ଭୁବନେଶ୍ୱର: ଇତିହାସରେ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ନୌବାଣିଜ୍ୟ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି। ପୂର୍ବରୁ ଓଡ଼ିଆ ସାଧବ ପୁଅମାନେ ବୋଇତରେ ଇଣ୍ଡୋନେସିଆ ଯାଇ ସେଠାରେ ବାଣିଜ୍ୟ କରୁଥିଲେ। ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ପାରାଦୀପରୁ ଇଣ୍ଡୋନେସିଆର ବାଲି ପର୍ଯ୍ୟନ୍ତ ଏକ ପାଲଟଣା ବୋ‍ଇତର ଯାତ୍ରା ଆୟୋଜନ କରିଥିଲେ। ସେହି ବୋଇତରେ ଦୀର୍ଘ ୮୦ ଦିନ ଧରି ପାରାଦୀପରୁ ସୁଦୂର ବାଲି ପର୍ଯ୍ୟନ୍ତ ଯାତ୍ରା କରିଥିବା ୫ ଜଣ ପୁରୁଷ ଓ ମହିଳାଙ୍କ ଭିତରେ ଥିଲେ ନିବେଦିତା ଆଚାର୍ଯ୍ୟ। ନିବେଦିତା ପରେ ବିଜୁ ପଟ୍ଟନାୟକଙ୍କ ଠାରୁ ‘କଳିଙ୍ଗ କନ୍ୟା’ ସମ୍ମାନ ପାଇଥିଲେ। ବର୍ତ୍ତମାନ ସେ କ୍ରୀଡ଼ା ଓ ଯୁବସେବା ବିଭାଗରେ ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ତାଙ୍କର ରୋମାଞ୍ଚକର ଯାତ୍ରାର ସ୍ମୃତିଚାରଣ କରିଛନ୍ତି।  

Advertisment

ନିବେଦିତାଙ୍କୁ ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ସେହି ସମୟରେ ତାଙ୍କ ମା’ ସ୍ୱର୍ଣ୍ଣରେଖା ଆଚାର୍ଯ୍ୟ ଖବରକାଗଜରୁ ଜାଣିବାକୁ ପାଇଥିଲେ ଯେ ରାଜ୍ୟ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ନୌବାଣିଜ୍ୟ ଇତିହାସକୁ ସ୍ମରଣ କରିବା ପାଇଁ ଏକ ଯାତ୍ରା ଆୟୋଜିତ ହୋଇଛି। ସେଥିପାଇଁ ପ୍ରାର୍ଥୀ ଚୟନ କରିବାଲାଗି ଏକ ପ୍ରତିଯୋଗିତା ହେଉଛି। ‌ସେ ପ୍ରତିଯୋଗିତାରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଖେଳାଳୀ ତଥା ବହୁ ସରକାରୀ ଓ ବେସରକାରୀ ଅଧିକାରୀ ଭାଗ ନେଇଥିଲେ। ସେତେବେଳେ ଆଇଏନ୍‌ଏସ୍‌ ଚିଲିକାର ଦାୟିତ୍ୱରେ ଥିଲେ କ୍ୟାପଟେନ୍‌ କେତନ ପଣ୍ଡା। ପ୍ରଥମେ ଏକ ଲିଖିତ ଓ  ମୌଖିକ ପରୀକ୍ଷା ହୋଇଥିଲା। ସେଥିରେ ମନୋନୀତ ୧୧ ଜଣ ପିଲାଙ୍କୁ ନେଇ ଆଇଏନ୍‌ଏସ୍‌ ଚିଲିକାରେ ସନ୍ତରଣ, ସ୍କୁବା ଡାଇଭିଂ ଓ ଦୌଡ଼ ପ୍ରତିଯୋଗିତା ହୋଇଥିଲା। ସେମାନଙ୍କୁ ଭିତରୁ ୫ଜଣଙ୍କୁ ମନୋନୀତ କରି କୋଚିନ୍‌ ନାଭାଲ୍‌ ବେସ୍‌ଠାରେ ଏକ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯାଇଥିଲା। ତା’ଭିତରେ ଥିଲେ ଜଣେ ପ୍ରଶାସନିକ ଅଧିକାରୀ, ସନ୍ତରଣ କୋଚ୍‌ ଓ ଅଫିସର। ଅଫିସରଙ୍କ ମଧ୍ୟରେ ଏକମାତ୍ର ଜଣେ ମହିଳା ଭାବେ ନିବେଦିତା ଯାତ୍ରା ପାଇଁ ଯୋଗ୍ୟବିବେଚିତ ହୋଇଥିଲେ। କୋଚିନ୍‌ ନାଭାଲ୍‌ ବେସ୍‌ରେ ତା’ପରେ କଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ତାହାକୁ ମନେପକାଇ ନିବେଦିତା କହନ୍ତି, ‘‘ଆମକୁ ସେଠାରେ ଦିନରାତି ପ୍ରଶିକ୍ଷଣ ଦିଆଯାଉଥିଲା। ସମୁଦ୍ର ଭିତରେ କିଭଳି ପାଲ ସିଲେଇ କରାଯିବ, ସେଥିରୁ ଆରମ୍ଭ କରି ମାରଣାସ୍ତ୍ର ଚାଳନା ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।’’ 
୧୯୯୨ ୧୦ ନଭେମ୍ୱର ତାରିଖରେ ପାଲଟଣା ‘ଆଇଏନ୍‌ଏସ୍‌ଭି ସମୁଦ୍ର’ ପାରାଦୀପରୁ ଯାତ୍ରା ଆରମ୍ଭ କରିଥିଲା। ସେ ବୋଇତର ଲମ୍ୱ ୧୧ ମିଟର ଓ ଓଜନ ୮ ଟନ୍‌ ଥିଲା। ନିବେଦିତା ଯାତ୍ରା ଆରମ୍ଭରେ ନିଜ ପରିବାର ଲୋକଙ୍କୁ କହିଥିଲେ, ‘‘ମୋ ପାଇଁ ଏହା ଶେଷଯାତ୍ରା ବି ହୋଇପାରେ।’’ ତେବେ ତାଙ୍କ ଭିତରେ ଗଭୀର ଆତ୍ମବିଶ୍ବାସ ମଧ୍ୟ ଭରପୂର ଥିଲା। ସେ କହନ୍ତି, ‘‘ସେହି ସମୟରେ ମୋର ଗୋଟିଏ ଆତ୍ମବିଶ୍ୱାସ ଥିଲା ଯେ ଏହି ଯାତ୍ରା ମାଧ୍ୟମରେ ମୁଁ ମହିଳାମାନଙ୍କର ତଥା ରାଜ୍ୟ ଓ ଦେଶର ଗୌରବମୟ ଇତିହାସକୁ ପ୍ରତିନିଧିତ୍ୱ କରୁଛି।’’ 

ଯାତ୍ରାରେ ସେମାନଙ୍କୁ ଦିନକୁ ପାନୀୟ ଜଳ ବ୍ୟତୀତ ମାତ୍ର ଏକ ଗ୍ଲାସ ସ୍ୱଚ୍ଛପାଣି ମିଳୁଥିଲା। ଏହାଠାରୁ ଅଧିକ ବ୍ୟବହାର କରିବାକୁ ଚାହିଲେ ସମୁଦ୍ର ଜଳ ବ୍ୟବହାର କରିବାକୁ ପଡୁଥିଲା। ସେହି ସମୟରେ ଯୋଗୋଯୋଗ ପାଇଁ ଏକ ହ୍ୟାଣ୍ଡ୍‌ ରେଡିଓ ଥିଲା। ବୋଟ୍‌ର ଦୋଳାୟମାନ ଗତି ପାଇଁ ଆମକୁ ଏକ ଝୁଲା ଗ୍ୟାସଚୁଲିରେ ରୋଷେଇ କରିବାକୁ ପଡ଼ୁଥିଲା। ପାରାଦୀପ ଛାଡ଼ିବାପରେ ଗୋପାଳପୁର, ଭାଇଜାକ, ମାଡ୍ରାସ ଏବଂ ଆଣ୍ଡାମାନ ନିକୋବର, ଜାଭା ଓ ସୁମାତ୍ରା ଆଦି ସ୍ଥାନରେ ଅଟକି ପାଣି ଭର୍ତ୍ତି କରିବା ସହିତ ବୋଟ୍‌ ସଫା କରିବା ତଥା ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପଡ଼ୁଥିଲା।  ନିକୋବରରୁ ଯେତେବେଳେ ଆମେ ସୁମାତ୍ରା ଅଭିମୁଖେ ଯାତ୍ରା କରୁଥିଲୁ, ସେହି ସମୟରେ ଏକ ସମୁଦ୍ରରେ ଏକ ଝଡ଼ ଆସିଥିଲା। ସେତେବେଳେ ସମୁଦ୍ର ଦୁଇଫାଳ ହୋଇଗଲା ଭଳି ବୋଧ ହେଉଥିଲା।’’
ତେବେ ବହୁ ବାଧାବିଘ୍ନ ଭିତରେ ସମୁଦ୍ରବକ୍ଷରେ ୮୦ଦିନର ଦୁଃସାହସିକ ଯାତ୍ରା ପରେ ‘ଆଇଏନ୍‌ଏସ୍‌ଭି ସମୁଦ୍ର’ ଜାକାର୍ତ୍ତା, ବୋର୍ଣ୍ଣିଓ, ବାଲିପାଦଙ୍ଗ ପରେ ଶେଷରେ ବାଲି ରେ ୧୯୯୩ ଜାନୁଆରି ୩୧ ତାରିଖରେ ପହଞ୍ଚିଥିଲା।