ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ, ବକ୍ସିଙ୍କ ନାମରେ ରେଳ ଚଳାଚଳ ହେଉ

ଭୁବନେଶ୍ବର: ଖୋର୍ଧାର ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ୧୮୧୭ରେ ସଂଘଟିତ ପାଇକ ବିଦ୍ରୋହ ଜାତୀୟ ଇତିହାସରେ ଏକ ଗୌରବୋଜ୍ଜ୍ବଳ ଅଧ୍ୟାୟ। ବକ୍ସିଙ୍କ ତ୍ୟାଗ, ଅପୂର୍ବ ସାହସ ଓ ବୀରତ୍ବ ଅତୁଳନୀୟ। ଏଇଭଳି ବୀରମାନଙ୍କର ବୀରତ୍ବର ଗରିମାମୟ ଇତିହାସ ଅଧିକରୁ ଅଧିକ ଆଲୋଚନା ହେଉ ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ଜୟଦେବ ଭବନରେ ଅନୁଷ୍ଠିତ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ସ୍ତମ୍ଭକାର ଓମ୍‌ ପ୍ରକାଶ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ପାଇକ ବିଦ୍ରୋହ ଆମ ଓଡ଼ିଆଙ୍କ ବୀରତ୍ବର ପରିଚୟ। ତେଣୁ ପାଇକ କୁଳକୁ ସମ୍ମାନ ଜଣାଇ ଭାରତୀୟ ସେନାରେ ପାଇକ ରେଜିମେଣ୍ଟ ଗଠନ ସହ ବକ୍ସିଙ୍କ ନାମରେ ରେଳ ଚଳାଚଳ, ଷ୍ଟାଡିୟମ ନିର୍ମାଣ, ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ସହ ବକ୍ସିଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍‌ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ସିଙ୍କ ଭଳି ବୀରମାନଙ୍କ ବୀରତ୍ବ ଗାଥା ଯୁବପିଢ଼ି ଓ ଛାତ୍ରଛାତ୍ରୀ ଅଧିକରୁ ଅଧିକ ପାଠ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ବକ୍ସିଙ୍କ ଜୀବନ ଆଧାରିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗୀୟ ନିର୍ଦେଶକ (ବୈଷୟିକ) ନିରଂଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ବକ୍ସି ଜଗବନ୍ଧୁ ନାଟକ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର