ବନ୍ୟା ବିତ୍ପତି : ତଥାପି ଦୁର୍ଦ୍ଦଶା କମିନି

ବାଲିପାଟଣା : ବନ୍ୟା ପ୍ରକୋପ କମିନାହିଁ। ବହୁ ଅଞ୍ଚଳରୁ ବନ୍ୟା ଜଳ କମି ଯାଇଥିଲେ ହେଁ ବାଲିପାଟଣା ବ୍ଲକର ଅନେକ ଅଞ୍ଚଳ ଏବେ ବି ବନ୍ୟାଘେରରେ ରହିଛି। ଅଚ୍ୟୁତପୁର କାଜରୁ ଏବେ ବି ପାଣି ଗଡ଼ୁଛି ଓ ଏବେ ବି କେତେକ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଚାଲୁଛି। ତେବେ ବହୁ ଅଞ୍ଚଳରୁ ବନ୍ୟା ପାଣି ଛାଡ଼ି ଗଲାଣି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ଟିକେ ବି କମି ନାହିଁ। ସବୁଆଡ଼େ ହାଁ ହାଁ। ଗାଁ ଗଣ୍ଡା, ଗହୀର, ରାସ୍ତାଘାଟ ସବୁଆଡ଼େ ବିପର୍ଯ୍ୟୟର ଚିହ୍ନ। ସବୁଆଡ଼େ ହା ହତାଶର ପଦଚିହ୍ନ। ବନ୍ୟା ଦାଉରେ ସବୁ ଅଞ୍ଚଳ ଶ୍ରୀହୀନ ହୋଇପଡ଼ିଛି।

୬ ଦିନ ପୂର୍ବରୁ ଯେଉଁ ଜମିରେ ପରିବା ଫସଲ ହସୁଥିଲା, ତାହା ବିବର୍ଣ୍ଣ ହୋଇପଡ଼ିଛି। ବାଇଗଣ, ଭେଣ୍ଡି ଆଦି ପରିବା ଫସଲର ଥୁଣ୍ଟା ଗଛ ସବୁ ବିଲ ମଝିରେ ବିକଳାଙ୍ଗ ହୋଇ ଠିଆ ହୋଇଛି। ବେଉଷଣ ପରେ ହସି ଆସୁଥିବା ଧାନ ଜମି କଳା ପଡ଼ି ଯାଇଛି। ତେଣୁ ମୁଣ୍ଡରେ ହାତ ଦେଇ ଚାଷୀ ବସିଛି। କେବଳ ଧାନ ଓ ପରିବା ଚାଷୀ ନୁହନ୍ତି, ମାଛ ଚାଷୀମାନେ ବି ଘୋର ମାନସିକ ଅବସାଦରେ ଅଛନ୍ତି। ହଜାରହଜାର ଟଙ୍କା ଖର୍ଚ୍ଚ କରି ମାଛ ଚାଷ କରିଥିବା ଚାଷୀ ସବୁ କିଛି ହରାଇ ବସିଛି। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଭାଗଚାଷୀ। ଧାରକରଜ କରି ବିଲରେ ଫଳାଇଥିବା ପରିବା ନାହିଁ କି ଧାନ ନାହିଁ। ସମାନ ଅବସ୍ଥା ପାନ ଚାଷୀଙ୍କର। ବନ୍ୟା ସୁଅରେ ବରଜ ସବୁ ଛାରଖାର ହୋଇଯାଇଛି। ହାତ‌ରେ ଆଉ ପଇସାଟିଏ ନାହିଁ। ବର୍ଷ ଗୋଟାକର ଭାତ ହାଣ୍ଡି ଭାଙ୍ଗିଯିବା ପରେ କ’ଣ କରିବେ ବୋଲି ବହୁ ଚାଷୀ ହତାଶ ହୋଇପଡ଼ିଛନ୍ତି। ଚାଷବାସରେ ମୂଲପାତି ଲାଗି ଚଳୁଥିବା ଲୋକଙ୍କ କଥା ସହଜରେ ଅନୁମେୟ। କାମଧନ୍ଦା ନଥିବାରୁ ସେମାନେ ବି ରୋଜଗାର ହରାଇ ଚିନ୍ତାରେ ପଡ଼ିଛନ୍ତି।

୬ଦିନ ହେଲା ଭଲରେ ମୁଠାଏ ଖାଇନାହାନ୍ତି ହଜାର ହଜାର ଲୋକ। ପିଇବା ପାଣି ସମସ୍ୟା ତ ସେହି ଦିନରୁ ଲାଗି ରହିଛି। ବହୁ ଲୋକଙ୍କ ଘର ଭାଙ୍ଗିଛି। ପାଣି ଛାଡ଼ିଥିଲେ ବି ଘର ଶୁଖିନାହିଁ। ତେଣୁ ଘରେ ଗୋଡ଼ ପକାଇବା ସମ୍ଭବ ହେଉନାହିଁ। ତେଣୁ ଆଜି ବି ଲୋକେ ବାରଦୁଆର ଶୁଣ୍ଢିପିଣ୍ଡା ଅବସ୍ଥାରେ ଅଛନ୍ତି। ପିଲାଙ୍କ ପାଠପଢ଼ା ଚୁଲିକି ଯାଇଛି। ବହି ଖାତା କେଉଁଠି ଅଛି, ତା’ର ହିସାବ ନାହିଁ। ଖିଆପିଆ ଠିକ୍‌ ନଥିବା ବେଳେ ପାଠପଢ଼ା କଥା କିଏ ବୁଝୁଛି!

ସେହିଭଳି ରାସ୍ତାଘାଟ ଅବସ୍ଥା। ବନ୍ୟା ପାଣି ସୁଅରେ ରାସ୍ତା ଧୋଇ ଯାଇଛି। କେଉଁଠି ରାସ୍ତା ଦବି ଯାଇଥିବାରୁ ଫାଟିକି ଆଁ କରିଛି। ବାଲିପାଟଣାରୁ ରାଜସ ରାସ୍ତାରେ ୩/୪ କିଲୋମିଟର କଂକ୍ରିଟ୍‌ ରାସ୍ତା ପୂର୍ବରୁ ଫାଟିଥିଲା। ଏବେ ବନ୍ୟାପାଣି ସୁଅରେ ଅଧିକ ଶୋଚନୀୟ ହୋଇପଡ଼ିଛି। ସେହିପରି ବେଲମରା ଓ କୃଷ୍ଣପୁର ଗ୍ରାମ୍ୟ ରାସ୍ତା ଧୋଇ ହୋଇଯାଇଛି। ଘାସିଅନ୍ଧଟିରୁ ଇନ୍ଦୋଳକୁସିଆରୀ, କୁରଞ୍ଜିପୁର, ସାନ ମାଛପୁର, ବିଲସାହି, ଦଳକଶୋଟି, ଦରଡା, ଟିଙ୍କିପଡ଼ା ପ୍ରଭୃତି ରାସ୍ତା ଯାତାୟାତ ଉପଯୋଗୀ ହୋଇନାହିଁ।

ବନ୍ୟା ଅଞ୍ଚଳର ଗାଈ, ମଇଁଷି, ଛେଳି ମେଣ୍ଢାଙ୍କ ପାଇଁ ବେଶି ସମସ୍ୟା ଉପୁଜିଛି। ଚରିବା ପାଇଁ ଦୁବଘାସ ବି ବଞ୍ଚି ନାହିଁ। ବାଡ଼ିରେ ପାଳଗଦା ପାଣିରେ ବୁଡ଼ି ସଢ଼ି ଯାଇଥିବା ବେଳେ ଘରେ ସାଇତା ହୋଇଥିବା କୁଣ୍ଡା ‌ଚୋକଡ଼ ବି ପାଣିରେ ଭିଜି ନଷ୍ଟ ହୋଇଯାଇଛି। ରିଲିଫ୍‌ରେ ଯଥେଷ୍ଟ ଗୋଖାଦ୍ୟ ମିଳି ନାହିଁ। ତେଣୁ ଏବେ ବି ଶହ ଶହ ସଂଖ୍ୟାରେ ଗୃହପାଳିତ ପଶୁ ଭୋକ ଉପାସରେ ପଡ଼ିଛନ୍ତି। ତେଣୁ ତୁରନ୍ତ ବନ୍ୟା କ୍ଷୟକ୍ଷତି ଆକଳନ କରି ଲୋକଙ୍କୁ ସହାୟତା ‌ଯୋଗାଇ ଦେବାକୁ ବିଜେପି ନେତା ବସନ୍ତ ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର