ଗରିବ ବାପାଙ୍କ ଶ୍ରମର ମୂଲ୍ୟ ଗ୍ରେଡ୍‌ ଏ-୧, କ୍ୟାପିଟାଲ ହାଇସ୍କୁଲ ଟପର ହେଲେ ବାଲଗୋପାଳ

ଭୁବନେଶ୍ୱର : ବାପା ସାଇକେଲରେ ଦୋକାନ ଦୋକାନ ବୁଲି ପାଉଁରୁଟି ବିକୁଥିଲେ। ବସ୍ତିରେ ମୁଣ୍ଡ ଗୁଞ୍ଜି ବଡ଼ କଷ୍ଟରେ ଚଳୁଥିଲେ ବି ମା’ ଛେଉଣ୍ଡ ମେଧାବୀ ପୁଅର ପାଠପଢ଼ା ପ୍ରତି ଧ୍ୟାନ ଦେଉଥିଲେ। ବହିପତ୍ର ଯୋଗାଇବାଠାରୁ ଆରମ୍ଭ କରି ଟିଉସନ୍‌ ଦେବା ପର୍ଯ୍ୟନ୍ତ ସବୁଥିରେ ବାପା ମରି ପଡ଼ି ସହଯୋଗ କରିଥିଲେ। ପୁଅ ବି ବାପାଙ୍କ କଷ୍ଟକୁ ଅନୁଭବ କରି ପାଠପଢ଼ାରେ ଲାଗି ପଡ଼ିଥିଲେ। ଶେଷରେ ଉଭୟ ବାପା-ପୁଅଙ୍କ ସ୍ବପ୍ନ ସାକାର ହୋଇଛି। ପୁଅ ୯୧ପ୍ରତିଶତ ମାର୍କ ରଖି କ୍ୟାପିଟାଲ ହାଇସ୍କୁଲ ଟପର୍‌ ହୋଇଛି।

ନୂଆପଲ୍ଲୀ ବେହେରା ସାହିରେ ରହୁଥିବା ଭଦ୍ରକର ବିଷ୍ଣୁଚନ୍ଦ୍ର ପଣ୍ଡାଙ୍କ ପୁଅ ବାଲଗୋପାଳଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟଠାରୁ ଆରମ୍ଭ କରି ନୂଆପଲ୍ଲୀ ବେହେରା ସାହି ପର୍ଯ୍ୟନ୍ତ ସବୁଠାରୁ ମିଳୁଛି ଅଜସ୍ର ଶୁଭେଚ୍ଛା ଓ ପ୍ରଶଂସା। ମାତ୍ର ୧୦ ବର୍ଷ ବୟସ ଓ ୫ମ ଶ୍ରେଣୀରେ ପଢ଼ୁଥିବା ବେଳେ ମା’କୁ ହରାଇଥିଲେ ବାଲଗୋପାଳ। କିନ୍ତୁ ଧୈର୍ଯ୍ୟ ହରାଇ ନଥିଲେ ବାପା ବିଷ୍ଣୁଚନ୍ଦ୍ର। ମା’ ଛେଉଣ୍ଡ ପୁଅକୁ ପଢ଼ାଇ ମଣିଷ କରିବାକୁ ସେ ଅଣ୍ଟା ଭିଡ଼ିଥିଲେ। ଖରାତରାରେ ସାଇକେଲ‌ରେ ବାର ଦୋକାନ ବୁଲି ସେ ପାଉଁରୁଟି ସପ୍ଲାଏ କରୁଥିଲେ। ଦିନଯାକର ହାଡ଼ଭଙ୍ଗା ପରିଶ୍ରମ ପରେ ପୁଅର ପାଠପଢ଼ା ତଦାରଖ କରୁଥିଲେ। ବାଲଗୋପାଳ ମଧ୍ୟ ବାପାଙ୍କ ସ୍ବପ୍ନକୁ ସାକାର କରିବାକୁ ଲାଗି ପଡ଼ିଥିଲେ। ଆଜି ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବିଷ୍ଣୁଚନ୍ଦ୍ରଙ୍କ ଆଖିରୁ ଝରି ପଡ଼ିଥିଲା ଆନନ୍ଦାଶ୍ରୁ। ଆଗକୁ ଆହୁରି ଅଧିକ ପରିଶ୍ରମ କରି ଭଲ ପାଠ ପଢ଼ିବି ଏବଂ ବାପାଙ୍କ ପ୍ରତିଟି ବୁନ୍ଦା ଝାଳର ମୂଲ୍ୟକୁ ପାଠପଢ଼ାରେ ଦେଖାଇବି ବୋଲି କହିଛନ୍ତି ବାଲଗୋପାଳ।

ସମ୍ବନ୍ଧିତ ଖବର