ବଳଦେବ ମହାରଥାଙ୍କୁ ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ

ଚଉଷଠୀ ଯୋଗିନୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ବାଲିଅନ୍ତା: ଜିଲ୍ଲା ପ୍ରଶାସନ ଓ ନୃତ୍ୟ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠୀ ଯୋଗିନୀ ପୀଠରେ ଚାଲିଥିବା ଏକାଦଶ ମହୋତ୍ସବ ଅବସରରେ ଆଜିର ଦ୍ୱିତୀୟ ସଂଧ୍ୟାରେ ବିଶିଷ୍ଟ ଚିତ୍ରକାର ବଳଦେବ ମହାରଥାଙ୍କୁ ଏ ବର୍ଷର ‘ଚଉଷଠୀ ଯୋଗିନୀ ଚିତ୍ରକଳା ’ ସମ୍ମାନରେ ସମ୍ମାନିତ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ପ୍ରବୀର ଚକ୍ରବର୍ତ୍ତୀ ଓ ପ୍ରାକ୍ତନ ମୁଖ୍ୟ ସଚିବ ସହଦେବ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ଉପରୋକ୍ତ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ।

ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଭୁବନେଶ୍ୱର ଶିବାଗ୍ନୀ ଅନୁଷ୍ଠାନ ପକ୍ଷରୁ ୨୦ ମିନିଟ୍‌ ସମୟ ଧରି ସଙ୍ଗୀତ ବିଚିତ୍ରାରେ ‘ମୁଭିଙ୍ଗ୍‌ ଟୁଗେଦର’ ଓ ‘ଜଏ ଅଫ୍‌ ଦି ସାଉଣ୍ଡ’ ପର୍ଯ୍ୟାୟରେ ବିଭିନ୍ନ ବାଦ୍ୟଯନ୍ତ୍ରର ମିଳିତ ମୁର୍ଚ୍ଛନାରେ ମଞ୍ଚ କମ୍ପି ଉଠିଥିଲା। ବେହେଲାରେ ଅଗ୍ନିମିତ୍ର ବେହେରା, ତବଲାରେ ବିଶ୍ୱ ରଂଜନ ନନ୍ଦ, ଢ଼ୋଲକ୍‌ରେ ବୈଭବ ଦାଶ ଓ ବଂଶୀରେ ଶ୍ରୀନିବାସ ଶତପଥୀ ସହଯୋଗ କରିଥିଲେ। ଦ୍ୱିତୀୟ ପ୍ରସ୍ତୁତିରେ ନୋଇଡାସ୍ଥିତ ବୈଶାଳୀ କଳା କେନ୍ଦ୍ରର ଗୁରୁ ଜ୍ୟୋତିଶ୍ରୀବାସ୍ତବ ଓ ଛାତ୍ରୀ ଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟରେ ‘ମହାକାଳୀ ଧ୍ୟାନ’ ଏକକ ନୃତ୍ୟରେ ‘କଲ୍ୟାଣୀ ପଳ୍ଲବୀ’ ଓ ଶେଷରେ ଗୁରୁ ଶ୍ରୀବାସ୍ତବ ଏବଂ ତାଙ୍କର ଛାତ୍ରୀ ଶିଳ୍ପୀମାନେ ଆଉ ଏକ ଦଳଗତ ନୃତ୍ୟ ‘ଚନ୍ଦନ ଚର୍ଚ୍ଚିତ’ ଦର୍ଶକମାନଙ୍କୁ ଭେଟି ଦେଇଥିଲେ। ତୃତୀୟ ପ୍ରସ୍ତୁତିରେ ଆନ୍ଧ୍ରପ୍ରଦେଶର ରାଧାମାଧବ ମ୍ୟୁଜିକ୍‌ ଆଣ୍ଡ ଡ୍ୟାନ୍ସ କଲେଜ୍‌ର ଶେକ୍‌ ଖଲିଲ୍‌ ଓ ଅଧ୍ୟୟନରତ ଛାତ୍ରୀ ଶିଳ୍ପୀମାନେ କୁଚିପୁଡ଼ି ନୃତ୍ୟରେ ‘କଳିଙ୍ଗ ନର୍ତ୍ତନ ତିଲାନା’ ‘ଶଙ୍କର ଶ୍ରୀ ଗିରି ଓ ଗୋବର୍ନ୍ଧନ ଗିରିଧାରୀ’ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରି ଦେଇଥିଲେ। ଶେଷରେ ଗୁରୁ ଜୟଶ୍ରୀ ଧଳଙ୍କ ଗ୍ରୁପ୍‌ ପକ୍ଷରୁ ଲୋକନୃତ୍ୟ କ୍ରମରେ ଉତ୍କଳୀୟ କଳା ଓ ସଂସ୍କୃତି ଆଧାରିତ ଓଡ଼ିଶୀ, ସମ୍ବଲପୁରୀ ଓ ପାଇକ ଆଦି ନୃତ୍ୟର ମିଳିତ ସମାହାର ଉପସ୍ଥିତ ଦର୍ଶକମାନଙ୍କ ବେଶ୍‌ କରତାଳି ସାଉଁଟିଥିଲା। ସେହିପରି ହାସ୍ୟ ଅଭିନେତି ହରିହର ମହାପାତ୍ରଙ୍କ ହାସ୍ୟ ଅଭିନୟ ମଧ୍ୟ ଦର୍ଶକମାନଙ୍କ ମନରେ ପୁଲକ ଭରି ଦେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦିକା ପ୍ରତିଭା ପଣ୍ଡା, ସଭାପତି ଡ. ରଜନୀ ରଂଜନ ଦାଶ ଓ ରୁନା ପଣ୍ଡା ପ୍ରମୁଖଙ୍କ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ମନ୍ତ୍ରୀଙ୍କ ସମର୍ଥକଙ୍କୁ ଅଣ୍ଡା ଭୟ

ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମର୍ଥକ ଗୋଷ୍ଠୀଙ୍କୁ ଏବେ ଘାରିଛି ଅଣ୍ଡା ଭୟ । ଚଉଷଠୀ ଯୋଗିନୀ ମହୋତ୍ସବ ଚାଲିଥିବାବେଳେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦଳର ଏକ ପ୍ରମୁଖ ଅସନ୍ତୁଷ୍ଟ ଗୋଷ୍ଠୀ ମଞ୍ଚ ଉପରକୁ ଅଣ୍ଡାମାଡ଼ କରିବା ପାଇଁ ଚଳାଇଛନ୍ତି ଯୋଜନାବଦ୍ଧ ଷଡ଼ଯନ୍ତ୍ର। ସ୍ଥାନୀୟ ଅଞ୍ଚଳରେ ଏଭଳି ଚର୍ଚା ଏବେ ଜୋର୍‌ ଧରିଛି । ତେଣୁ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀଙ୍କ ସମର୍ଥକ ଗୋଷ୍ଠୀ ପ୍ରସ୍ତୁତ ଥିବା କହି ବୁଲୁଛନ୍ତିି। ଗାଁ ମୁଣ୍ଡରୁ ମହୋତ୍ସବ ମଞ୍ଚ ପର୍ଯ୍ୟନ୍ତ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଐତିହ୍ୟ ପୀଠରେ ଚାଲିଥିବା ଏଭଳି ସାରସତ୍ୱ କାର୍ଯ୍ୟକ୍ରମରେ ଉପରୋକ୍ତ ଦୁଇ ଗୋଷ୍ଠୀର ଏଭଳି ଛକାପଞ୍ଝାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟପକ୍ଷରେ ମହୋତ୍ସବ ସ୍ଥଳ ନିକଟକୁ ବାଇକ୍‌ ନନେଇ ଚାଲିଚାଲି ଯିବାକୁ ପଡ଼ୁଥିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆସୁଥିବା ଶହ ଶହ ଦର୍ଶକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର