ଭୁଜାଲିରେ ହାଣି ମୋବାଇଲ୍‌, ଟଙ୍କା ଲୁଟ୍‌; ଧରାପଡ଼ିଲେ ୬ ଦୁର୍ବୃତ୍ତ

କାର୍‌ ଓ ବାଇକ୍‌ ଜବତ

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ଖମଙ୍ଗବଜାର-ପ୍ରତାପରୁଦ୍ରପୁର ଓଭରବ୍ରିଜ ରାସ୍ତାର ଭୂତପଦା ନିକଟରେ ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ତାଙ୍କ ନିକଟରୁ ମୋବାଇଲ ଫୋନ ଏବଂ ଟଙ୍କା ଛଡ଼ାଇ ନେଇଛନ୍ତି। ଆକ୍ରମଣ ଓ ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ କାକରୁଦ୍ରପୁରର ସିପୁନ ପଣ୍ଡା ଓରଫ ବୁଦ୍ଧିଆ (୧୯)। ସିପୁନ ଖମଙ୍ଗ ବଜାରରୁ ଜିନିଷପତ୍ର କିଣିବାକୁ ବାଇକ୍‌ରେ ଆସୁଥିବା ବେଳେ ଓଭରବ୍ରିଜ ଆଡ଼ୁ ଦୁର୍ବୃତ୍ତ ଦ୍ବୟ ପିଛା କରି ଅତର୍କିତ ଆକ୍ରମଣ କରିଥିଲେ। ସିପୁନଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିଛି। ପେଟରୁ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଲୋକ ସିପୁନଙ୍କୁ ପ୍ରଥମେ ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏବେ ସିପୁନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାଯାଇଛି।

ଅପରପକ୍ଷରେ ଲୁଟେରା ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ରାସ୍ତାରେ ଯାଉଥିବା ଜଣେ ଅଟୋ ଚାଳକ ସେମାନଙ୍କ ବାଇକ୍‌ ଆଗରେ ଅଟୋ ରଖି ଦେଇଥିଲେ। ତେଣୁ ଲୁଟେରା ଦ୍ବୟ ବାଇକ୍‌ ଛାଡ଼ି ଗହୀର ଆଡ଼କୁ ଦୌଡ଼ି ପଳାଇଥିଲେ। ଖବର ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମରୁ ଶତାଧିକ ଲୋକ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଏନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପରେ ଉଭୟ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଓ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସଦ‌ଳବଳେ ଗ୍ରାମବାସୀଙ୍କ ସହ ମିଶି ଖୋଜାଖୋଜି କରି ନାକେଦମ ହୋଇପଡ଼ିଥିଲେ। ସେହି ସମୟରେ ଏକ କାର୍‌ରେ ୪ ସହଯୋଗୀ ସେମାନଙ୍କୁ ନେବାକୁ ଆସିଥିଲେ। ଲୁଟେରାଦ୍ବୟ ଫେରାର ହେବାକୁ ଗାଡ଼ି ନିକଟକୁ ଆସିଥିଲେ। ମାତ୍ର ସମସ୍ତ ୬ଜଣ ଯାକ ଗ୍ରାମବାସୀ ଓ ପୁଲିସ ହାବୁଡ଼ରୁ ଖସିପାରି ନଥିଲେ। ପୁଲିସ କାର୍‌ ଓ ବାଇକ୍‌ ଜବତ କରିଥିବା ବେଳେ ୬ ଦୁର୍ବୃତ୍ତଙ୍କୁ ଥାନାକୁ ନେଇଛି।

ସମ୍ବନ୍ଧିତ ଖବର