ହୃଦ୍‌ଘାତରୁ ଯୁବକଙ୍କୁ ବଞ୍ଚାଇ ଦେଲେ ବଳରାମ, ସମ୍ବର୍ଧିତ କଲେ ଏଡିଜି ଓ କମିସନର୍‌

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ହୃଦ୍‌ଘାତର ଶିକାର ହୋଇଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇ ରେଲେଓ୍ଵ କନେଷ୍ଟବଲ ବଳରାମ ସିଂହ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଳରାମଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏବେ ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର କରାଯାଉଥିବା ଦେଖାଯାଇଛି। ଏଭଳି କାର୍ଯ୍ୟ ପାଇଁ ରେଳବାଇ ଅତିରିକ୍ତ ପୁଲିସ ମହାନିର୍ଦେଶକ ପ୍ରଣବିନ୍ଦୁ ଆଚାର୍ଯ୍ୟ ଓ ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ତାଙ୍କୁ ପୁରସ୍କୃତ କରିଛନ୍ତି।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଜଣେ ଯାତ୍ରୀ ଭୁବନେଶ୍ୱର ରେଳଷ୍ଟେସନ୍‌ର ଏକ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କର ଦୃଦ୍‌ଘାତ ହେବାରୁ ସେ ତଳେ ପଡ଼ି ଛଟପଟ ହୋଇଥିଲେ। ଏହା ଦେଖି ସେଠାରେ କାର୍ଯ୍ୟରତ କନ୍‌ଷ୍ଟେବଲ ବଳରାମ ଧାଇଁ ଆସି ଯାତ୍ରୀଜଣକଙ୍କ ଛାତିକୁ ଜୋରରେ ଚିପିଥିଲେ। ଏହା ପରେ ମୁହଁରେ ମୁହଁକୁ ଲଗାଇ ବାୟୁ ଛାଡ଼ିଥିଲେ। ଏଭଳି କିଛି ସମୟ କରିବା ପରେ ଯାତ୍ରୀଜଣକ ସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବଳରାମଙ୍କ ଉପସ୍ଥିତ ବୁଦ୍ଧି ଓ ପ୍ରାଥମିକ ଚିକିତ୍ସା ଫଳରେ ଯାତ୍ରୀଜଣଙ୍କ ନୂଆ ଜୀବନ ପାଇଥିଲେ। ତେବେ ସେହି ସମୟରେ ରେଳଷ୍ଟେସନ୍‌ରେ ଥିବା କିଛି ଯୁବକ ବଳରାମଙ୍କ ଭିଡିଓ ସୁଟିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର