ବାଲିଅନ୍ତା: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିଛି । ୪୦ ବର୍ଷ ଧରି ଭଡ଼ାରେ ଚାଲିଥିବା ବାଳକାଟି ଫାଣ୍ଡିର ନିଜସ୍ବ ବିଲ୍ଡିଂ ନିର୍ମାଣ ଲାଗି ପ୍ରଶାସନ ସ୍ଥାନୀୟ କଲେଜ ପଡ଼ିଆରେ ୧ ଏକର ପରିମିତ ଜାଗା ଯୋଗାଇ ଦେଇଛି ।
ଅଧିଗୃହୀତ ଜମିର ପଟ୍ଟା ପ୍ରମାଣପତ୍ର ବାଲିଅନ୍ତା ତହସିଲ ପ୍ରଶାସନ ଗୃହ ବିଭାଗକୁ ହସ୍ତାନ୍ତର କରିଛି । ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଅତିରିକ୍ତ ଡିସିପି ଆର କେ ପାଇକରାୟଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହି ଜମିରେ ପୁଲିସ କମିସନରଙ୍କ ଅନୁମୋଦନ କ୍ରମେ ପୁଲିସ ହାଉସିଂ ବୋର୍ଡ଼ରୁ ଟଙ୍କା ମଂଜୁର ଲାଗି ପଠାଯିବ ବୋଲି ସୂଚନା ମିଳିଛି ।
ବଡ଼ କଥା ହେଉଛି, ଅଧିଗୃହୀତ ଜମି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି । ହେଲେ ଏବେ ଉକ୍ତ ଜମିରୁ ଜବରଦଖଲମୁକ୍ତ କରାଯିବା ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଦୀର୍ଘ ବର୍ଷ ହେବ ଅନେକ ଲୋକ ଏଠାରେ କଚ୍ଚା ଘରଦ୍ବାର ନିର୍ମାଣ କରି ରହୁଛନ୍ତି । ସେମାନଙ୍କୁ ବେଦଖଲ କରିବା ପାଇଁ ନୋଟିସ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ୧୯୮୦ ମସିହାରୁ ଭଡ଼ାଘରେ ଚାଲିଥିବା ବାଳକାଟି ଫାଣ୍ଡି ବିଭିନ୍ନ ସମୟରେ ଏକାଧିକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି । ଏବେ ଜାଗେଶ୍ବରୀ ମନ୍ଦିର ନିକଟରେ ଛୋଟ ଝୁମ୍ପୁଡ଼ି ଆଜବେଷ୍ଟସ ଘରେ ଚାଲୁଥିବାରୁ ଅଫିସ କାର୍ଯ୍ୟ ସଂପାଦନରେ ସମସ୍ୟା ଉପୁଜୁଛି ।
ମାଲଖାନା କି ହାଜତ ନାହିଁ । ବର୍ଷାଦିନେ ସମସ୍ୟା ଆହୁରି ସଂଙ୍ଗୀନ ହୋଇପଡ଼ୁଛି । ଫାଣ୍ଡି ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡ଼ି ମାରିବା ପରିସ୍ଥିତି ସୃଷ୍ଟି ହୁଏ । ଘର ଭିତରେ ସାପ ଓ ଗୋଧି ପଶିଯିବା ଫଳରେ ପୁଲିସ କର୍ମଚାରୀ ଆତଙ୍କିତ ଅବସ୍ଥାରେ ଚଳପ୍ରଚଳ କରନ୍ତି । ଏପରିକି ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଉଥିବା ଅଧିକାରୀ କହିଛନ୍ତି । ମଟର ଲଗାଇ ପାଣି ଶୁଖାଯିବା ପରେ ପୁଣି ଫାଣ୍ଡି କାର୍ଯ୍ୟ ଚାଲେ । ବର୍ଷାଦିନ ପୂର୍ବରୁ ଜବରଦଖଲ ଉଚ୍ଛେଦ କରାଇ ବିଲ୍ଠିଂ ନିମାଣ କାର୍ଯ୍ୟ ଶେଷ କରିବା ଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।