ବାଲିଅନ୍ତା : ଜଣେ ଅସହାୟ ଯୁବତୀଙ୍କୁ ବାହା କରାଇ ସମିତି ସଭ୍ୟ ପ୍ରାର୍ଥୀ ଚର୍ଚ୍ଚାକୁ ଆସିଛନ୍ତି। ସ୍ଥାନୀୟ ଜୟଦେବ ପଞ୍ଚାୟତରେ ଘଟଣାଟି ବେଶ୍ ଆଲୋଚନାର ପ୍ରସଙ୍ଗ ହୋଇଛି। ଅଞ୍ଚଳରେ ରାଜନୈତିକ ବାତାବରଣ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ଗରିବ ଜନସାଧାରଣଙ୍କୁ ଅସମୟରେ ଏମିତି ସହଯୋଗର ହାତ ବଢ଼ାଉଥିବା ଭାବଗ୍ରାହୀ ଗୋଚ୍ଛାୟତଙ୍କ ଏହି ବଦାନ୍ୟତା ବେଶ୍ ପ୍ରଶଂସା ସାଉଁଟିଛି।

Advertisment

ସୂଚନାନୁସାରେ ଗତବର୍ଷ କରୋନାରେ ମହୁଖଣ୍ଡା ଗ୍ରାମର ଗତିକୃଷ୍ଣ ଭୋଇଙ୍କ ମୃତ୍ୟୁ ହୋଇଥିଲା। ଏଭିତରେ ତାଙ୍କ ମୃତ୍ୟୁକୁ ୧ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ କୋଭିଡ୍‌ ସହାୟତା ରାଶି ମିଳିପାରିନାହିଁ। ଘରଡିହ ଚେନାକ ଛାଡ଼ିଦେଲେ ତାଙ୍କର ଆଉ କିଛି ବି ସମ୍ବଳ ନାହିଁ। ତେଣୁ ତାଙ୍କ ଅସହାୟ ପତ୍ନୀ ଶକୁନ୍ତଳା ଝିଅ ଲତାର ବିବାହ ପାଇଁ ଚିନ୍ତିତ ହୋଇପଡ଼ିଥିଲେ। ବାହାଘର ଠିକ୍‌ ହୋଇଯାଇଥିବା ବେଳେ ଆବଶ୍ୟକ ଅର୍ଥ ଯୋଗାଡ଼ କରିନପାରି ଶକୁନ୍ତଳା ଚିନ୍ତାରେ ପଡ଼ିଥିଲେ। ଏହି ଖବର ଭାବଗ୍ରାହୀଙ୍କ କାନରେ ପଡ଼ିଥିଲା। ସମିତି ସଭ୍ୟ ପଦ ପାଇଁ ଲଢ଼ୁଥିବା ଭାବଗ୍ରାହୀ ପ୍ରଚାର କରିବାକୁ ଗାଁ ବୁଲୁଥିବା ବେଳେ ଶକୁନ୍ତଳାଙ୍କ କଥା ଜାଣିବାକୁ ପାଇଥିଲେ। ଲତାର ବିବାହ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେଇଥିଲେ।

ସାହିବାସୀଙ୍କ ଉପସ୍ଥିତିରେ ବାରିପଦା ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀ ଲତାଙ୍କ ହାତ ଧରିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଭାବଗ୍ରାହୀ ଭୋଟ୍‌ ପାଇବା ପାଇଁ ଏହା କରିନାହାନ୍ତି। ପୂର୍ବରୁ ସେ ଏମିତି କାମ କରିଛନ୍ତି। ଅସହାୟ ଲୋକଙ୍କର ବିବାହ, ବ୍ରତ, ଏକାଦଶାହ ଓ ଶ୍ରାଦ୍ଧ ଭଳି କାର୍ଯ୍ୟରେ ସେ ଆର୍ଥିକ ସହଯୋଗ କରିଥାଆନ୍ତି। ଭାବଗ୍ରାହୀ ମଧ୍ୟ ଏହି କଥାକୁ ଭୋଟ୍‌ ସହ ନଯୋଡ଼ିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଭୋଟ୍‌ ପ୍ରସଙ୍ଗ ଅଲଗା ବୋଲି ସେ କହିଛନ୍ତି।