କଟକ: କଟକର ଐତିହାସିକ ବାଲିଯାତ୍ରା ଯେଉଁ ବିସ୍ତାର ରୂପ ନେଇଛି ତାହାର ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ। ଏହାକୁ ରାଜ୍ୟ ଉତ୍ସବର ମାନ୍ୟତା ନବୀନ ସରକାର ଦେଇଥିଲା। ନୂଆ ସରକାର ବାଲିଯାତ୍ରାକୁ ଜାତୀୟ ତଥା ଅନ୍ତର୍ଜାତୀୟ ମାନ୍ୟତା ପାଇଁ ପ୍ରୟାସ କରନ୍ତୁ। ଏ ପ୍ରସଙ୍ଗ ମୁ ରାଜ୍ୟସଭାରେ ଉତ୍ଥାପନ କରିବି ବୋଲି ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ। ବାଲିଯାତ୍ରାର ଦ୍ବିତୀୟ ଦିନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ମହାନଦୀରେ ଲେଜର ସୋ’ ଜରିଆରେ ପ୍ରଦର୍ଶିତ କଟକର ଇତିହାସ ଆକର୍ଷଣୀୟ ହୋଇଛି।
କଟକ-ଇନ୍-କଟକ ପରିସରରେ ଓଡ଼ିଆ ସିନେମା ସୋ, ଅକ୍ଷୟ ମହାନ୍ତି ମଞ୍ଚରେ ନୌସେନା ବ୍ୟାଣ୍ଡ୍ ମଧ୍ୟ ଆକର୍ଷଣ ସାଜିଛି। ସାଂସ୍କୃତିକ କାର୍ଯ୍ୟକ୍ରକରେ ଥାଇଲାଣ୍ଡର ଶିଳ୍ପୀଙ୍କନୃତ୍ୟ, ଆସାମର ବିହୁ, କଣ୍ଠଶିଳ୍ପୀ ତାନସେନ୍ ସିଂହଙ୍କ ପରିବେଷଣକୁ ଦର୍ଶକ ଉପଭୋଗ କରିଥିଲେ। ୧୦ଟା ୫ରେ କାର୍ଯ୍ୟକ୍ରମକୁ ପୁଲିସ ବନ୍ଦ କରିଦେବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ରବିବାର ବାଲିଯାତ୍ରା ତଳ ପଡ଼ିଆର ଅକ୍ଷୟ ମହାନ୍ତି ମଞ୍ଚରେ ସନ୍ଧ୍ୟା ୭ଟାରେ ମଞ୍ଚସ୍ଥ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ପ୍ରଥମ ଥର ପାଇଁ ଏହି ନାଟକ କଟକ ମାଟିରେ ପ୍ରଦର୍ଶିତ ହେବ। ଜଗନ୍ନାଥ ସଂସ୍କୃତି ଓ ଐତିହାସିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ ଏହି ନାଟକ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଂଶସା ସାଉଁଟିଛି। ଚଳିତ ବର୍ଷ ବାଲିଯାତ୍ରାର ଏହା ମୁଖ୍ୟ ଆକର୍ଷଣ ହେବ।