ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ଅଚଳ

ବାଲିଅନ୍ତା: ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ବିଭିନ୍ନ ରେକର୍ଡପତ୍ର କାମରେ କାର୍ଯ୍ୟାଳୟକୁ ଆସୁଥିବା ଶହ ଶହ ଲୋକ ବିଭାଗୀୟ ଅଧିକାରୀ ବା କର୍ମଚାରୀମାନଙ୍କୁ ନ ପାଇ ହତାଶ ହୋଇ ଫେରୁଛନ୍ତି।ସୂଚନାନୁସାରେ, ଗତ ୩ତାରିଖରେ ଜଣେ ବିଲ୍ଡରଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ତହସିଲଦାର ରଶ୍ମିରେଖା ପ୍ରଧାନ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ସେହିଦିନଠାରୁ ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି। କାର୍ଯ୍ୟରତ ଅତିରିକ୍ତ ତହସିଲଦାରଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇନାହିଁ। ଫଳରେ କ୍ଷମତା ବିନା ଅତିରିକ୍ତ ତହସିଲଦାର ବସି ବସି ଘରକୁ ଫେରୁଛନ୍ତି। ଅପରପକ୍ଷେ ତହସିଲଦାର ନଥିବାରୁ ଅଧିକାଂଶ କର୍ମଚାରୀ ନିୟମିତ କାର୍ଯ୍ୟାଳୟକୁ ଆସୁ ନଥିବା ଦେଖିବାକୁ ମିଳୁଛି। ତହସିଲଦାର ଓ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ବିଭିନ୍ନ ପ୍ରକୋଷ୍ଠରେ ଅଧିକାରୀ ଓ କମଚାରୀମାନଙ୍କ ଚଉକି ଖାଲି ପଡ଼ୁଥିବା ଲୋକେ ଅଭିଯୋଗ କରୁଛନ୍ତି। ସେହିଭଳି ୮ଟିଯାକ ଆର୍‌ଆଇ ଅଫିସ୍‌ ମଧ୍ୟ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖାଯାଉଛି।

ବାଲିଅନ୍ତା ବ୍ଲକ ଅଧୀନସ୍ଥ ୧୬ଟି ପଞ୍ଚାୟତର ଲୋକମାନେ ଏହି ତହସିଲ କାର୍ଯ୍ୟାଳୟ ଉପରେ ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଲୋକ ସ୍ଥାୟୀ ବାସସ୍ଥାନ, ଆୟ, ଜାତିଗତ ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ତଥା ସରକାରୀ ସହାୟତା କାମ ନେଇ ତହସିଲ କାର୍ଯ୍ୟାଳୟକୁ ଆସୁଛନ୍ତି। ହେଲେ ସେମାନେ ନିରାଶ ହୋଇ ଫେରୁଛନ୍ତି। ସେହିପରି ସବ୍‌-ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟରେ ଜମିଜମା ବିବାଦ ଫଇସଲା, କିଣାବିକା, କିସମ ପରିବର୍ତ୍ତନ, ଦାଖଲ ଖାରଜ ଆଦି କାର୍ଯ୍ୟ ସଂପାଦନ କରିବା ସମ୍ଭବ ହେଉନାହିଁ। ଏ ସଂପର୍କରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ସମସ୍ୟାର ସମାଧାନ ଦିଗରେ ଖୋର୍ଧା ଜିଲ୍ଲପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର