ବାଲିଅନ୍ତା : ବେଣ୍ଟପୁର ଜଳ‌ସେଚନ କାର୍ଯ୍ୟାଳୟ ଅଧୀନ ପଟୁପଡ଼ା ଡିଷ୍ଟ୍ରିବ୍ୟୁଟାରି କେନାଲର ବୁଦ୍ଧିପଡ଼ା ଓ ସରକଣା ମାଇନର କେନାଲକୁ ଏବେ ବିଲ୍ଡରମାନେ କବ୍‌ଜା କରି ନେଇଥିବା ଅଭିଯୋଗ ହେଉଛି। କେନାଲ ବନ୍ଧରେ କଂକ୍ରିଟ୍‌ କଲଭର୍ଟ ନିର୍ମାଣ କରିବା ସହ ଗଛ କାଟି ପକାଉଛନ୍ତି। ଫଳରେ ଆଗକୁ ଚାଷ ଜମିକୁ ଜଳସେଚନ ସମସ୍ୟା ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଚାଷୀମାନେ ଜଳସେଚନ ବିଭାଗ ଓ ରାଜସ୍ବ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ ଖୁବ୍‌ଶୀଘ୍ର ଏକ ବଡ଼ଧରଣର ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଥିବା ସୂଚନା ମିଳିଛି।

Advertisment

publive-image

ଅଭିଯୋଗ ଅନୁସାରେ, ବିଲ୍‌ଡରମାନେ ସରକାରୀ ଆଇନର ଗଳା ବାଟ ଦେଖି ଚକ ଜମିର କିସମ ବଦଳାଇ ପାରୁଛନ୍ତି। ଚାଷ ଜମିକୁ ଘରବାଡ଼ି କରିବା ଏବେ ସେମାନଙ୍କ ଲୋଲୁପଦୃଷ୍ଟି କେନାଲ, ଗୋଚର, ଅନାବାଦୀ ଓ ଅନ୍ୟାନ୍ୟ କିସମ ସରକାରୀ ଜମି ଉପରେ ପଡ଼ିଛି। କେନାଲ ବନ୍ଧରୁ ଗଛ କାଟି ତା’ ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ପ୍ଲଟିଂ ସ୍କିମ୍‌କୁ ଯାତାୟାତ କରିବା ପାଇଁ କେନାଲ ଉପରେ କଂକ୍ରିଟ କଲ୍‌ଭର୍ଟ ନିର୍ମାଣ କରୁଛନ୍ତି। କେନାଲ ଶଯ୍ୟା ଜବରଦଖଲ ହେବା ଦ୍ବାରା ଏଣିକି କ୍ଷେତକୁ ଜଳସେଚନ ସମସ୍ୟା ଆଶଙ୍କା ଉପୁଜିଛି।

ବୁଦ୍ଧିପଡ଼ା-ସରକଣା ମାଇନର କେନାଲ ଓ ଅପରପାର୍ଶ୍ବରେ ଥିବା ଧନୁଆ ଧାର ପୋତିବାକୁ କେନ୍ଦ୍ର କରି ଦୁଇ ଦିନ ତଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ‌ଉପୁଜିଥିଲା। ଅନ୍ଧୋଟି ଗ୍ରାମ ନିକଟସ୍ଥ ବୁଦ୍ଧିପଡ଼ା ମାଇନର କେନାଲ ବନ୍ଧରୁ ବହୁ ମୂଲ୍ୟବାନ କିସମର ଗଛ କଟା ଯାଇଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତି ପ୍ଲଟିଂ ସ୍କିମ୍‌କୁ ଯିବା ପାଇଁ କେନାଲ ବନ୍ଧରୁ ଗଛ କାଟି ଦେଇଛନ୍ତି। କେନାଲ ଶଯ୍ୟା ଖୋଳି କଲ୍‌ଭର୍ଟ ନିର୍ମାଣ ଚଳାଇଛନ୍ତି। ଏ ସଂପର୍କରେ ସ୍ଥାନୀୟ ଲୋକ ବ୍ରାହ୍ମଣ ଷଡ଼ଙ୍ଗୀ ରାଜସ୍ବ ନିରୀକ୍ଷକ ଓ ବେଣ୍ଟପୁର ଜଳସେଚନ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ସେ ଦିନ ଅପରାହ୍‌ଣରେ ବ୍ରାହ୍ମଣ ଷଡ଼ଙ୍ଗୀ ଆର୍‌ଆଇ ଦୁଃଖୀଶ୍ୟାମ ସ୍ବାଇଁ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। କିନ୍ତୁ ବେଣ୍ଟପୁର ଜନସେଚନ ଅଧିକାରୀ ନିରବ ରହିଥିବା ଅଭିଯୋଗ ହୋଇଛି। ତେବେ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ଆପତ୍ତି କରିବାକୁ ଯାଇଥିବା ଚାଷୀମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।