ବାଳକାଟି ସାପ୍ତାହିକ ହାଟରେ କରୋନା କଟକଣାକୁ ଫୁ, ରାତି ସାଢ଼େ ୭ଟା ଯାଏ ଚାଲିଲା ହାଟ

ବାଲିଅନ୍ତା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାପ୍ତାହିକ ହାଟ ଓ ବଜାର ସଂଧ୍ୟା ୬ଟା ପୂର୍ବରୁ ବନ୍ଦ କରିବା ନେଇ ସରକାରୀ ନିର୍ଦ୍ଦେଶ ଜାରି ହୋଇଛି। ହେଲେ ପ୍ରଶାସନର ଏଭଳି କଟକଣା ବାଲିଅନ୍ତା ଅଞ୍ଚଳରେ କାର୍ଯ୍ୟକାରୀ ହେଉନଥିବା ଲକ୍ଷ୍ୟ କରାଯାଇଛି। ଗତକାଲି ଅପରାହ୍‌ଣରେ ବିଡିଓ ଆଦିକନ୍ଦ ବେହେରା ଓ ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ ପୁଲିସ ପିସିଆର ଗାଡ଼ି ସାଙ୍ଗରେ ନେଇ ବାଳକାଟି ବଜାରରେ ଦୋକାନକୁ ଦୋକାନ ବୁଲି ଶନିବାର ସଂଧ୍ୟା ୬ଟା ପୂର୍ବରୁ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବଜାରରେ ଥିବା ସମସ୍ତ ଔଷଧ ଦୋକାନ ସହିତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଘୋଷଣା କରାଯାଇଥିଲା। ଏଥିସହିତ ଶନିବାର ବାଳକାଟି ସାପ୍ତାହିକ ହାଟକୁ ବ୍ୟବସାୟ ସଂଧ୍ୟା ୬ଟା ସୁଦ୍ଧା ବନ୍ଦ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଞ୍ଚାୟତ ପ୍ରତିନିଧି ଓ ବାଲିଅନ୍ତା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ବ୍ଲକ ପ୍ରଶାସନର ନିର୍ଦ୍ଦେଶଙ୍କୁ କିଛି ବ୍ୟବସାୟୀ ପୂରା ବେଖାତିର କରି ରାତି ସାଢ଼େ ୭ଟା ପର୍ଯ୍ୟନ୍ତ ବ୍ୟବସାୟ କରିଥିବା ଜଣାପଡ଼ିଛି। ପୂର୍ବ ପାଳି ଅପେକ୍ଷା ହାଟ ଶୀଘ୍ର ଆରମ୍ଭ ହୋଇଯାଇଥିଲା। ସଚେତନ ଲୋକମାନେ ଅପରାହ୍‌ଣ ସୁଦ୍ଧା ହାଟରେ ପହଞ୍ଚି ଆବଶ୍ୟକ ପନିପରିବା କିଣି ନେଇଥିଲେ। ହେଲେ ହାଟ ସରିବା ସମୟ କିନ୍ତୁ ନିର୍ଦ୍ଧାରିତ ସମୟ ଡେଇଁ ଯାଇଥିଲା। ଅନେକ ବ୍ୟବସାୟୀ ସବୁ ପାଳି ଭଳି ପରିବାପତ୍ର ବିକିଥିଲେ। ଆଉ କିଛି ବ୍ୟବସାୟୀ ଆଇନକୁ ସମ୍ମାନ ଜଣାଇ ସଂଧ୍ୟା ୬ଟା ପୂର୍ବରୁ ବ୍ୟବସାୟ ସାରି ଦେଇଥିଲେ। ହେଲେ ବାଲିଅନ୍ତା ପୁଲିସ କି ବ୍ଲକ ପ୍ରଶସନ ପକ୍ଷରୁ ରାତିରେ ଚଢ଼ଉ ହୋଇନଥିଲା।

ସମ୍ବନ୍ଧିତ ଖବର