ବଜାଜ୍ ଫାଇନାନ୍‌ସକୁ ଠକେଇ ମାମଲା: ଜାଲ୍‌ କମ୍ପାନିର ଦଲାଲ ଗିରଫ

ଭୁବନେଶ୍ବର: ଜାଲ୍‌ ଏନର୍ଜି କମ୍ପାନିର ନକଲି କର୍ମଚାରୀମାନଙ୍କ ଜରିଆରେ ବଜାଜ୍‌ ଫାଇନାନ୍‌ସକୁ ଚୁନ ଲଗାଇଥିବା ମାଷ୍ଟରମାଇଣ୍ଡ ସନ୍ତୋଷ ଜେନା ଏବେ ବି ଫେରାର୍ ରହିଛି। ଅଭିଯୁକ୍ତ ସନ୍ତୋଷର ସ୍ତ୍ରୀ ମମତା ଓ ଅନ୍ୟ ତିନି ଜଣ ଗିରଫ ହୋଇଥିବା ବେଳେ ଆଜି ନୂଆପଲ୍ଲୀ ଥାନା ପୁଲିସ ଉକ୍ତ ରୢାକେଟ୍‌ର ଜଣେ ଦଲାଲକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି, କଟକ ଚମ୍ପାପୁରର ବେଦଦ୍ୟୁତି ବାରିକ(୩୯)। ବେଦଦ୍ୟୁତି ଉକ୍ତ ଜାଲ୍‌ କମ୍ପାନିକୁ ନକଲି କର୍ମଚାରୀ ଯୋଗାଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, ଫେରାର୍ ଥିବା ସନ୍ତୋଷ ଏକ ଜାଲ୍‌ ଏନର୍ଜି କମ୍ପାନି କରିଥିଲା। ଉକ୍ତ କମ୍ପାନିରେ ନକଲି କର୍ମଚାରୀ ନିଯୁକ୍ତି ଦେଉଥିଲା ଓ ସେମାନଙ୍କ ନାଁରେ ବଜାଜ୍ ଫାଇନାନ୍‌ସରୁ ଋଣ କରାଉଥିଲା। କମ୍ପାନିର ନିଯୁକ୍ତିପତ୍ର ଓ ସାଲାରି ସ୍ଲିପ୍ ସବୁ କିଛି ଜାଲ୍‌ ଥିଲା। ମାତ୍ର ଫାଇନାନ୍‌ସ ଅଧିକାରୀମାନେ ଏହା ଜାଣି ପାରିନଥିଲେ। ତେବେ ଗୋଟିଏ କମ୍ପାନିର ଏତେସଂଖ୍ୟକ କର୍ମଚାରୀ ଋଣ କରୁଥିବା ମାମଲାଟି ବଜାଜ୍‌ ଫାଇନାନ୍‌ସର ଅଧିକାରୀ ବିଭୁକଲ୍ୟାଣ ଶତପଥୀଙ୍କ ସନ୍ଦେହ ବଢ଼ାଇଥିଲା। ତେଣୁ ସେ ତଦନ୍ତ କଲା ପରେ ସେଭଳି କିଛି କମ୍ପାନି ନଥିବା ଜଣାପଡ଼ିଥିଲା। ତେଣୁ ସେ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଥିଲେ। ତଦନ୍ତ ଅଧିକାରୀ ଅରୁଣ କୁମାର ମଲ୍ଲିକ ଘଟଣାର ଖୋଳତାଡ଼ କରିବା ପରେ ଠକ ଦମ୍ପତି ସନ୍ତୋଷ ଜେନା ଓ ତାଙ୍କ ପତ୍ନୀ ମମତା ପାତ୍ରଙ୍କ କଳା କାରନାମା ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର