ ବଟିଆଗଡ଼ସ୍ଥ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି କରାଯାଇ ଠାକୁରମାନଙ୍କୁ ରଥରେ ବିରାଜମାନ କରାଯାଇଥିଲା। ପଟିଆ ଗଡ଼ ରାଜା ଦିବ୍ୟସଂହ ଦେବ ଅପରାହ୍ନରେ ଛେରାପହଁରା କାର୍ଯ୍ୟ ସଂପାଦନ କରିଥିଲେ। ଅପରାହ୍ନ ୪ଟାରେ ଭକ୍ତମାନେ ମହାପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥକୁ ଟାଣିଥିଲେ। ସ୍ଥାନୀୟ ଅଞ୍ଚଳ ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠିଥିଲା।
ବାଣୀକ୍ଷେତ୍ର
ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀକ୍ଷେତ୍ର ବାଣୀବିହାର ପରିସରର ଜଗନ୍ନାଥ ମନ୍ଦିର ଆଜି ବେଶ୍‌ ଚଳଚଞ୍ଚଳ ଥିଲା। ପ୍ରଥମେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ କାଳିଆ ଠାକୁର ରଥକୁ ପହଣ୍ଡି ବିଜେ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ରୀତିନୀତି ଅନୁସାରେ ଛେରା ପହଁରା କରିଥିଲେ। ୪ଟା ବେଳେ ବାହୁଡା ରଥଟଣା ଆରମ୍ଭ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରଫେସର ପ୍ରବୋଧ କୁମାର ହୋତା ଓ ସମ୍ପାଦକ ମନୋଜ କୁମାର ସାଢୁଆଳ ଶାନ୍ତିଶୃଙ୍ଖଳା ସହ ବାହୁଡ଼ା ଯାତ୍ରା ପରିଚାଳନା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଜଗନ୍ନାଥ ପରିଚାଳନା ସମିତି ଓ ବିଶ୍ୱେଶ୍ବର ମନ୍ଦିର ପରିଚାଳନା ସମିତି ସଦସ୍ୟ ଏବଂ କର୍ମକର୍ତ୍ତାଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରାରେ ଯୋଗଦେଇ ଆନନ୍ଦ ଓ ଉଲ୍ଲାସର ସହ ରଥ ଟାଣିଥିଲେ।
ଶ୍ରୀବାଣୀକ୍ଷେତ୍ର
ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ଫେରିଛନ୍ତି। ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟା ୩୦ ମିନିଟ୍‍ରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା। ଅପରାହ୍ନ ୪ଟାରେ ଭକ୍ତମାନେ ମହାପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥକୁ ଟାଣିଥିଲେ। ଶ୍ରୀବାଣୀକ୍ଷେତ୍ରର ରଥଯାତ୍ରାର ଏକ ବିଶେଷତ୍ୱ ହେଉଛି, ଏଠାରେ ମାଆ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି। ତିନି ରଥଙ୍କୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଟଣାଯାଇଥିଲା। ବାହୁଡ଼ା ଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ୩୦,୦୦୦ରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।
ସହିଦନଗର
ବାଣୀବିହାର ସ୍ଥିତ ବିଷ୍ଣୁ ମନ୍ଦିର ପରିସରରେ ସମସ୍ତ ରୀତିନୀତିରେ ବାହୁଡ଼ା ଯାତ୍ରା ସଂପୂର୍ଣ୍ଣ ହୋଇଛି। ସକାଳ ସମସ୍ତ ନୀତିକାନ୍ତି ପରେ ସାଢ଼େ ୩ଟାରେ ମନ୍ଦିର ସଭାପତି ଆଦିତ୍ୟ କୁମାର ମହାନ୍ତି ଛେରାପହଁରା କରିଥିଲେ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ବର୍ଷା ସତ୍ତ୍ୱେ ଠାକୁରଙ୍କର ଦର୍ଶନ କରିବା ପାଇଁ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟାଟରେ ପ୍ରଭୁଙ୍କ ରଥ ବିଷ୍ଣୁ ମନ୍ଦିରରେ ପହଞ୍ଚିଥିଲା।
ତମାଣ୍ଡୋ
ତମାଣ୍ଡୋ ମେଳଣ ପଡ଼ିଆ ସ୍ଥିତ ମାଉସୀମା ମନ୍ଦିରରୁ ସନ୍ଧ୍ୟା ୫ଟା ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ରଥ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ଆଜି ଛେରା ପହଁରା କରିଥିଲେ ଦୟାନିଧି ପଣ୍ଡା। ପରିଚାଳନା କମିଟିର ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମାପନ ହୋଇଥିଲା। ଆସନ୍ତା ବୁଧବାର ସୁନାବେଶ ହେବ।

ଶୈଳଶ୍ରୀକ୍ଷେତ୍ର
ନୀଳାଦ୍ରି ବିହାର ମା’ ମଙ୍ଗଳା ଛକ ନିକଟସ୍ଥ ମାଉସୀ ମା’ ମନ୍ଦିରରେ ୯ ଦିନର ଲୀଳାଖେଳା ଶେଷ କରି ବାହୁଡ଼ିଛନ୍ତି ମହାପ୍ରଭୁ। ଶ୍ରୀଜଗନ୍ନାଥ ଭକ୍ତି ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ନୀତି ଅନୁଯାୟୀ ପ୍ରାତଃ ୫ ଘଟିକା ସମୟରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇଥିଲା। ଏହାପରେ ମଇଲମ, ସୂର୍ଯ୍ୟପୂଜା ଓ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇ ରଥ ମାର୍ଜନା କରାଯାଇଥିଲା। ପୂର୍ବାହ୍ନ ସାଢେ ୧୦ ଟାରେ ବିରାଟ ପଟୁଆରରେ ପହଣ୍ଡି କରାଯାଇ ଠାକୁରଙ୍କୁ ରଥ ଉପରକୁ ନିଆଯାଇଥିଲା। ମହିଳା ଭକ୍ତମାନେ ମା’ ସୁଭଦ୍ରାଙ୍କୁ ପହଣ୍ଡି କରି ନେଇଥିଲେ। ଅପରାହ୍ନ ୩ ଟାରେ ଭୁବନେଶ୍ୱର ରାମକୃଷ୍ଣ ମଠର ମହାରାଜା ଛେରାପହଁରା କରିବା ପରେ ରଥ ଟଣା ଯାଇଥିଲା। ରଥଟଣା ଆରମ୍ଭରୁ ବର୍ଷା ହୋଇଥିଲେ ମଧ୍ୟ ଭକ୍ତମାନେ ମହାଆନନ୍ଦରେ ବର୍ଷାରେ ଭିଜିଭିଜି ରଥ ଟାଣିଥିଲେ। ଭଜନ, କୀର୍ତ୍ତନ, ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଶୈଳଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶୈଳଶ୍ରୀବିହାର ବାସିନ୍ଦା ତଥା ଯାଜପୁର ସାଂସଦ ରବୀନ୍ଦ୍ର ବେହେରା ଯୋଗଦେଇଥିଲେ। ଟ୍ରଷ୍ଟି ହେମନ୍ତ କୁମାର ମହାପାତ୍ର, ସମ୍ପାଦକ ଗୋପାଳକୃଷ୍ଣ ପଟ୍ଟନାୟକ ଉତ୍ସବକୁ ପରିଚାଳନା କରିଥିଲାବେଳେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିଥିଲେ।

ପୁରୁଣା ଭୁବନେଶ୍ବର
ପୁରୁଣା ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ୩ଟାରେ କୁନି କୁନି ପିଲାଙ୍କ ଦ୍ବାରା ପହଣ୍ଡି ବିଜେ କରାଯାଇଥିଲା। ଏହା ପରେ ରଥ ବାହୁଡ଼ିଥିଲା। ପୁରୁଣା ଭୁବନେଶ୍ବରରେ ବିଭିନ୍ନ ଗଳିକନ୍ଦିରେ ୨ଫୁଟିଆ ରଥ ଛୋଟ ଛୋଟ ପିଲାଙ୍କ ଦ୍ବାରା ପୂଜା ଓ ରଥଟଣା ହୋଇଥିଲା। ପାଟଣା ସାହିର ଶଶି ମା' ଗଳି, ଅମୂଲ୍ୟ ସମର୍ଥା ଗଳି, ଦୁଲ୍ଲାଦେଇ ହରଚଣ୍ଡି ଗଳିରେ ବାହୁଡ଼ା ଯାତ୍ରା ଦେଖିବାକୁ ମିଳିଥିଲା। ଅନ୍ୟପଟେ ବଡ଼ଦାଣ୍ଡ ସାହି ଶ୍ରୀଜଗନ୍ନାଥ ଘୋଷଯାତ୍ରା କମିଟି ପକ୍ଷରୁ ରଥ ମାଉସି' ମା ବାରିକ୍‌ ସାହି ନିକଟ ହନୁମାନ ମନ୍ଦିରରୁ ରଥଟଣା ହୋଇଥିଲା। ରଥ ଲିଙ୍ଗରାଜ ମନ୍ଦିର ନିକଟ ପରିଭ୍ରମଣ କରି ବଡ଼ଦାଣ୍ଡ ସାହି ଦର୍ଜିସାହି ଛକରେ ରହିଥିଲା। ସୁସଜ୍ଜିତ ରଥକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସେହିପରି ଜମେଶ୍ବର ପାଟଣା ସାହିଠାରେ ବିଧି ଅନୁଯାୟୀ ପୂଜା ପରେ ରଥ ଗଙ୍ଗା ଯମୁନା ମନ୍ଦିର ନିକଟରୁ ବାହାରିଥିଲା। ରଥ ଲିଙ୍ଗରାଜ ମନ୍ଦିର ନିକଟ, ତିନି ମୁଣ୍ଡିଆ ଛକ ପରିକ୍ରମା କରି ଜମେଶ୍ବର ପାଟଣା ଛକଠାରେ ରହିଥିଲା। ସେହିପରି ପୁରୁଣା ଭୁବନେଶ୍ବର ମଠସାହିର କୁନି କୁନି ପିଲାଙ୍କ ଦ୍ବାରା ରଥ ବାହୁଡ଼ା ଯାତ୍ରା ହୋଇଥିଲା। ବିଶ୍ବନାଥ ମନ୍ଦିର ନିକଟରୁ ରଥ ବାହାରି ଜମେଶ୍ବର ମନ୍ଦିର ନିକଟକୁ ଆସିଥିଲା। ମଠସାହିର ଯୁବକମାନେ ଏହାକୁ ପରିଚାଳନା କରିଥିଲେ। ସେହିପରି କପିଳେଶ୍ବର କେନାଲ ରାସ୍ତା, ପଲାସପଲ୍ଲୀ ସାଇକ୍ଷେତ୍ର, କାରିଗିଲ୍‌ ରୋଡ଼୍‌ରେ ମଧ୍ୟ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା।

ରସୁଲଗଡ଼
କୋଚିଳେଇ ମନ୍ଦିର ବା ମାଉସୀ ମା’ ଘରୁ ଲୀଳାଖେଳା ସମାପ୍ତ କରି ଚତୁର୍ଦ୍ଧାମୂର୍ତ୍ତି ଆଜି ରସୁଲଗଡ଼ ପାଲାମଣ୍ଡପକୁ ବାହୁଡ଼ିଛନ୍ତି। ସକାଳର ସମସ୍ତ ନୀତି ସମାପନ ହେବାପରେ ପ୍ରମୋଦ କୁମାର ବରିସଲ ଅପରାହ୍ନ ୪ଟା ୧୫ରେ ରଥରେ ଛେରାପହଁରା କରିଥିଲେ। ଅପରାହ୍ନ ସାଢ଼େ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ମାଉସୀ ମା’ ମନ୍ଦିରରୁ ରଥ ବାହାରି ଗ୍ରାମ ପରିକ୍ରମା କରି ସାଢ଼େ ୫ଟାରେ ଯାଇ ପାଲାମଣ୍ଡପରେ ପହଞ୍ଚିଥିଲା।

ବାଲିପାଟଣା
ଆଜି ପବିତ୍ର ବାହୁଡା଼ ଅବସରରେ ବାଲିପାଟଣା ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ଅପରାହ୍ନରେ ବାଲିପାଟଣା ବଜାର ଜଗନ୍ନାଥଙ୍କ ରଥରେ ରାଜା ଭାବଗ୍ରାହୀ ଗୋଛାୟତ ଛେରାପହଁରା କରିବା ପରେ ରଥଟଣା ହୋଇଥିଲା। ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା। ବାଟରେ ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ମାଉସୀ ମା’ ମନ୍ଦିରରେ ପୋଡପିଠା ଭୋଗ ଲାଗି ହେବାପରେ ରଥ ବାଲିପାଟଣା ବଜାର ସ୍ଥିତ ମନ୍ଦିର ନିକଟରେ ଲାଗିଥିଲା। ଆଜି ରଥ କମିଟି ପକ୍ଷରୁ ରଥଟଣା ସମୟରେ ପାରମ୍ପରିକ ଲଉଡ଼ି ନୃତ୍ୟ, ଘୋଡାନାଚ, ନାଗାନାଚ ପ୍ରଭୃତି ପରିବେଷଣ କରା ଯାଇଥିଲା। ବାଲିପାଟଣା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଡାହୁକ ଦାୟିତ୍ବ ମାଗୁଣୀ ରଣା ନିର୍ବାହ କରିଥିବା ବେଳେ ଜଗନ୍ନାଥ ସାହୁ, ଅଜୟ ହୋତା, ହେମନ୍ତ କୁମାର ଜେନା, ଜୟନ୍ତ ଶିଶୁ, ପ୍ରଭାତ କୁମାର ମହାପାତ୍ର, ମନୋଜ ସାହୁ, ବିବେକାନନ୍ଦ ସାହୁ ମନ୍ଦିର ଦାୟିତ୍ୱ ନିର୍ବାହ କରିଥିବା ବେଳେ ଗୁଣ୍ଡିଚା ମନ୍ଦିରର କର୍ତ୍ତା ଭାବରେ ଅଭିମନ୍ୟୁ ନାୟକ ଓ କାର୍ଯ୍ୟକର୍ତ୍ତା ଭାବରେ ବିଶ୍ୱନାରାୟଣ ମହାନ୍ତି, ବୁଢା ସାମନ୍ତରାୟ, ଲକି ଜେନା, ଆଦିତ୍ୟ କୁମାର ଦାସ, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ସୁଜାନଗର ପାଟଣା ସ୍ଥିତ ତ୍ରିବେଣୀ ଘାଟ ଅନ୍ତର୍ବେଦୀ ପୀଠ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ମଧ୍ୟ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି।
ଭିଏସ୍‌ଏସ୍‌ ନଗର
ଶ୍ରୀଶ୍ରୀ ଭୁବନେଶ୍ୱରୀ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଆଜି ଅନୁଷ୍ଠିତ ବାହୁଡ଼ା ଯାତ୍ରାରେ ଭିଏସ୍‌ଏସ୍‌ ନଗର ଉତ୍ସବମୁଖର ହୋଇଉଠିଥିଲା। ପରମ୍ପରା ଅନୁସାରେ ଅପରାହ୍ନ ୪ଟାରେ ଉପସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ପ୍ରତାପ କୁମାର ନନ୍ଦ, ଯୁଗ୍ମସମ୍ପାଦକ ନିଶିଥ ରଞ୍ଜନ ନନ୍ଦ ଓ ସନ୍ତୋଷ କୁମାର ଶତପଥୀ ପ୍ରମୁଖ ପହଣ୍ଡି ବିଜେ କରାଇଥିଲେ। ଅପରାହ୍ନ ୫ଟାରେ ଜୟନ୍ତ ପରିଡ଼ା ଛେରାପହଁରା କରି ସାରିବାପରେ ଅପରାହ୍ନ ସାଢ଼େ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା।
ବାଲିଅନ୍ତା
ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ଗଡ଼କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରେ ରଥ ପ୍ରତିଷ୍ଠା କରାଯାଇଥିଲା। ପୂର୍ବାହ୍ନ ୧୦ଟାରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ୧୧ଟାରେ ଧାଡ଼ି ପହଣ୍ଡି ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଛେରାପହଁରା ବିଧି ସମ୍ପାଦନ ହୋଇଥିଲା। ଅପରାହ୍ନ ସାଢେ ୩ଟାରେ ଭଗବତୀ ମନ୍ଦିରରୁ ଦାରୁପୀଠ ପର୍ଯ୍ୟନ୍ତ ରଥ ଟଣା ଯାଇଥିଲା। ସନ୍ଧ୍ୟା ପୂର୍ବରୁ ରଥ ସୁଦର୍ଶନ ଦାରୁପୀଠରେ ପହଞ୍ଚିଥିଲା।