ଭୁବନେଶ୍ବର: ‘ରେ ଆତ୍ମନ୍ ନିଦ୍ରା ପରିହରି... ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଏହି ଜୀବନଧର୍ମୀ ଭଜନ ସଙ୍ଗୀତକୁ ଘରେ ଘରେ ଆହୁରି ଅଧିକ ପରିଚିତ କରାଇବାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଭୂମିକା ଅବିସ୍ମରଣୀୟ। ଖାଲି ସେତିକି କାହିଁକି ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ତାଙ୍କ ଦାନ ମଧ୍ୟ ଅତୁଳନୀୟ। ୬ ଦଶନ୍ଧିର ସଙ୍ଗୀତ ଯାତ୍ରାରେ ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରି ନିଜର ଏକ ଅଲିଭା ସ୍ବାକ୍ଷର ଛାଡ଼ିଛନ୍ତି ଓଡ଼ିଆ ଜାତିର ଇତିହାସରେ। ଆଜି ବି ମଞ୍ଚ ଉପରେ ଗାୟନରତ ମୁଦ୍ରାରେ ପ୍ରଣବଙ୍କ କଣ୍ଠସ୍ବର ଅଗଣିତ ଶ୍ରୋତାଙ୍କ ଅବିରତ କରତାଳି ସାଉଁଟିବାରେ ବେଶ୍ ସକ୍ଷମ। ଓଡ଼ିଶାର ପୂର୍ବତନ ବାଚସ୍ପତି ଲାଲ୍ ମୋହନ ପଟ୍ଟନାୟକଙ୍କ ସୁପୁତ୍ର ପ୍ରଣବ ପଟ୍ଟନାୟକ ହୁଏତ ସଙ୍ଗୀତକୁ ପ୍ରଥମେ ବାଛିଥିଲେ। କିନ୍ତୁ ତାଙ୍କ ସଙ୍ଗୀତ ପ୍ରତି ଅନନ୍ୟ ସାଧନା ଓ ସମର୍ପଣ ଭାବ ଦେଖି ସମୟକ୍ରମେ ସଙ୍ଗୀତ ବି ନିଜ ପାଇଁ ପ୍ରଣବକୁ ବାଛି ନେଇଛି। ଖାସ୍ ସେଇଥି ପାଇଁ ତ’ ଆଜି ପରିଣତ ବୟସରେ ବି ସେ ସ୍ପଷ୍ଟ, ସୁନ୍ଦର ଓ ସୁମଧୁର ସ୍ବରରେ ଶ୍ରୋତାଙ୍କୁ ଆପ୍ୟାୟିତ କରି ପାରୁଛନ୍ତି। ଆଜି ସେ ୮୪ ବର୍ଷରେ ପାଦ ଥାପିଛନ୍ତି। କିନ୍ତୁ ନା ସଙ୍ଗୀତ ତାଙ୍କୁ ଛାଡ଼ିଛି ନା’ ସେ ସଙ୍ଗୀତକୁ କେବେ ଛାଡ଼ି ପାରିଛନ୍ତି।
ମାଝିରେ..., ଏମିତି ରାତି ସେ ଯେ ଅଭୁଲା ସ୍ମୃତି..., ଇନ୍ଦ୍ରଧନୁର ସପ୍ତରଙ୍ଗ..., ମାଆ ତୁମେ ଜଗତର ସାହା ଭରସା... ସୀମାହୀନ ଦରିଆ.. ଆ’ ରେ ମିତ ଆ’ ସଙ୍ଗାତ..., କେଉଁ ନାମ ଧରି ଡାକିବି ତୁମକୁ..., ଊର୍ମି ଅଧୀରା ରୂପସୀ ଚିଲିକା..., ଯା ରେ ମାଝୀ ଯା..., ଏଇ ଜୀବନଟା ଏକ ନାଟକ ଆଦି ଚିରସବୁଜ ସଙ୍ଗୀତ ବିନା ଯେମିତି ଆମ ଓଡ଼ିଆ ସଙ୍ଗୀତ ଭଣ୍ଡାର ଅଧା ସେମିତି ପ୍ରଣବ ପଟ୍ଟନାୟକଙ୍କ ବିନା ଓଡ଼ିଶା ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ। ସେ ପ୍ରେମ ହେଉ ବି ବିରହ ସଙ୍ଗୀତ, ଜୀବନଧର୍ମୀ ସଙ୍ଗୀତ ହେଉ ବା ଆତ୍ମା ସହ ପରମାତ୍ମାର ମିଳନର ଭଜନ ବା ଭକ୍ତି ସଙ୍ଗୀତ, ସେ ଲୋକ ସଙ୍ଗୀତ ହେଉ କି ସେମି କ୍ଲାସିକାଲ୍, ପାରମ୍ପରିକ ସଙ୍ଗୀତ ହେଉ ଅବା ହିନ୍ଦୀ ଗୀତ୍... ସବୁଥିରେ ନିଜ ଗାୟନ କଳାକୁ ପରଖି ଦେଖିଛନ୍ତି ପ୍ରଣବ। ଏଥିସହ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ସହ ସଙ୍ଗୀତ ଭଣ୍ଡାରକୁ ପ୍ରାଚୁର୍ଯ୍ୟରେ ଭରି ଦେଇଛନ୍ତି ପ୍ରଣବ।
୧୯୩୮ ମସିହା ଜାନୁଆରି ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ପଟ୍ଟନାୟକ। ପିଲାଦିନୁ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇ ଗୁରୁ କୁଣ୍ଡଳ ଆଦି ନାରାୟଣ ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ପ୍ରଣବ ପଟ୍ଟନାୟକ।
ଏହାପରେ ୧୯୫୮ ମସିହାରେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ମା' ଚଳଚ୍ଚିତ୍ରରେ ଗୀତ ଗାଇ ସେ ଓଡ଼ିଆ ଚଳଚ୍ଚିତ୍ରରେ ପାଦ ଥାପିଥିଲେ। ପରେ ପରେ ଶ୍ରୀ ଲୋକନାଥ, ମମତା,ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିଲିକା ତୀରେ, ଚିହ୍ନାଅଚିହ୍ନା, ବାଟଅବାଟ, ଝିଅଟି ସୀତା ପରି, ବତୀଘର, ଆରତୀ, ଅସ୍ତରାଗ ଓ କନ୍ୟାଦାନ ଭଳି ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟ ସ୍ତରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଭୂପିନ୍ଦର ସିଂହ, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ। ସେ ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରି ସଫଳତାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ମଧ୍ୟ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟି ଦେଇଛନ୍ତି l ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ୍ ସବ୍ ଏ ଗଜଲ... ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ କଣ୍ଠଶିଳ୍ପୀ ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ। ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି।
ତାଙ୍କର ୬୫ ବର୍ଷର ସଙ୍ଗୀତ ସାଧନା ସହ ସମ୍ମାନର ବି ଏକ ଲମ୍ବା ତାଲିକା ତାଙ୍କ ସହ ଆପେ ଯୋଡ଼ି ହୋଇଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ସର୍ବାଧିକ ୭ଥର ‘ଶ୍ରେଷ୍ଠ କଣ୍ଠଶିଳ୍ପୀ’ ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଖାଲି ସେତିକି ନୁହେଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଶ୍ରୀଜୟଦେବ ସମ୍ମାନ’ରେ ବି ସମ୍ମାନିତ ଶ୍ରୀ ପଟ୍ଟନାୟକ। ଏଥିସହ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ସଂଭାବନା’ ପକ୍ଷରୁ ୨୦୦୭ ମସିହାରୁ କ୍ରମାଗତ ଭାବେ ପଣବ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ‘ପ୍ରଣବ ପ୍ରଣାମ’ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଆସୁଛି। ଚଳିକ ବର୍ଷ କରୋନା କଟକଣା ଯୋଗୁଁ ‘ପ୍ରଣବ ପ୍ରଣାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଥିବା ସଂଭାବନାର ସମ୍ପାଦକ ଦେବପ୍ରସାଦ ପରିଜା ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2022/01/bali-ghara.jpg)
ଲୋକାର୍ପିତ ହେଲା ‘ବାଲିଘର’
ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପ୍ରିଲ୍ୟୁଡ୍ ପ୍ରକକ୍ସନ୍ ପକ୍ଷରୁ ପ୍ରେସ୍ କ୍ଲବ୍ଠାରେ ମୋ ଟିଭି ବ୍ୟାନର୍ରେ ଓଡ଼ିଆ ଆଲବମ୍ ‘ବାଲିଘର’ ଲୋକାର୍ପିତ ହୋଇଯାଇଛି। ଏହାକୁ ପ୍ରଣବ ପଟ୍ଟନାୟକ ସ୍ବର ଦେଇଥିବା ବେଳେ ବିଶିଷ୍ଟ ସଙ୍ଗୀତଜ୍ଞ ସଚ୍ଚି ମହାନ୍ତି ରଚନା କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ସଂଜୟ ପଟ୍ଟନାୟକ ସ୍ବର ସଂଯୋଜନା କରିଥିବା ବେଳେ ଏହି ଗୀତରେ ସତ୍ୟବ୍ରତ ସାନୁ ରଥ ପ୍ରଯୋଜନା ଭାରତ ଗ୍ରହଣ କରିଛନ୍ତି। ଏହି ଅବସରରେ ମାଇଁ ସିଟି ଲିଙ୍କ୍ ପକ୍ଷରୁ ମାଇଁ ସିଟି ଆଇକନ୍ କ୍ୟାଲେଣ୍ଡର ୨୦୨୨ ଲୋକାର୍ପିତ ହୋଇଥିଲା। ଏହି କ୍ୟାଲେଣ୍ଡର୍ରେ ଓଡ଼ିଶାର ଆଇକନ୍ମାନଙ୍କୁ ସ୍ଥାନିତ କରାଯାଇଛି। ଏଥିରେ ହକିତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବିଶିଷ୍ଟ ଓଡ଼ିଶୀନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ଅଭିନେତା ଆକାଶ ଦାସନାୟକ, ଅନୁ ଚୌଧୁରୀ, କୁନା ତ୍ରିପାଠୀ, ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମିଶ୍ର, ଗାୟକ ରିତୁରାଜ ମହାନ୍ତି, ଆଥେଲିଟ୍ ଦୂତୀ ଚାନ୍ଦ, ଚେସ୍ ଖେଳାଳୀ ପଦ୍ମିନୀ ରାଉତଙ୍କୁ ସ୍ଥାନିତ କରାଯାଇଛି। ଲେବଲ୍ ଋତୁପର୍ଣ୍ଣା, ସ୍ବୀକୃତି କ୍ରିଏସନ୍ସ, ଜୁବିଡିଜାଇନର୍ ହାଉସ୍ ଓ ଜ୍ୟୋସ୍ନା ଦାସଙ୍କ ଦ୍ବାରା ଏହି କ୍ୟାଲେଣ୍ଡର୍ ଡିଜାଇନିଂ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଉତ୍କଳ ଷ୍ଟିଲ୍ ଆଣ୍ଡ ପାୱାର୍ ପ୍ରାଇଭେଟ୍ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ଡ. ଶୁଭାଶିଷ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଣବ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇ କହିଥିଲେ, ଏହି ଗୀତଟି ନୂତନ ପିଢ଼ିଙ୍କ ମନକୁ ଛୁଇଁବ। ମାନସୀ ମିଶ୍ର କାର୍ଯ୍ୟକ୍ରମ ପରଚାଳନା କରିଥିଲେ।
ଓଡ଼ିଆ କବିତାକୁ ସଙ୍ଗୀତ ରୂପ ଦେବାକୁ ଚାହାନ୍ତି ପ୍ରଣବ
ଓଡ଼ିଆ କବିତା ଜଗତ ଆମର ପ୍ରାଚୁର୍ଯ୍ୟପୂର୍ଣ୍ଣ। ଓଡ଼ିଆ କବିମାନଙ୍କର ବହୁ କବିତାକୁ ଉଦ୍ଧାର କରି ସେଗୁଡ଼ିକୁ ସଙ୍ଗୀତ ସ୍ବର ରାଗିଣୀରେ ସଜେଇ ରେକର୍ଡିଂ କରିବାକୁ ଚାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଭାଷାକୁ ବିସ୍ତୃତି ଦେବାରେ ସଙ୍ଗୀତ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଖାଣ୍ଟି ଓଡ଼ିଆ ସଙ୍ଗୀତ ରଚନା ଉପରେ ଆମ ଗୀତିକାରମାନେ ଧ୍ୟାନ ଦେବାକୁ ସେ ନିଜ ଜନ୍ମ ଦିନ ଅବସରରେ ଗୁହାରି କରିଛନ୍ତି। ଏଥିସହ ନିଷ୍ଠା, ପରିଶ୍ରମ ବଳରେ ସଙ୍ଗୀତ ସାଧନା କରିବା ସହ ରାଗରାଗିଣୀର ଗଭୀର ଜ୍ଞାନ ରଖିବାକୁ ଆମ କଣ୍ଠଶିଳ୍ପୀମାନଙ୍କଠାରୁ ସେ ଆଶା ରଖିଛନ୍ତି। ଏବେ ସଙ୍ଗୀତ ଜଗତରେ ଚମତ୍କାର କଣ୍ଠଶିଳ୍ପୀମାନେ ଅଛନ୍ତି। କେବଳ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ ସେ ଖଣ୍ଡି ହିନ୍ଦୀ ବା ଇଂରାଜୀ ଭାଷା ଆମ ଓଡ଼ିଆ ଗୀତକୁ ଯେମିତି ଦୂଷିତ ନ କରିବ। ଶେଷ ନିଶ୍ବାସ ପର୍ଯ୍ୟନ୍ତ ଗୀତ ଗାଇବା ତଥା ଖାଣ୍ଟି ଓଡ଼ିଆ ଓ ଭଲ ଗୀତ ଗାଇବା ପାଇଁ ସେ ଚାହୁଁଥିବା କହିଛନ୍ତି। ତାଙ୍କ ମତରେ ଭଲ ଗୀତ ଲୋକଙ୍କ ପାଖକୁ ଗଲେ ତାହାର ପ୍ରଭାବ ଖୁବ୍ ଦୀର୍ଘସ୍ଥାୟୀ ଓ ସଙ୍ଗୀତ ମଧ୍ୟ କାଳଜୟୀ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/pranab.jpg)