ମୁକୁଳିଲେ ୩ ବିଜେଡି ଛାତ୍ରନେତା

ପୂର୍ବତନ ସଭାପତି ପ୍ରାର୍ଥୀଙ୍କୁ ଅପହରଣ ଘଟଣା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର-ଅଣଛାତ୍ର ମୁହାଁମୁହିଁକୁ ନେଇ ଛାତ୍ର ବିଜେଡିରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ବଢ଼ୁଛି। କ୍ୟାମ୍ପସ ପରିସରରୁ ପୂର୍ବତନ ସଭାପତି ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗରେ ଜେଲ୍‌ ଯାଇଥିବା ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଜୋନ୍‌ ସଭାପତି ଅଜିତ ବେହେରା ଓ ଜ୍ୟୋତି ରଞ୍ଜନ ସାହୁ ଆଜି ଜାମିନରେ ମୁକୁଳିଛନ୍ତି। ଝାରପଡ଼ା ଜେଲ୍‌ରୁ ବାହାରିବା କ୍ଷଣି ଛାତ୍ରନେତାଙ୍କ ସମର୍ଥକମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଥିଲେ। ପରେ ତିନି ଜଣ ଛାତ୍ରନେତାଙ୍କୁ ଝାରପଡ଼ାରୁ ବିଜେଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଏଥିପାଇଁ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଥିଲେ ହେଁ ଦଳର ବରିଷ୍ଠ ନେତାଙ୍କ ଚାପ ଯୋଗୁଁ ଶେଷ ମୁହୂର୍ତ୍ତରେ ଏଥିରୁ ନିବୃତ୍ତ ରହିଥିଲେ ଛାତ୍ରନେତା। ରାତି ପ୍ରାୟ ୯ଟାରେ କଳ୍ପତରୁ ଓ ଅଜିତ୍‌ଙ୍କ ସମର୍ଥକମାନେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ସ୍ୱାଗତ ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ସହରର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରନେତା ଏଥିରେ ସାମିଲ ହୋଇଥିଲେ। କେତେଜଣ ରାଜ୍ୟସ୍ତରୀୟ ଛାତ୍ରନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। କୌଣସି ବି ପରିସ୍ଥିତିରେ ସଂଗଠନରେ ବିଶୃଙ୍ଖଳାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଛାତ୍ରନେତାମାନେ ମିଳିତ ସ୍ୱରରେ କହିଥିଲେ। ଜାମିନ୍‌ରେ ଫେରିବା ପରେ କଳ୍ପତରୁ କହିଛନ୍ତି ଯେ ୨୦୦୪ରୁ ବିଜେଡି ସହ ଜଡ଼ିତ ହୋଇ ରହିଛି। ଆଉ କୌଣସି ସଙ୍ଗଠନକୁ ଡେଇଁ ନାହିଁ କି ଡେଇଁବାର ନାହିଁ। ବିଜେଡି ପାଇଁ କାର୍ଯ୍ୟ କରୁଛି, ଭବିଷ୍ୟତରେ ବି କରିବି। ଦଳର ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହା କିଭଳି ସୁରୁଖୁରରେ ହୋଇପାରିବ ସେଦିଗରେ କାର୍ଯ୍ୟ କରୁଛି। କେତେଜଣ ଛାତ୍ରନେତା ବାଣୀବିହାରରେ ଦାଦାବଟି ଆଦାୟ କରୁଛନ୍ତି। ଏହାକୁ ବିରୋଧ କରିବାରୁ ଆଜି ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା।

ଚାପରେ ଶୋଭାଯାତ୍ରାରୁ ନିବୃତ୍ତ ରହିଲେ
ଦାଦାବଟିକୁ ବିରୋଧ କରିବାରୁ ଏପରି ହେଲା: କଳ୍ପତରୁ
ବାଣୀବିହାର କ୍ୟାମ୍ପସ୍‌ରେ ପୁଲିସ ଛାଉଣି

କଳ୍ପତରୁ ଓ ଅଜିତଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଜେଲ୍‌ରୁ ଆଣିବା ପାଇଁ ସମସ୍ତ ଯୋଜନା ଚୂଡ଼ାନ୍ତ ହୋଇଥିଲା। ତେବେ ଶୋଭାଯାତ୍ରା ବନ୍ଦ କରିବା ପାଇଁ ତୃତୀୟ ମହଲାରୁ କିଛି ପୂର୍ବତନ ଛାତ୍ର ନେତାଙ୍କୁ କୁହାଗଲା। ଏହି ଘଟଣାରେ ଦଳର ସଭାପତି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ବି ଦିଆଗଲା। ଏହା ପରେ ଶୋଭାଯାତ୍ରା ଆୟୋଜନକୁ ବନ୍ଦ କରିଦିଆଯାଇଥିଲା। କେବଳ ହାତଗଣତି କିଛି ସମର୍ଥକଙ୍କ ଗହଣରେ ସେମାନେ ଜେଲ୍‌ରୁ ବାହାରିଥିଲେ। ଅନ୍ୟପକ୍ଷରେ ଛାତ୍ର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଦଳକୁ ଅପ୍ରୀତିକର ସ୍ଥିତିରେ ପକାଉଥିବାରୁ ଏହାର ଅପୋସ ସମାଧାନ ଲାଗି ଜୋର୍‌ଦାର୍‌ ଉଦ୍ୟମ ଆରମ୍ଭ ହୋଇଛି। ଦଳର କିଛି ବରିଷ୍ଠ ନେତା ଘଟଣାରେ ହସ୍ତକ୍ଷେପ କରିଛନ୍ତି। କୌଣସି ବି ପରିସ୍ଥିତିରେ ବିବାଦକୁ ନ ବଢ଼ାଇ ଏଠାରେ ଶେଷ କରିବା ଲାଗି ନେତାମାନେ ଲାଗିପଡ଼ିଛନ୍ତି। କଳ୍ପତରୁ ଜାମିନରେ ଆସିବା ପରେ ଆଜି ରାତିରେ ସହରର ଏକ ପ୍ରମୁଖ ସ୍ଥାନରେ ଉକ୍ତ ଗୋଷ୍ଠୀର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏଥିରେ ଭବିଷ୍ୟତ ରଣନୀତି ନେଇ ଆଲୋଚନା ହୋଇଛି। ଦଳର ବରିଷ୍ଠ ନେତାମାନେ ମଧ୍ୟ କଳ୍ପତରୁଙ୍କ ଗୋଷ୍ଠୀଙ୍କୁ ଡାକି ଆଲୋଚନା କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତିନି ଜଣ ଛାତ୍ରନେତା ମୁକୁଳିବା ପରେ ବାଣୀବିହାର କ୍ୟାମ୍ପସ୍‌ରେ ପୁଲିସ ଛାଉଣି ହୋଇଛି। ଦୁଇ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ମୁଖ୍ୟ ଫାଟକରୁ ଆରମ୍ଭ କରି ଗ୍ଲାସ୍‌ କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ସବୁଠି ପୁଲିସ ପହରା ଦେଉଛି। ଦୁଇଟି ପିସିଆର ଭ୍ୟାନ୍‌ ମଧ୍ୟ ଚକ୍କର କାଟୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର