ନନ୍ଦନକାନନରେ ପହଞ୍ଚିଲେ ବଳିଆ କୁକୁର, ଆସାମୀ ମାଙ୍କଡ଼ ଓ ହିମାଳୟ କଳାଭାଲୁ

ବାରଙ୍ଗ: ମିଜୋରାମ୍‌ର ଆଇଜଲ୍‌ ଚିଡ଼ିଆଖାନାରୁ ଆଜି ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ହଳେ ବଳିଆ କୁକୁର, ଆସାମୀ ମାଙ୍କଡ଼ ଓ କଳା ରଙ୍ଗର ଅଣ୍ଡିରା ହିମାଳୟ ଭାଲୁ। ଗତ ୯ ତାରିଖରେ ନନ୍ଦନକାନନ ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଡ. ସୁଜାତା ମହାପାତ୍ର, ମିଲନ ପଣ୍ଡା, ଫରେଷ୍ଟ ଗାର୍ଡ ସୁଶାନ୍ତ ବେହେରା, ପଠାଣି ଜେନା,ପ୍ରଫୁଲ୍ଲ ବାଗ୍‌ ମିଜୋରାମ ଗସ୍ତ କରିଥିଲେ। ସେମାନେ ସେଠାରୁ ସ୍ୱତନ୍ତ୍ର ପେଟିରେ ଜୀବମାନଙ୍କୁ ଏକ ଗାଡ଼ିରେ ଲଦି ନନ୍ଦନକାନନରେ ପହଞ୍ଚିଛନ୍ତି। ଆସିଥିବା ଜୀବମାନଙ୍କୁ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟର କ୍ୱାରେନ୍‌ଟାଇନ୍‌ରେ ରଖାଯାଇଛି। ନନ୍ଦନକାନନକୁ ପ୍ରଥମ କରି ବଳିଆ କୁକୁର ଆସୁଥିବା ବେଳେ ଦୀର୍ଘ ବର୍ଷ ତଳେ ଲୋପ ପାଇଥିବା ଆସାମୀ ମାଙ୍କଡ଼ଙ୍କୁ ପୁଣି ଥରେ ଆଣାଯାଇ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ କର୍ତୃପକ୍ଷ ପ୍ରୟାସ କରିଛନ୍ତି। ସେହିପରି ହିମାଳୟ କଳା ଭାଲୁଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଗୋଟିଏ ଅଣ୍ଡିରା ଭାଲୁକୁ ଅଣାଯାଇଥିବା ନନ୍ଦନକାନନ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର