ବାତ୍ୟା ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଛନ୍ତି ସରପଞ୍ଚ

ବାଲିପାଟଣା : ବାତ୍ୟାବିପନ୍ନଙ୍କୁ ସହାୟତା କରିବାକୁ ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କ ମୁଣ୍ଡରେ ଦୁଃଖର ପାହାଡ଼ ଲଦି ହୋଇଯାଇଛି। ତଥାପି ସେ ଭାଙ୍ଗି ନପଡ଼ି କ୍ଷତିଗ୍ରସ୍ତ ଗ୍ରାମ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରୁଛନ୍ତି। ସେ ହେଲେ ବାଲିପାଟଣା ବ୍ଲକର ନବଗଠିତ ଅଠାନ୍ତର ପଞ୍ଚାୟତର ସରପଞ୍ଚ ମନ୍ଦୋଦରୀ ଭୋଇ। ବାତ୍ୟାରେ ଶ୍ରୀମତୀ ଭୋଇଙ୍କ ଘର ଭାଙ୍ଗି ଯାଇଛି। ଅନ୍ୟ ଉପାୟ ନପାଇ ସେ ଗତ ୩ ତାରିଖରୁ ରୋଗଗ୍ରସ୍ତ ଶାଶୂଙ୍କ ସମେତ ପରିବାର ୫ ସଦସ୍ୟଙ୍କୁ ନେଇ ସରିପୁର ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ଶ୍ରୀମତୀ ଭୋଇଙ୍କ ସ୍ବାମୀ ପ୍ରଫୁଲ୍ଲ ଭୋଇଙ୍କ କହିବା ମୁତାବକ, ଫନିରେ ତାଙ୍କ ଘର ଭାଙ୍ଗି ଯାଇଛି। ଯୁକ୍ତ ୨ ପଢ଼ୁଥିବା ପୁଅର ସମସ୍ତ ବହି ଖାତା ବର୍ଷାରେ ଭିଜି ଯାଇଛି। ଘରେ ରୋଗିଣା ମା’। ଏଭଳି ସ୍ଥିତିରେ ବାତ୍ୟା ଆଶ୍ରୟସ୍ଥଳୀ ତାଙ୍କ ପରିବାରକୁ ସାହାରା ଦେଇଛି। ତଥାପି ତାଙ୍କ ସ୍ତ୍ରୀ ତଥା ସରପଞ୍ଚ ମନ୍ଦୋଦରୀ ନିଜ ଦାୟିତ୍ବ ଓ କର୍ତ୍ତବ୍ୟରୁ ଓହରି ନାହାନ୍ତି ବୋଲି ପ୍ରଫୁଲ୍ଲ କହିଛନ୍ତି। ନିଜର ବାସ ନଥିବା ବେଳେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝୁଥିବା ସରପଞ୍ଚଙ୍କ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର