ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା

ଆର୍‌କେଏସ୍‌ ବୈଠକରେ ଉଦ୍‌ବେଗ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାକକ୍ଷରେ ଆଜି ଏ ବ‌ର୍ଷର ରୋଗୀ କଲ୍ୟାଣ ସମତି (ଆର୍‌କେଏସ)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆର୍‌କେଏସ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଡ. ଅରବିନ୍ଦ ଢାଲି ଅଧ୍ୟକ୍ଷତା କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ରମାଗତ ଭାବେ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଅନୁପସ୍ଥିତି ଓ ବଦଳି ନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା। ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବାରୁ ସ୍ଥାନୀୟ ଲୋକମାନେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପାଇପାରୁନଥିବା ନେଇ ବରିଷ୍ଠ ନାଗରିକ ସୁରେନ୍ଦ୍ର ବେହେରା ଦୃଷ୍ଟି ଆକର୍ଷଣ କରିଥିଲେ। ଜବାବରେ ଡାକ୍ତରଖାନା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ବିଭିନ୍ନ ବିଭାଗରେ ୬ଜଣ ସ୍ପେଶାଲିଷ୍ଟ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଆୟୂଷ ଡାକ୍ତରଙ୍କୁ ଛାଡ଼ିଦେଲେ ଦୁଇଜଣ ବିଶେଷଜ୍ଞ କାର୍ଯ୍ୟରତ ଥିବା କହିଥିଲେ।

ଡାକ୍ତରଖାନା ପରିସର ପରିମଳ, ବୃକ୍ଷରୋପଣ, ଔଷଧ ବିତରଣ ଗୃହ ହସ୍ତାନ୍ତର, ମେଡିକାଲ ପଛପାର୍ଶ୍ବର ରାସ୍ତା ଓ ଗେଟ ନିର୍ମାଣ, ଅସ୍ତ୍ରୋପଚାର ଓ ପ୍ରସୂତି ଗୃହରେ ଏସି ବ୍ୟବସ୍ଥା, ଡାକ୍ତରଖାନାରୁ ନିର୍ଗତ ଆବର୍ଜନାର ସୁପରିଚାଳନା ଆଦି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର ହୋଇଥିଲା। ବୈଠକରେ ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ଝିଣ୍ଟିଶାସନ ସରପଞ୍ଚ ବିଜୟଲକ୍ଷ୍ମୀ ଜେନା, ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ଅମରେନ୍ଦୁ ପଟ୍ଟନାୟକ, ବିଜେଡି ବ୍ଲକ ସଭାପତି ଅଚ୍ୟୁତାନନ୍ଦ ପାତ୍ର, ପିଏଚଇଓ ସନ୍ତୋଷ କୁମାର ସେଠୀ ଓ ବିପିଏମ ଅତସୀ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର