ଉନ୍ମୋଚିତ ହେଲା ‘ବଳାରାମ ଦାସଙ୍କ ଶ୍ରେଷ୍ଠ କାବ୍ୟକୃତି’

ଲୋକଭାଷାକୁ କାବ୍ୟଭାଷା କରିଥିଲେ ବଳରାମ ଦାସ

ଭୁବନେଶ୍ବର: ଲୋକଭାଷାକୁ କାବ୍ୟଭାଷା କରିଥିଲେ ବଳରାମ ଦାସ। କଥିତ ଭାଷାର ଆୟୁଷ ୧୦ବର୍ଷ ହୋଇଥିବା ବେଳେ ଲିଖିତ ଭାଷାର ୧୦୦ବର୍ଷ। ଭକ୍ତିଯୁଗର ଶ୍ରେଷ୍ଠକବି ବଳରାମ ଦାସ ଓଡ଼ିଆଙ୍କର ଏହି ଭାଷାକୁ ରଚନା କରି ଓଡ଼ିଆ ଭାଷାକୁ କାଳଜୟୀ କରିଛନ୍ତି। କିନ୍ତୁ ବିଡ଼ମ୍ବନା ହେଲା ଏବେ ଲୋକମାନଙ୍କ ମଧ୍ୟରେ ମାତୃଭୂମି ଓ ମାତୃଭାଷା ପାଇଁ ଆଗ୍ରହ ଆଉ ନାହିଁ। ଆଜି ‘ସମ୍ବାଦ ଭବନ’‌ରେ ‘ଓଡ଼ିଆ ଲେଖକ ଏକାଡେମି’ ପକ୍ଷରୁ ଲେଖକ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଦ୍ବାରା ସଂପାଦିତ ତଥା ନ୍ୟାସ୍‌ନାଲ୍‌ ବୁକ୍‌ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ‘ବଳରାମ ଦାସଙ୍କ ଶ୍ରେଷ୍ଠ କାବ୍ୟକୃତି’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏ କଥା କହିଛନ୍ତି ପ୍ରଖ୍ୟାତ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ। ନ୍ୟାସ୍‌ନାଲ୍‌ ବୁକ୍‌ ଟ୍ରଷ୍ଟର ଓଡ଼ିଆ ବୋର୍ଡ ସଦସ୍ୟ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁସ୍ତକଟିକୁ ଉନ୍ମାଚନ କରି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବଳରାମ ଦାସଙ୍କ କୃତି ସମ୍ବଳିତ ପୁସ୍ତକଟିର ସମ୍ପାଦନ ନିହାତି ଭାବେ ‌ପ୍ରାସଙ୍ଗିକ ଓ ସ୍ବାଗତଯୋଗ୍ୟ ପଦକ୍ଷେପ। ରାମ କଥାକୁ ଓଡ଼ିଆ‌ ସଂସ୍କୃତି, ଭାବଧାରା ଓ ଜଗନ୍ନାଥଙ୍କ ସହ ଯୋଡ଼ି ସଂକଳିତ ଏହି ପୁସ୍ତକ ଅତ୍ୟନ୍ତ ଯୁଗୋପଯୋଗୀ। ଭାଷାକୁ ବଞ୍ଚାଇବା ପାଇଁ ରାମାୟଣ, ମହାଭାରତ ଓ ଭାଗବତ‌ର ବେଶ୍‌ ଭୂମିକା ରହିଛି। ଭିନ୍ନଭିନ୍ନ ଲୋକ ଭିନ୍ନଭିନ୍ନ ଢଙ୍ଗରେ ରାମଙ୍କୁ ଉପସ୍ଥାପନା କରୁଥିଲେ ମଧ୍ୟ ରାମଙ୍କ ଚରିତ୍ରଟି ସାରା ଭାରତକୁ ଯୋଡ଼ିବାରେ ବେଶ୍‌ ସହାୟକ ହୋଇଛି। ଏହା ହିଁ ବିଭିନ୍ନତା ଭିତରେ ଏକତାର ଶ୍ରେଷ୍ଠ ଉଦାହରଣ। ତେଣୁ ଆମ ପ୍ରାଚୀନ ସାହିତ୍ୟଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଛପା ବହିର ସାହାରା ନ ନେଇ ଆଉ କ’ଣ କଲେ, ଏହାକୁ ଉତ୍ତରପିଢ଼ିଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ପାରିବା, ତାହାର ବିକଳ୍ପ ଚିନ୍ତା କରିବାର ସମୟ ଆସିଛି ।

ପୁସ୍ତକର ଆଲୋଚକ ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ଅଧ୍ୟାପକ ଦେବେନ୍ଦ୍ର କୁମାର ଦାସ କହିଲେ, ପ୍ରାଚୀନ ସାହିତ୍ୟ ଆଲୋଚନା ସମୟରେ ମୁକ୍ତମନ ନେଇ ଆଲୋଚନା କରିବାର ଆବଶ୍ୟକତା ରହିଛି। ସତ୍ୟକୁ ଜାଣିବାକୁ ଚେଷ୍ଟା କରିବା ସହ ସ୍ବୀକାର କରିବାର ଆବଶ୍ୟକତା ରହିଛି। ସେ ଆହୁରି କହିଲେ ଯେ ପ୍ରାଚୀନ ସାହିତ୍ୟକୁ ଲୋକାଭିମୁଖୀ କରିବା ପାଇଁ ଏହାର ଭାଷା ସରଳ ହେବା ଆବଶ୍ୟକ। ବଙ୍ଗଳାର କୃତ୍ତିବା‌ସ ରାମାୟଣ ଭାଷାର ଏଭଳି ସରଳତା ‌େଯାଗୁଁ ବଳରାମ ଦାସଙ୍କ ରାମାୟଣ ଅପେକ୍ଷା ଅଧିକ ଲୋକପ୍ରିୟ ହୋଇପାରିଲା। ତେଣୁ ବଳରାମ ଦାସଙ୍କ ଏହି ରାମାୟଣ ଉପରେ ଆଧାରିତ ଡକ୍ଟର ପଣ୍ଡାଙ୍କ ସଂକଳିତ ଏହି ପୁସ୍ତକରେ ସରଳ ଭାଷା ବ୍ୟବହୃତ ହୋଇଥିବାରୁ ଏହା ପାଠକଙ୍କ ପାଇଁ ଜଟିଳତାକୁ ଦୂର କରିପାରିବ।

ଅନ୍ୟତମ ଆଲୋଚକ ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ହନୁମାନ ସୂର୍ଯ୍ୟଙ୍କୁ ଫଳ ଭାବି ଗିଳି ଦେବା ଭଳି ଉଚ୍ଚକୋଟୀର ପ୍ରାଚୀନ ସାହିତ୍ୟ ଆମ ପାଖରେ ମହଜୁଦ ଥିଲା। ଏହା ସମ୍ମୁଖରେ ହଲିଉଡ୍‌ର ‘ସ୍ପାଇଡର୍‌ ମ୍ୟାନ୍‌’ ଚଳଚ୍ଚିତ୍ରର କାହାଣୀ ଅତି ତୁଚ୍ଛ। କିନ୍ତୁ ଆମ ସାହିତ୍ୟକୁ ଜନାଭିମୁଖୀ କରିବା ପାଇଁ ନା ଆମେ ତା’ ଉପରେ କାହାଣୀ କଲେ ନା ଚଳଚ୍ଚିତ୍ର ନିର୍ମାଣ କଲେ। ଏମିତି ଆମ ପ୍ରାଚୀନ ସାହିତ୍ୟରେ ବହୁତ କଥା ରହିଛି, ଯାହାକୁ ନେଇ ପ୍ରଚାରପ୍ରସାରର ଆବଶ୍ୟକତା ରହିଛି। ବିଶିଷ୍ଟ ଲେଖକ ଦାସ ବେନହୁର ଓ ଗବେଷକ ଅସିତ ମହାନ୍ତି ମହାନ୍ତି ମଧ୍ୟ ପୁସ୍ତକ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ପୁସ୍ତକର ସମ୍ପାଦକ ଓ ସଙ୍କଳକ ପ୍ରଦୀପ୍ତ କୁମାର ପଣ୍ଡା ପୁସ୍ତକ ବିଷୟରେ ସୂଚନା ‌ଦେଇ କହିଲେ, ବଳରାମ ଦାସଙ୍କ ୧୨ଶହ ପୃଷ୍ଠା ସମ୍ବଳିତ ‘ରାମାୟଣ’କୁ ୪୦୦ ପୃଷ୍ଠାରେ ସାରିବାକୁ ମତେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ବଳରାମ ଦାସଙ୍କ କୃତିରେ ତାଙ୍କ ସମ୍ପର୍କିତ କୌଣସି ବିବାଦୀୟ ଗ୍ରନ୍ଥ ନ ନେବାକୁ କୁହାଯାଇଥିଲା। ଏଣୁ ପୁସ୍ତକରେ କେବଳ ବଳରାମ ଦାସଙ୍କ ରାମାୟଣ ଗ୍ରନ୍ଥ ବିଷୟରେ ଅତି ସରଳ ଭାବେ ଲେଖାଯାଇଛି। ଏହି ଅବସରରେ ଶାରଳା ପୁରସ୍କାର ପାଇଁ ମନୋନୀତ ଲେଖକ ପ୍ରଦୀପ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ ଲେଖକ କ୍ଷେତ୍ରବାସୀ ନାୟକ ସ୍ବାଗତ ଭା‌ଷଣ ଓ ଶିବାଶିଷ କର ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ବହୁ ବିଶିଷ୍ଟ ଲେଖକ, ଗବେଷକ ଓ ସାହିତ୍ୟିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର