ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି ନିଉ) କରିବା ନେଇ ଦୀର୍ଘ ୪୪ ବର୍ଷ ହେଲା ସରକାରୀ ଦପ୍ତରରେ ପ୍ରସ୍ତାବ ଗୃହୀତ ହୋଇଛି। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ବିଭାଗୀୟ ନିର୍ଦ୍ଦେଶକ, ସଚିବ, ଖୋର୍ଧା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଦାୟିତ୍ବରେ ଥିବା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଖାଲି ସେତିକି ନୁହେଁ ପଞ୍ଚାୟତ ଓ ପଞ୍ଚାୟତ ସମିତିର ପ୍ରସ୍ତାବ କ୍ରମେ ଡାକ୍ତରଖାନା ଲାଗି ୧ଏକର ୪୦ ଡିସିମିଲ ଜମି ସଂରକ୍ଷିତ ରହିଛି। ଏଠାରେ ଡାକ୍ତରଖାନା ଖୋଲାଯିବାକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ମଧ୍ୟ କସରତ ହୋଇଛି। ବିଧାୟକ, ମନ୍ତ୍ରୀ ଓ ଉପରିସ୍ଥ ଅଧିକାରୀ ଅଧସ୍ତନ ଦପ୍ତରକୁ ପଦକ୍ଷେପ ନେବାକୁ ଚିଠି ପରେ ଚିଠି ଲେଖିଛନ୍ତି। ହେଲେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ନିଷ୍ପତ୍ତି ପ୍ରସ୍ତାବରେ ଚାପିହୋଇ ରହିଯାଇଛି।
ଦୀର୍ଘବର୍ଷ ପରେ ମଧ୍ୟ ଉକ୍ତ ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଉପସ୍ବାସ୍ଥ୍ୟକେନ୍ଦ୍ର ନଥିବାରୁ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇବା କ୍ଷେତ୍ରରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇବା ପାଇଁ ଲୋକମାନେ ଦୂରଦୁରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ରାଜଧାନୀ ଠାରୁ ମାତ୍ର ୫ କିମି ଦୂରରେ ଥିବା ଉକ୍ତ ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ ନଥିବାରୁ ଏବେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବର ତୀବ୍ର ହୋଇଛି। ଏହାର ପ୍ରତିବାଦରେ ଜନସାଧାରଣ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଖବର ନେବାରେ ଜଣାପଡ଼ିଛି ଯେ, ୧୯୭୬ ମସିହାରୁ ବଇଁଚୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ନେଇ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ପ୍ରସ୍ତାବିତ ଯୋଜନା ମୁତାବକ ବଇଁଚୁଆ ହୋମିଓପ୍ୟାଥିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜମି ମଧ୍ୟ ସଂରକ୍ଷିତ ହୋଇ ରହିଛି। ସରପଞ୍ଚ ବିଜୟ ସାହୁଙ୍କ ସୂଚନା ମୁତାବକ ଏହି ପଞ୍ଚାୟତ ସମେତ ଆଖପାଖ ଗ୍ରାମର ୨୦ ହଜାର ଲୋକ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପାଇଁ ଅସୁବିଧା ଭୋଗୁଛନ୍ତି। ଜ୍ବର, ଝାଡ଼ାବାନ୍ତି, ଡାଇରିଆ ଭଳି ଜରୁରୀକାଳୀନ ରୋଗର ଚିକିତ୍ସା ଲାଗି ଅନ୍ୟତ୍ର ଯିବା ବେଳେ ବାଟରେ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିବାର ନଜିର ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି। ଡାକ୍ତରଖାନା ଖୋଲବା ଦିଗରେ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି।