ବଜବଜିଆରେ ୫ ଗୋରୁ ମୃତ, ଶତାଧିକ ଆକ୍ରାନ୍ତ 

ବାଲିଅନ୍ତା: ବାଳକାଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଥିବା ପ୍ରତାପରୁଦ୍ରପୁର ପଞ୍ଚାୟତରେ ଗତ କିଛି ଦିନ ହେବ ବଜବଜିଆ ରୋଗ ବ୍ୟାପିଛି। ଏଥିରେ ସ୍ଥାନୀୟ ପାରିବାସୁଦେଇପୁର ଓ ବେତେଣ୍ଡା ଗ୍ରାମରେ ୫ ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଗୋରୁ ଆକ୍ରନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଏହା ବ୍ୟାପୁଥିବା ବେଳେ ରୋଗ ନିରାକରଣ ପାଇଁ ପଶୁ ସଂପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ପଶୁ ସଂପଦର କ୍ଷତି ଘଟିଥିବା ସଂପୃକ୍ତ ଗୋପାଳକମାନେ କହିଛନ୍ତି। ପାରିବାସୁଦେଇପୁର ଗ୍ରାମର ସ୍ୱେଚ୍ଛାସେବୀ ବନମାଳି ଜେନାଙ୍କ କହିବାନୁଯାୟୀ ବେତେଣ୍ଡା ଓ ପାରିବାସୁଦେଇପୁର ଗ୍ରାମରେ ଗତମାସକ ମଧ୍ୟରେ ୫ଟି ଗାଈଙ୍କ ମୃତ୍ୟୁ ଘଟିଛି। ସେହିପରି ଓଲାରବିନ୍ଧା, ବିଶରପୁର ଓ କଣ୍ଟିବରାହୀ ଗ୍ରାମରେ ମଧ୍ୟ ଅନେକ ମାଈ ବାଛୁରୀ ଏହି ରୋଗରେ ପୀଡ଼ିତ ହୋଇଛନ୍ତି। ପାରିବାସୁଦେଇପୁର ଗ୍ରାମର ରମେଶ ଚନ୍ଦ୍ର ସ୍ୱାଇଁ ନାମକ ଜଣେ ଚାଷୀଙ୍କର ମାଈ ବାଛୁରୀ ଚିକିତ୍ସିତ ହେଉଥିବା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଭାଗବତ ଘୋଷ ଏବଂ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଜ୍ୟୋତିରଂଜନ ବିଶ୍ୱାଳ କହିଛନ୍ତି। ସେହିପରି ଶତୃଘ୍ନ ଜେନା ନାମକ ଅନ୍ୟ ଜଣେ ଗୋପାଳଙ୍କର ଦେଢ଼ ବର୍ଷର ବାଛୁରୀ ରୋଗାକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯାଗ୍ୟ ଏହି ରୋଗରେ ଗାଈଗୋରୁମାନଙ୍କୁ ଜ୍ୱର ଲାଗି ରହିବା ସହିତ ଚଟୁଆ ଫୁଲିଯିବା ଓ ଫୁଲାରେ ଘା’ ହୋଇ ଖୁବ୍‌ କମ ଦିନ ମଧ୍ୟରେ ସେମାନପଙ୍କର ମୃତ୍ୟୁ ହୋଇଯାଏ ବୋଲି ଜଣେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି। ଏ ସଂପର୍କରେ ବିଭିଓ ଶ୍ରୀ ଘୋଷଙ୍କୁ ପଚାରିବାରେ ସେ କହିଛନ୍ତି, ଭ୍ରାମ୍ୟମାଣ ଟିମ୍‌ ପଠାଇ ରୋଗାକ୍ରାନ୍ତ ଗୋରୁମାନଙ୍କର ଚିକିତ୍ସା ଚାଲିଛି । ଆସନ୍ତା କାଲି ବେିଶରପୁର ଓ ଅନ୍ୟ ଗ୍ରାମରେ ଗାଈଗୋରୁମାନଙ୍କୁ ପ୍ରତିଷେଧକ ଟିକା ଦେବାକୁ ସେ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ବିମଳ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି। ଏ ଦିଗରେ ଖୋର୍ଧା ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର