ହରିହର ଭେଟରେ ଝଟକିଲା ଅବିର ଇନ୍ଦ୍ରଧନୁ

ବାଳକାଟି ପଞ୍ଚୁଦୋଳ ମେଳଣ ଉଦ୍‌ଯାପିତ

ବାଲିଅନ୍ତା: ଆଜି ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଫଗୁ ଖେଳ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ମେଳଣରେ ଚଳିତ ବର୍ଷ ହରିହର ଭେଟ ବେଶ୍ ଜମିଥିଲା। ହରିହର ଭେଟ ବେଳେ ମେଳଣ ପଡ଼ିଆର ଆକାଶରେ ଅବିର ଇନ୍ଦ୍ରଧନୁ ସୃଷ୍ଟି ହୋଇଥିଲା। କ୍ବିଣ୍ଟାଲ କ୍ବିଣ୍ଟାଲ ଫଗୁ ଉଡ଼ି ମିଶିଯାଇଥିଲା ମେଳଣ ପଡ଼ିଆର ବାୟୁମଣ୍ଡଳରେ। ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମେଳଣ ପଡ଼ିଆକୁ ଆସି ଥାନପତି ସ୍ବପ୍ନେଶ୍ବର ମହାଦେବଙ୍କ ସହ ୫୨ ଅତିଥି ଠାକୁରଙ୍କୁ ଅବିର ଲାଗି କରିବା ସହ ନିଜ ନିଜ ଭିତରେ ଫଗୁ ଖେଳିଥିଲେ।

ସୂଚନାଯୋଗ୍ୟ ଯେ ବାଳକାଟି କଲେଜ ପଡ଼ିଆ ସଂଲଗ୍ନ ମେଳଣ ପଡ଼ିଆରେ ୩ ଦିନ ଧରି ଏହି ପଞ୍ଚୁଦୋଳ ମେଳଣ ଅନୁଷ୍ଠିତ ହୁଏ। ଅବିଭକ୍ତ ପୁରୀ ଜିଲ୍ଲ‌ାରେ ହରିରାଜପୁର ଓ ବଳଙ୍ଗା ପରେ ବାଳକାଟି ପଞ୍ଚୁଦୋଳ ମେଳଣର ପ୍ରସିଦ୍ଧି ରହିଛି। ଏଠାରେ ଫଗୁ ଖେଳ ହେଉଛି ମୁଖ୍ୟ ପରମ୍ପରା। ଜମାଣ ପର୍ବରୁ ଏହି ମେଳଣ ଆକର୍ଷଣୀୟ ହୋଇଥାଏ। ବିଧି ଅନୁସାରେ, ବାଳକାଟି ଅଞ୍ଚଳର ୧୨ ସୁସଜ୍ଜିତ ଦୋଳବିମାନରେ ବିରାଜିତ ଚଳନ୍ତି ପ୍ରତିମାମାନେ ଥାନପତି ସ୍ବପ୍ନେଶ୍ବର ଦେବଙ୍କ ସହିତ ଶୋଭାଯାତ୍ରାରେ ମେଳଣ ପଡ଼ିଆକୁ ଆସନ୍ତି। ଚଳିତ ବର୍ଷ ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ବର ଏବଂ ପିପିଲି ଆଦି ଅଞ୍ଚଳରୁ ୫୨ଟି ଦୋଳ ବିମାନ ଏହି ମେଳଣକୁ ଆସିଥିଲେ। ଆଜି ହରିହର ଭେଟ ଅବସରରେ ବାଜା, ବାଣରେ ମେଳଣ ପଡ଼ିଆ ପ୍ରକମ୍ପିତ ହୋଇ ଉଠିଥିଲା।

ଗୋଟିକ ପରେ ଗୋଟିଏ ଦୋଳବିମାନ ଥାନପତିଙ୍କ ଦୋଳବିମାନ ସହ ଭେଟ ହୋଇ ମେଲାଣି ନେଉଥିଲେ। ଏଣେ ଶ୍ରଦ୍ଧାଳୁମାନେ ଅବିର ଖେଳି ହରିହର ଭେଟ ଦର୍ଶନ କରୁଥିଲେ। ମେଳଣ ଉଦ୍‌ଯାପିତ ହୋଇଯାଇଥିଲେ ବି ପୁଣି କିଛି ଦିନ ପାଇଁ ପଡ଼ିଆରେ ହାଟବଜାର ରହିବ। ହସ୍ତଶିଳ୍ପ ସାମଗ୍ରୀ ଦୋକାନ ସହ ବେତ ଓ ବାଉଁଶ ତିଆରି ଘରକରଣା ସାମଗ୍ରୀ ଦୋକାନ ସବୁ ପ୍ରାୟ ଦୁଇ ସପ୍ତାହ ରହିବ। ସେହିଭଳି ମୀନା ବଜାର ଓ ରାମ ଦୋଳି ବି ଆଉ କିଛି ଦିନ ରହିବ। ମେଳଣକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବାକୁ ଗତ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ସଭାରେ ବ୍ଲକ୍‌ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା, କୁନମୁନ୍‌ ଲେଙ୍କା, ସରପଞ୍ଚ ରୀନା ବେହେରା, ସମିତି ସଭ୍ୟ ଗଙ୍ଗାଧର ମାହାରୀ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ପ୍ରଦୀପ ମହାନ୍ତି, ବେଣୁଧର ଭୋଇ, ନଳିନୀକାନ୍ତ ମହାପାତ୍ର, ସତ୍ୟପ୍ରିୟ ବେହେରା ଓ ପବିତ୍ର ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର