ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନମଣ୍ଡଳୀର ବାଲିପାଟଣା ବ୍ଲକ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାର ଏକ ନମ୍ବର ସ୍ଥାନ ହାସଲ କରିଥିଲା। କିନ୍ତୁ ଦୀର୍ଘ ଦିନ ହେବ ରାଜନୈତିକ କନ୍ଦଳ କିମ୍ବା ପ୍ରାଶାସନିକ ଅବହେଳା ଯୋଗୁଁ ଏକରକମ ସ୍ଥାଣୁ ପାଲଟିଛି। ସରକାରଙ୍କ ନିୟମ, ୨ ମାସରେ ପଞ୍ଚାୟତ ସମିତି ବୈଠକ ବସିବା କଥା। କିନ୍ତୁ ଦୀର୍ଘ ୧୭ ମାସ ହେଲା ବୈଠକ ବସି ନାହିଁ। ଉକ୍ତ ବୈଠକରେ ପଞ୍ଚାୟତଗୁଡ଼ିକରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟର ଚିଠା ପ୍ରସ୍ତୁତ ସହିତ ସବୁ ବିଭାଗର କାର୍ଯ୍ୟ ତଦାରଖ କରାଯାଇଥାଏ। ସରକାରଙ୍କ ତରଫରୁ ପଞ୍ଚାୟତଗୁଡ଼ିକୁ ଆଗ୍ରାଧିକାର ଦିଆଯାଉଥିବା ବେଳେ ବାଲିପାଟଣା ବ୍ଲକ ପ୍ରଶାସନ ସମିତି ବୈଠକ ନ କରିବା ଚିନ୍ତାର କାରଣ ପାଲଟିଛି। ଫନି ବାତ୍ୟାରେ ବ୍ଲକର ୧୭ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସରକାରଙ୍କୁ ସମ୍ପୂର୍ଣ୍ଣ ଚିଠା ଦେବାରେ ବ୍ଲକ ପ୍ରଶାସନ ବିଫଳ ହୋଇଛି। କେତୋଟି ପଞ୍ଚାୟତରେ ଆର୍‌ଆଇଙ୍କ ଦ୍ୱାରା ତଦନ୍ତ ସରି ନଥିବାରୁ ଚିଠା ଦିଆ ଯାଇପାରୁନାହିଁ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। ଜିପିଓ ରଞ୍ଜନ ସ୍ୱାଇଁଙ୍କ କହିବା ଅନୁସାରେ, ଦୀର୍ଘ ୧୭ ମାସ ହେବ ସମତି ବୈଠକ ହୋଇନାହିଁ। ବର୍ତ୍ତମାନ ବିଧାନସଭା ଚାଲୁଥିବାରୁ ବୈଠକ ହୋଇପାରୁନି। ଖୁବ୍‌ଶୀଘ୍ର ବୈଠକ କରାଯିବାକୁ ସ୍ଥିର କରାଯାଇଛି। ଘରଭଙ୍ଗା ଅର୍ଥ ଆଦାୟ ଅଭିଯୋଗ ଆସିବା ପରେ ଜନସାଧାରଣଙ୍କୁ ଲାଞ୍ଚ ନଦେବାକୁ ସଚେତନ କରାଯାଇଛି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟାରେ ପ୍ରଭାବିତ ହିତାଧିକାରୀମାନେ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କୁ ଏଯାବତ୍ କୌଣସି ସରକାରୀ ସାହାଯ୍ୟ ମିଳିପାରି ନାହିଁ।

ସ୍ଥା

Advertisment

ଘରଭଙ୍ଗା କ୍ଷୟକ୍ଷତି ରିପୋର୍ଟରେ ଅନିୟମିତତା
ଅନ୍ୟପକ୍ଷରେ ଘରଭଙ୍ଗା କ୍ଷୟକ୍ଷତି ରିପୋର୍ଟରେ ବ୍ୟାପକ ଅନିୟମିତତା ଘଟିଥିବା ନଜରକୁ ଆସିଛି। ଘର ଭଙ୍ଗା ଏବଂ ନୂତନ ଘର ପାଇବାକୁ ଥିବା ହିତାଧିକାରୀଙ୍କଠାରୁ ହଜାର ହଜାର ଟଙ୍କା ହାତଗୁଞ୍ଜା ଦିଆଯାଉଥିବା ପ୍ରଶାସନ ନଜରକୁ ଆସିଛି। ନିଜ ମୁଣ୍ଡରୁ ଦୋଷ ଓହ୍ଲାଇବାକୁ ଯାଇ ଲାଞ୍ଚ ନଦେବାକୁ ପ୍ରଚାର ଗାଡ଼ି ମାଧ୍ୟମରେ ପ୍ରଚାର କରି ଚୁପ୍ ବସିଛି ବ୍ଲକ ପ୍ରଶାସନ। ଅନେକ ପଞ୍ଚାୟତର ରାଜନେତାମାନେ ତାଙ୍କ ସମର୍ଥକଙ୍କ ଛାତଘର ଏବଂ ଜମି ଥାଇ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ଘରଭଙ୍ଗା ତାଲିକାଭୁକ୍ତ କରିଛନ୍ତି। ଏଭଳି କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି। କେତୋଟି ପଞ୍ଚାୟତରେ ସରପଞ୍ଚମାନେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଜଣେ ଆର୍‌ଆଇ କହିଛନ୍ତି। ବିଶେଷକରି ପମ୍ପାଲୋ ପଞ୍ଚାୟତରେ ଘରଭଙ୍ଗା, କୃଷି, ଉଦ୍ୟାନ ବିଭାଗର ଚିଠାରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ହେଉଛି।

କର୍ମଚାରୀଙ୍କ ଦର୍ଶନ ମିଳୁନି
ଦିନ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଚାଲିବା ପାଇଁ ସରକାରଙ୍କ ତରଫରୁ ହୋଇଥିବା ନିର୍ଦ୍ଦେଶକୁ ଫୁ କରିଦେଇଛି ବାଲିପାଟଣା ବ୍ଲକ ପ୍ରଶାସନ। କାଁ ଭାଁ କେତେଜଣ ହାତଗଣତି କର୍ମଚାରୀଙ୍କୁ ଛାଡ଼ିଦେଲେ ବହୁ ବିଭାଗର କର୍ମଚାରୀଙ୍କ ଦର୍ଶନ ମିଳୁନି। କ୍ଷେତ୍ର ପରିଦର୍ଶନ ଆଳରେ ସେମାନେ ଅନୁପସ୍ଥିତ ରହୁଛନ୍ତି। ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଥିବା ନୂତନ କୋଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲିଥିଲେ ମଧ୍ୟ ଦିନ ୧୦ ପରେ ଚୌକି ଖାଲି ପଡ଼ିଥିବା ଦେଖିବାକୁ ମୁଳୁଛି। କିଛି ଦିନ ତଳେ ନବନିର୍ବାଚିତ ଜୟଦେବ ବିଧାୟକ ଅରବିନ୍ଦ ଢାଲି ବ୍ଲକ ପରିଦର୍ଶନରେ ଆସି ସବୁ ବିଭାଗର ଅଧିକାରୀଙ୍କ ସହିତ ବୈଠକ କରି ତୁରନ୍ତ ସରକାରଙ୍କୁ କ୍ଷୟକ୍ଷତି ଚିଠା ପ୍ରଦାନ ଏବଂ ପଞ୍ଚାୟତ ସମିତି ବୈଠକ ପାଇଁ ତାଗିଦ୍ କରିଥିଲେ ମଧ୍ୟ ବିଧାୟକଙ୍କ କଥାକୁ ସମ୍ପୂର୍ଣ୍ଣ ଅଣଦେଖା କରିଛି ବ୍ଲକ ପ୍ରଶାସନ। ବିଧାୟକ, ଜିଲ୍ଲାପାଳଙ୍କ କଥା ଯେତେବେଳେ ବ୍ଲକ ପ୍ରଶାସନ ବେଖାତିର୍‌ କରୁଛି, ସାଧାରଣ ଜନତାଙ୍କୁ କେଉଁ ପ୍ରକାର ନ୍ୟାୟ ମିଳିବ, ସେ ନେଇ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି।