ପ୍ରାର୍ଥୀଙ୍କ ଆଗରେ କାନ୍ଦିଲେ ଭାବ ସାର୍‌

ବାଲିଅନ୍ତା : ଶନିବାର ଦିନ ସ୍ଥାନୀୟ ବସନ୍ତପେଡ଼ି ଗାଁରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଥିଲା। ସ୍ଥାନୀୟ ଅଞ୍ଚଳର ଜଣାଶୁଣା ୮୧ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଭାବ ସାର୍‌ ପ୍ରାର୍ଥୀ କୁନ୍‌ମୁନ୍‌ ଲେଙ୍କାଙ୍କ ଆଗରେ କାନ୍ଦିଥିଲେ। ନିଜର ଦୁଃଖ ବଖାଣି ସେ କୁନ୍‌ମୁନ୍‌ଙ୍କ ଆଗରେ କୋହକୋହ ହୋଇ କାନ୍ଦିବା ସହ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ହଠାତ୍ ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବା ପରେ କୁନ୍‌ମୁନ୍‌ ଅପ୍ରସ୍ତୁତ ହୋଇପଡ଼ିଥିଲେ ଓ ଅଭିଯୋଗ ଅନୁସାରେ ତାଙ୍କ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ। ଘଟଣାଟି ଆଜି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଦୀର୍ଘ ୩୦ ବର୍ଷ ଚାକିରି କରିବା ପରେ ପ୍ରାୟ ୨୦ ବର୍ଷ ପୂର୍ବରୁ ଶିକ୍ଷକ ଭାବଗ୍ରାହୀ ମହାନ୍ତି ଅବସର ନେଇଛନ୍ତି। ଏବେ ତାଙ୍କୁ ୮୧ ବର୍ଷ ବୟସ। ସେତେବେଳ ଅନୁସାରେ କମ୍ ଟଙ୍କା ପେନ୍‌ସନ ପାଉଥିବାରୁ ଘର ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡ଼ୁଛି। ମାନସିକ ବିକାରଗ୍ରସ୍ତ ପୁଅର ଔଷଧ ଖର୍ଚ୍ଚକୁ ପଇସା ଅଣ୍ଟୁନି। ତାଙ୍କ ବଡ଼ ଅଭିଯୋଗ ହେଲା ସେ ଦୀର୍ଘ ବର୍ଷ ଧରି ଶଙ୍ଖ ଚିହ୍ନରେ ନବୀନ ପଟ୍ଟନାୟକଙ୍କୁ ଭୋଟ୍‌ ଦେଇଆସୁଛନ୍ତି। ମାତ୍ର ତାଙ୍କ ପରିବାରର କାହାକୁ କୌଣସି ସାମାଜିକ ସୁରକ୍ଷା ଯୋଜନାର ଫାଇଦା ମିଳୁନାହିଁ। ଏମିତିକି ମାନସିକ ବିକାରଗ୍ରସ୍ତ ପୁଅକୁ ଭତ୍ତା ମିଳୁନାହିଁ। ସେହିଭଳି ତାଙ୍କ ପିଲାଙ୍କୁ ରାସନ୍‌ କାର୍ଡଟିଏ କି ଆବାସ ଯୋଜନାରେ ଘରଟି ମିଳୁନାହିଁ। ସବୁଥର ପ୍ରାର୍ଥୀମାନେ ତାଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ଜିତିବା ପରେ କେହି ତାଙ୍କ ଦୁଃଖ ବୁଝୁନାହାନ୍ତି। ଏମିତି କହି ସେ କାନ୍ଦି ପକାଇଥିଲେ। ତଥାପି ସେ କୁନ୍‌ମୁନଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଥିଲେ। କୁନ୍‌ମୁନ ବୃଦ୍ଧ ଭାବ ସାର୍‌ଙ୍କ ଦୁଃଖଭରା କଥା ଶୁଣିବା ପରେ ଏଥର ତାଙ୍କ ସମସ୍ୟା ରହିବ ନାହିଁ ବୋଲି କହିଥି‌ଲେ।

ସମ୍ବନ୍ଧିତ ଖବର