ଜଟଣୀ: ଜଣେ ଠିକାଦାରଙ୍କଠାରୁ ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଭିଜିଲାନ୍ସ ଟିମ୍ ଜଟଣୀ ବ୍ଲକ୍ ସମେତ ୩ ସ୍ଥାନରେ ଛାନ୍ଭିନ ଚଳାଇଛି। ଆୟ ବହିର୍ଭୂତ ସମ୍ପତ୍ତି ବାବଦରେ ତଥ୍ୟ ହାସଲ କରିବାକୁ ଭିଜିଲାନ୍ସ ଟିମ୍ ଜଟଣୀ ବ୍ଲକ୍ କାର୍ଯ୍ୟାଳୟରେ, ଶ୍ରୀମତୀ ମହାନ୍ତିଙ୍କ ଢେଙ୍କାନାଳ ଦିଗମ୍ବରପୁର ନିହଲପ୍ରସାଦସ୍ଥିତ ଶାଶୂଘରେ ଓ ନୂଆପଲ୍ଲୀସ୍ଥିତ ବାପଘରେ ଚଢ଼ଉ କରିଛି।
ଆଜି ସକାଳେ ଭିଜିଲାନ୍ସର ଏକ ୫ଜଣିଆ ଟିମ୍ ଜଟଣୀ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀମତୀ ମହାନ୍ତିଙ୍କ ଚାମ୍ବରରେ କମ୍ପ୍ୟୁଟର୍ ଓ ବିଭିନ୍ନ ଫାଇଲପତ୍ର ଯାଞ୍ଚ କରିଥିଲେ। ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିଥିଲା ଟିମ୍। ଦୀର୍ଘ ୪ଘଣ୍ଟାର ଛାନ୍ଭିନ ପରେ ଶ୍ରୀମତୀ ମହାନ୍ତିଙ୍କ ଆକାଉଣ୍ଟ ଓ ଡିପୋଜିଟ୍ ଆଦିକୁ ସିଜ୍ କରାଯାଇଛି। ଛାନ୍ଭିନ୍ରୁ ଜଣାପଡ଼ିଛି ଯେ ଅନେକ ଠିକାଦାରଙ୍କ ବକେୟା ବିଲ୍ ପେଣ୍ଡିଂ ରହିଛି। ତେଣୁ ସେସବୁ ଲାଞ୍ଚ ପାଇଁ ଅଟକିଥିବା ସନ୍ଦେହ କରାଯାଉଛି। କାରଣ ଲାଞ୍ଚ ନ ପାଇବା ପର୍ଯ୍ୟନ୍ତ ଶ୍ରୀମତୀ ମହାନ୍ତି ବିଲ୍ ପାସ୍ କରୁନଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା। ଆଜି ମଧ୍ୟ ବହୁ ଠିକାଦାର ବ୍ଲକ୍ କାର୍ଯ୍ୟାଳୟରେ ଉପସ୍ଥିତ ରହି ଭିଜିଲାନ୍ସ ଚଢ଼ଉକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏମିତିକି ବହୁ ଠିକାଦାର ଖୋଲାଖୋଲି ଭାବେ ଶ୍ରୀମତୀ ମହାନ୍ତିଙ୍କ ଲାଞ୍ଚ ମାଗିବା ଶୈଳୀ ଉପରେ କଟୁ ମନ୍ତବ୍ୟ ରଖୁଥିଲେ। ଆହୁରି କିଛି ଅସାଧୁ କର୍ମଚାରୀଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଥିଲେ। ସୂଚନାଯୋଗ୍ୟ ଯେ ଜଟଣୀ ବ୍ଲକ୍ କନ୍ତିଆ ପଞ୍ଚାୟତରେ ୨/୩ଟି ପ୍ରକଳ୍ପର କାମ ନେଇଥିବା ଠିକାଦାର କିରଣ ପ୍ରଧାନ ଭିଜିଲାନ୍ସର ଦ୍ବାରସ୍ଥ ହେବା ପରେ ଯନ୍ତ୍ରୀ ଶ୍ରୀମତୀ ମହାନ୍ତି ଧରାପଡ଼ିଛନ୍ତି। ପ୍ରାୟ ୫ ଲକ୍ଷ ଟଙ୍କାର ବକେୟା ବିଲ୍ ପାସ୍ କରାଇବାକୁ ଯନ୍ତ୍ରୀ ଶ୍ରୀମତୀ ମହାନ୍ତି ୧ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଗ୍ରିମ ଆକାରରେ ୫୦ ହଜାର ଟଙ୍କା ଦେବାକୁ ଜିଦ୍ କରିଥିଲେ। ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଯୋଜନାନୁସାରେ ଠିକାଦାର କିରଣ ଗତକାଲି ଯନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କ ଖଣ୍ଡଗିରିବାରୀସ୍ଥିତ ବାସଭବନରେ ତାଙ୍କୁ ୫୦ ହଜାର ଟଙ୍କା ଦେଉଥିଲେ। ସେତିକିବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା।
ଚର୍ଚ୍ଚାରେ ମାଡାମ୍ଙ୍କ ରାଜକୀୟ ସଉକ
ଭିଜିଲାନ୍ସ ଚଢ଼ଉ ବେଳେ ଅନ୍ୟ ଜଣେ ଠିକାଦାର ଅକ୍ଷୟ ଦାସ କହିଛନ୍ତି ଯେ ମାଡାମ୍ଙ୍କର ମନ ବାଳକାଟି ମଟନ୍ ଓ ଦୟାନଦୀ ପୋହଳାରେ। ମାଡାମ୍ଙ୍କ ପାଇଁ ମଟନ୍, ପୋହଳା ଓ ନଦୀର ଦେଶୀ ଚିଙ୍ଗୁଡ଼ି ଆଗରେ ଶ୍ରାବଣ ମାସ କିଛି ନୁହେଁ। ଠିକାଦାର ଶ୍ରୀ ଦାସ ପୁଣି କହିଛନ୍ତି ଯେ କେବଳ ମାଡାମ୍ ନୁହନ୍ତି, ତାଙ୍କ ସ୍ବାମୀଙ୍କ ପସନ୍ଦ ଅନୁସାରେ ବି ଠିକାଦାରଙ୍କୁ ଲାଞ୍ଚ ଦେବାକୁ ପଡ଼େ। ମାଡାମ୍ଙ୍କ ସ୍ବାମୀ ପାରାଦୀପ ଇଲିସି ଡିମାଣ୍ଡ କରନ୍ତି। ଆମିଷ ବାଦ୍ ମାଡାମ୍ ଲାଞ୍ଚ ଆକାରରେ ଦେଶୀ ପରିବା ମଧ୍ୟ ମାଗିଥାଆନ୍ତି ବୋଲି ସେ କହିଛନ୍ତି। ଠିକାଦାର ଶ୍ରୀ ଦାସଙ୍କ ଏଭଳି ଅଭିଯୋଗ ସହିତ ରେକର୍ଡିଂ ହୋଇଥିବା ଏକ ଫୋନ୍ କଲ୍ ଆଜି ଭାଇରାଲ୍ ହୋଇଛି। ଠିକାଦାର କିରଣଙ୍କ ସହ ଯନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କ ଏହି ବାର୍ତ୍ତାଳାପ ସାରା ଜଟଣୀରେ ଖେଳିବୁଲୁଛି। ୫୦ ହଜାର ଟଙ୍କା ସହିତ ପୋହଳା ମାଛ ଆଣିବାକୁ ଯନ୍ତ୍ରୀ ଶ୍ରୀମତୀ ମହାନ୍ତି ଠିକାଦାର କିରଣଙ୍କୁ କହିଥିବା ରେକର୍ଡିଂ ହୋଇଛି।
ସତ ପ୍ରମାଣିତ ହେଲା ଉପାଧ୍ୟକ୍ଷାଙ୍କ କଥା
ଗତ ପ୍ରାୟ ମାସେ ହେଲା ଏହି ବ୍ଲକ୍ରେ ପ୍ରବଳ ପିସି କାରବାର ହେଉଛି ବୋଲି ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦାସ ଅଭିଯୋଗ କରିଆସୁଥିଲେ। ତାଙ୍କ ଅଭିଯୋଗକୁ ନେଇ ବ୍ଲକ୍ରେ ଦୁଇ ଗୋଷ୍ଠୀ( ଅଧ୍ୟକ୍ଷା ବନାମ ଉପାଧ୍ୟକ୍ଷା) ମଧ୍ୟରେ ବାକ୍ଯୁଦ୍ଧ ସୃଷ୍ଟି ହୋଇଥିଲା। ବ୍ଲକ୍ ଅଧ୍ୟକ୍ଷା ଏହାକୁ ମିଛ ବୋଲି କହିଆସୁଥିଲେ ଏବଂ ପ୍ରମାଣିତ ହେଲେ ପଦବିରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଏବେ ଏହା ସତ ପ୍ରମାଣିତ ହୋଇଛି ବୋଲି ଉପାଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି। ଖୁବ୍ ଶୀଘ୍ର ସେ ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ଲକ୍ରେ ଚାଲିଥିବା କଳା କାରବାରର ପର୍ଦ୍ଦାଫାସ କରିବେ ବୋଲି କହିଛନ୍ତି।