କରୋନା‌ରେ ପ୍ରାଣ ହରାଇଲେ ବଇଁଚୁଆ ସରପଞ୍ଚ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ କରୋନା‌ରେ ଆଜି ଜଣେ କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି। ମୃତକ ହେଲେ, ଉକ୍ତ ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତର ଯୁବ ସରପଞ୍ଚ ବିଜୟ କୁମାର ସାହୁ (୪୪)। ଜଣେ ଜନପ୍ରତିନିଧି କୋଭିଡ୍‌ରେ ପ୍ରାଣ ହରାଇବାରେ ବାଲିଅନ୍ତା ବ୍ଲକରେ ଏହା ପ୍ରଥମ ଘଟଣା। ଅନ୍ୟପକ୍ଷରେ ବିଜୟଙ୍କ ମୃତ୍ୟୁକୁ ମିଶାଇ ବାଲିଅନ୍ତା ବ୍ଲକରେ ମୋଟ ୨୨ଜଣଙ୍କ କରୋନାରେ ମୃତ୍ୟୁ ଘଟିଲାଣି।

ପ୍ରାପ୍ତ ସୂଚନାନୁଯାୟୀ ବିଜୟ ଥଣ୍ଡା, କାଶ ଓ ଜ୍ବରରେ ଅସୁସ୍ଥ ହୋଇପଡ଼ିଥିଲେ। ଗତ ୬ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହୋଇପଡ଼ିବାରୁ ପରିବାରଲୋକ ଚିକିତ୍ସା ଲାଗି ତାଙ୍କୁ ଏମ୍‌ସ୍‌ ହସ୍ପିଟାଲରେ ଭର୍ତି କରାଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଗତରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବିଏମ୍‌ସି ସ୍ବର୍ଗରଥ ପହଞ୍ଚି ଶବ ସତ୍କାର ପାଇଁ ସତ୍ୟନଗର ଶ୍ମଶାନକୁ ନେଇଥିଲା।

ବିଜୟ ଜଣେ ଲୋକପ୍ରିୟ ସରପଞ୍ଚ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ପଞ୍ଚାୟତରେ ବିଶେଷ କିଛି ଉନ୍ନତି ଘଟିଥିବା ସ୍ଥୀନୀୟ ଲୋକ କହିଛନ୍ତି। ତାଙ୍କ ମୃତ୍ୟୁରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର