ଚଳିତ ବର୍ଷ ଝଲସିବ ବାଲିଯାତ୍ରା, ଜାତୀୟ ଉତ୍ସବ ମାନ୍ୟତା ପାଇଁ କେନ୍ଦ୍ରକୁ ନିବେଦନ କରାଯିବ

ମହିଳା ଉଦ୍ୟୋଗୀଙ୍କୁ ଦିଆଯିବ ସ୍ବତନ୍ତ୍ର ଗୁରୁତ୍ବ

କଟକ : କରୋନା ମହାମାରୀ ପାଇଁ ଗଲା ୨ ବର୍ଷ ହେବ ବନ୍ଦ ଥିବା କଟକର ଐତିହାସିକ ବାଲିଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବ। ବାଲିଯାତ୍ରାକୁ ୨୦୧୯ରେ ରାଜ୍ୟ ଉତ୍ସବର ମାନ୍ୟତା ମିଳିଥିବା ବେଳେ ଏଥର ଏହାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ପାଇଁ ସବୁସ୍ତରରେ ଉଦ୍ୟମ କରିବାକୁ ବାରବାଟୀ ପ୍ୟାଲେସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିବେଦନ କରିଛନ୍ତି। ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କୁ ନିବେଦନ କରିବେ ବୋଲି ସମ୍ମିଳନୀ‌ରେ ସୂଚନା ଦେଇଛନ୍ତି।

ବାଲିଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ପାର୍କିଂଠାରୁ ଜଳ, ଆଲୋକ, ପଡ଼ିଆର ଆକାର, ଗମନାଗମନ ଆଦି ବିଷୟ ଉପରେ ଏଥିରେ ଆଲୋଚନା ହୋଇଥିଲା। ୨୦୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିଯାତ୍ରା ପାଇଁ ମୋଟ ୯୦ ଲକ୍ଷ ଟଙ୍କା ମିଳିଥିଲା। ଚଳିତ ଥର ରାଜ୍ୟ ସରକାର ବାଲିଯାତ୍ରାର ଆୟୋଜନ ପାଇଁ ଅଧିକ ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ମିସନ ଶକ୍ତି ଗ୍ରୁପ ତଥା ସ୍ବୟଂ ସହାୟିକା ଗୋ‌ଷ୍ଠୀଙ୍କୁ ଚଳିତ ବର୍ଷ ବାଲିଯାତ୍ରାରେ ଅଧିକ ପ୍ରାଧାନ୍ୟ ଦିଆଯିବ। ଏହା ମହିଳାଙ୍କ ଶକ୍ତି ପ୍ରଦର୍ଶନର ଏକ ସ୍ଥଳ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି। ବାଲିଯାତ୍ରାର ପରିଚାଳନା ପାଇଁ ଜିଲ୍ଲା ପ୍ରକଳ୍ପ ନି‌େର୍ଦ୍ଦଶକ ଅମ୍ବର କୁମାର କରଙ୍କ ନେତୃତ୍ବରେ ସିଏମ୍‌ସିର ଓ ଜିଲ୍ଲା ପ୍ରଶାସନର ୭ଜଣ ଅଧିକାରୀଙ୍କୁ ନେଇ ଏକ କୋର କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ ଏଥିରେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ କୋଭିଡ ମହାମାରୀରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଆଜିର ସମ୍ମିଳନୀରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡା‌ୟତରାୟ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର(ରାଜସ୍ବ), ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସିଏମ୍‌ସି ଡେପୁଟି କମିସନର ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ୱାଟ୍‌କୋ ଅଧିକାରୀ ଦେବବ୍ରତ ମହାନ୍ତି, ବିଭିନ୍ନ ବିଭାଗର ଇଂଜିନିୟର ପ୍ରଭାସ ମାଝୀ, ନବକିଶୋର ସାମଲ, ଦୀପକ ସାହୁ ଓ ଦିବ୍ୟ ରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଥର ଆୟୋଜନ ହେବ କଟକ କାଇଟ୍‌ ଉତ୍ସବ
ଚଳିତବର୍ଷ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେଥି ମଧ୍ୟରେ ରଜ ପର୍ବ ଅବସରରେ ଜୁନ୍‌ ୧୪ରୁ ୧୬ ତାରିଖ ମଧ୍ୟରେ ସହରରେ ପ୍ରଥମ କରି ‘କଟକ କାଇଟ୍‌ ଉତ୍ସବ ଆୟୋଜନ ହେଉଛି। ମିସନ ଶକ୍ତି ଓ ଓରମାସ୍‌ ସହଭାଗିତାରେ ବାରବାଟୀ ପ୍ୟାଲେସ ପରିସରରେ ୧୮ଟି ଷ୍ଟଲ ଲାଗିବ। ଏଠାରେ ମହିଳା ଗ୍ରୁପଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ପଦାର୍ଥ ବିକ୍ରି କ‌ରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର