ବାଲିଅନ୍ତାରେ ଅଢ଼େଇ କୋଟି ଟଙ୍କାର, ସ୍କୁଲ୍‌ ସମ୍ପତ୍ତି ନଷ୍ଟ

ଜୁନ ୧୮ ପୂର୍ବରୁ ମରାମତି କାର୍ଯ୍ୟ ସରିବ ତ?, ଏବେ ବି ସୁଦ୍ଧା ସ୍କୁଲ ହତା ଭିତରେ ପଡ଼ି ରହିଛି ଭଙ୍ଗା ଗଛ, ଡାଳ ଓ ଗଣ୍ଡି

ବାଲିଅନ୍ତା: ବାତ୍ୟା ‘ଫନି’ ପ୍ରଭାବରେ ବାଲିଅନ୍ତା ବ୍ଲକରେ ଅଢ଼େଇ କୋଟିରୁ ଊର୍ଧ୍ବ ଟଙ୍କାର ସ୍କୁଲ ସମ୍ପତ୍ତି ନଷ୍ଟ ହୋଇଯାଇଛି। କେଉଁ ସ୍କୁଲ ଉପରୁ ଆଜବେଷ୍ଟସ ଉଡ଼ି ଯାଇଛି ତ ଆଉ କହାର ଚାରିପାର୍ଶ୍ବର କାନ୍ଥ ମାଟିରେ ମିଶି ଯାଇଛି। ଆଉ କେଉଁଠି ମୁଖ୍ୟ ଗେଟ୍‌ ଭାଙ୍ଗି ଯାଇଛି। ଶ୍ରେଣୀ ଗୃହ ଉପରେ ପଡ଼ିଥିବା କାଠ ଶେଣୀ ଓ ଧାରଣା ସହ ଚଉକାଠରୁ ଝରକା, କବାଟ ଭାଙ୍ଗି ଛିନଛତର ହୋଇଯାଇଛି। ରୋଷେଇ ଘର, ପାଇଖାନା ଓ ପରିସ୍ରାଗାର ଘର ଭିତରେ ପଥର, ଇଟା ଓ କଙ୍କ୍ରିଟ ଗଦାରେ ଭର୍ତି ହୋଇଯାଇଛି। ସ୍କୁଲ ଭିତରେ ଥିବା ଆସବାବପତ୍ର ସମେତ ବିଭିନ୍ନ ଦରକାରୀ ସାମଗ୍ରୀ ଓ ରନ୍ଧନ ସରଞ୍ଜାମ ମଧ୍ୟ ନଷ୍ଟ ହୋଇଯାଇଛି। ବାତ୍ୟାକୁ ୧୩ ଦିନ ବିତି ଯାଇଥିଲେ ହେଁ ସାମଗ୍ରିକ ଭାବେ ସ୍କୁଲ ପରିବେଶ ଓ ପରିସର ସବୁ କିଛି ଅସଜଡ଼ା ହୋଇ ପଡ଼ିରହିଛି। କିନ୍ତୁ ହତା ଭିତରୁ ଗଛ ଡାଳ, ପତ୍ର ଭଳି ସବୁଜ ଆବର୍ଜନାଗୁଡ଼ିକ ସଫା କରିବା ନେଇ ନା ବିଭାଗୀୟ କର୍ତୃପକ୍ଷ ନା ଶିକ୍ଷକ/ଶିକ୍ଷୟିତ୍ରୀ ଦୃଷ୍ଟି ଦେଉଛନ୍ତି। ଅଭିଭାବକ ଓ ଗ୍ରାମ୍ୟ ଶିକ୍ଷା କମିଟି ମଧ୍ୟ ପୂରା ବେଫିକର। ବାତ୍ୟା ପରେ ଲକ୍ଷାଧିକ ଗଛ ଭାଙ୍ଗି ଯାଇଥିବାରୁ ଗଛ କଟାଳି ଓ ଶ୍ରମିକ ମିଳୁନଥିବା କହି ଅଧିକାରୀମହଲ ଶିକ୍ଷକମାନଙ୍କ ଅବହେଳା ଦର୍ଶାଇ ନିଜ ଉପରୁ ଦୋଷ ଖସାଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆସନ୍ତା ଜୁନ୍‌ ୧୮ ତାରିଖରେ ସ୍କୁଲ ଖୋଲିବା ପୂର୍ବରୁ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ କି ନାହିଁ, ସନ୍ଦେହ ପ୍ରକାଶ ପାଇଛି। ଶ୍ରେଣୀଗୃହ ଭାଙ୍ଗି ଯାଇଥିବା କାରଣରୁ ପିଲାଙ୍କ ବସିବାରେ ସମସ୍ୟା ସୃଷ୍ଟି ହେବା ସହ ପାଠପଢ଼ା ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷେ ବର୍ଷା ଦିନ ଆସିଯିବା କାରଣରୁ ପରିସ୍ଥିତି ଜଟିଳ ହେବ। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୮୦୦୦ ପିଲାଙ୍କ ମଧ୍ୟାହ୍ନ ଭୋଜନ ରନ୍ଧା କାର୍ଯ୍ୟରେ ମଧ୍ୟ ଅନୁରୂପ ଭାବେ ସମସ୍ୟା ସୃଷ୍ଟି ହେବ।

ବାଲିଅନ୍ତା ବ୍ଲକରେ ଥିବା ମୋଟ ୧୨୫ଟି ସ୍କୁଲରେ ଅଢ଼େଇ କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ନେଇ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆକଳନ ହୋଇଛି। କ୍ଷୟକ୍ଷତି ବ୍ୟୟ ଅଟକଳ ସଂପର୍କିତ ପ୍ରସ୍ତୁତ ତାଲିକା ଖୋର୍ଧା ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ହେଲେ ଟଙ୍କା କେବେ ଆସିବ ଓ ସ୍କୁଲ ଭିତ୍ତିଭୂମି କାର୍ଯ୍ୟର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇ ଶିକ୍ଷାଦାନ ବ୍ୟବସ୍ଥା ପୂର୍ବଭଳି ଚାଲିବ, ସେ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସେମାନଙ୍କ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।

ଏ ସଂପର୍କରେ ବିଇଓ ସ୍ନିଗ୍ଧା ମିଶ୍ରଙ୍କୁ ପଚାରିବାରେ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ମଂଜୁର ହେଲେ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି କହିଛନ୍ତି। ଏବିଇଓ ଏକାଦଶୀ ପାଇକରାୟଙ୍କ ସୂଚନା ମୁତାବକ, ବିଭିନ୍ନ ପଞ୍ଚାୟତରେ ଥିବା ୧୦୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଓ ୧୭ଟି ହାଇସ୍କୁଲ ମଧ୍ୟରୁ ୮୨ଟି ସ୍କୁଲ ବାତ୍ୟାରେ କମ୍‌ କ୍ଷୟକ୍ଷତି ହୋଇଥିବା ବେଳେ ବାକି ୪୩ଟି ସ୍କୁଲ ଅଧିକ କ୍ଷତି ଘଟିଛି। ସେହିପରି ୫୮ଟି ସ୍କୁଲର ପାଇଖାନା ଓ ୩୫ଟି ରୋଷେଇ ଘର କ୍ଷତିଗ୍ରସ୍ତ ହୋଇଛି। ଏହାର ପାଣିଟାଙ୍କି, ଘରର ଛାତ ଓ କବାଟ ଭାଙ୍ଗି ପଡ଼ିଛି।

ସମ୍ବନ୍ଧିତ ଖବର