ବାଲିଅନ୍ତାକୁ ମିଳିଲା ୧୬୨୦ ପ୍ୟାକେଟ୍‌ ୟୁରିଆ: ଆବଶ୍ୟକ ୩୦୦ ଟନ୍‌, ମିଳିଲା ୧ ଟନ୍‌ରୁ କମ୍

ନିରାଶ ହୋଇ ଫେରିଲେ ୫୦୦ ଚାଷୀ

ବାଲିଅନ୍ତା: ବାଲିଅନ୍ତାରେ ୟୁରିଆ କଳାବଜାର ହେଉଥିବା ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଭୁବନେଶ୍ବର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପକ୍ଷରୁ ଆଜି ଚାଷୀଙ୍କୁ ୟୁରିଆ ଯୋଗାଣ କରାଯାଇଥିଲା। ବାଲିଅନ୍ତା ବ୍ଲକର ପାହାଳ, ବାଲିଅନ୍ତା, ପ୍ରତାପରୁଦ୍ରପୁର, ପ୍ରତାପଶାସନ ଓ ଝିଣ୍ଟିଶାସନ ସମବାୟ ସମିତି ଗୋଦାମକୁ ୧୬୨୦ ପ୍ୟାକେଟ୍‌ ୟୁରିଆ ମିଳିଥିଲା ଓ ଚାଷୀମାନଙ୍କୁ ବିକ୍ରି କରାଯାଇଥିଲା। କିନ୍ତୁ ସମୁଦ୍ରକୁ ଶଙ୍ଖେ ସଦୃଶ ନ୍ୟାୟରେ କିଛି ହାତଗଣତି ଚାଷୀଙ୍କୁ ୟୁରିଆ ବିକିବା ପରେ ଗୋଦାମ ଫାଙ୍କା ହୋଇଯାଇଥିଲା। ସମଗ୍ର ବ୍ଲକ ପାଇଁ ୩୦୦ ଟନ୍‌ ୟୁରିଆ ଆବଶ୍ୟକ ଥିବାବେଳେ ସମବାୟ ସମିତିକୁ ଆସିଥିବା ଏକ ଟନ୍‌ରୁ କମ୍ ୟୁରିଆ ଚାଷୀମାନଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ। ଫଳରେ ଆଜି ପାଖାପାଖି ୫ ଶହରୁ ଅଧିକ ଚାଷୀ ସମବାୟ ସମିତିରୁ ହତାଶ ହୋଇ ଫେରିଛନ୍ତି।

ଆଜି ସକାଳୁ ସକାଳୁ ୟୁରିଆ ସାର ସମବାୟ ସମିତି ଗୋଦାମକୁ ଆସିଥିବା ଖବର ଜଣାପଡ଼ିବା ପରେ ଚାତକ ପରି ଚାହିଁ ରହିଥିବା ଚାଷୀମାନେ ଗୋଦାମକୁ ଧାଇଁଥିଲେ। କୋଭିଡ୍‌ କଟକଣାକୁ ଭୁଲି ହଜାର ହଜାର ଚାଷୀ ଭିଡ଼ ଜମାଇଥିଲେ । ଆଧାର କାର୍ଡ ଧରି ସେମାନେ ସମିତି ଗୋଦାମ ସମ୍ମୁଖରେ ଧାଡ଼ି ଲଗାଇଥିଲେ । ସମିତି ପିଛା ୨୭୦ ପ୍ୟାକେଟ୍‌ ଲେଖାଏଁ ସାର ଆସିଥିଲା। କିନ୍ତୁ ସବୁ ସମିତି ଗୋଦାମ ପାଖରେ ଯଥେଷ୍ଟ ଅଧିକ ଚାଷୀ ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇଥିଲେ। ଫଳରେ ସମିତି ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାର ବଣ୍ଟନ ବନ୍ଦ କରି ଦିଆଯାଇଥିଲା। ତେଣୁ କାମଧନ୍ଦା ବନ୍ଦ କରି ୟୁରିଆ ନେବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହୋଇଥିବା ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଚାଷୀମାନେ ସାର ବଣ୍ଟନ ଦାୟିତ୍ବରେ ଥିବା ଅଧିକାରୀ ଓ ସମବାୟ ସଂପାଦକମାନଙ୍କ ଉପରେ ବର୍ଷିଥିଲେ। ଶେ‌ଷରେ ଚାଷୀମାନେ ନିରାଶ ହୋଇ ଆଧାର କାର୍ଡ ‌ନକଲ ସଂପାଦକଙ୍କ ନିକଟରେ ପୈଠ କରି ଘରକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ସାର ଯୋଗାଣ ସଂପର୍କରେ ଆରଆରଏମସି ନିରଞ୍ଜନ ନାଥଙ୍କୁ ପଚାରିବାରେ ସେ କହିଲେ ଯେ କୃଷି ଅଧିକାରୀ ସାର ଯୋଗାଣ ଏଜେନ୍ସିଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପରିମାଣର ୟୁରିଆ ଯୋଗାଇ ଦେଲେ, ସମିତି ଚାଷୀଙ୍କୁ ବିକିବାରେ ଅସୁବିଧା ନାହିଁ। ତେଣୁ ଲୋକେ କୃଷି ବିଭାଗକୁ ଦାବି ଜଣାଇବା ଉଚିତ୍ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର