ପ୍ରେମିକା ଗାଁରେ ପ୍ରେମିକ ହଟହଟା: ଚୋର ସନ୍ଦେହରେ ଦାଣ୍ଡରେ ବାନ୍ଧି ଦେଲେ

ବାଲିପାଟଣା : ବିଳମ୍ବିତ ରାତିରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକା ଗାଁରେ ବନ୍ଧା ହେଲା ପ୍ରେମିକ। କେବଳ ପ୍ରେମିକ ନୁହେଁ, ତା’ ସାଙ୍ଗରେ ଯାଇଥିବା ୩ ସାଙ୍ଗ ମଧ୍ୟ ଗାଁ ଦାଣ୍ଡରେ ବନ୍ଧା ହେଲେ। ମାତ୍ର ପରେ ପ୍ରକୃତ ଘଟଣା ଜଣାପଡ଼ିବା ପରେ ବିଚରା ପ୍ରେମିକ ଓ ତା’ ବନ୍ଧୁମାନେ ଛାଡ଼ ପାଇଲେ। କିନ୍ତୁ ସେତେବେଳକୁ ପୁଲିସ ଗାଁରେ ପହଞ୍ଚି ଯାଇଥିଲା। ତେଣୁ ଚାରି ବନ୍ଧୁ ବି କିଛି ସମୟ ପାଇଁ ଥାନାରେ ଗୋଡ଼ ଭାଙ୍ଗି ଅପେକ୍ଷା କରିଥିଲେ। ଘଟଣାଟି ଭାକରସାହି ପଞ୍ଚାୟତରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଥିଲା ଏମିତି। ନହରକଣ୍ଟା ଅଞ୍ଚଳର ପ୍ରେମିକ ଜଣକ ବାଲିପାଟଣା ବ୍ଲକ ଭାକରସାହି ପଞ୍ଚାୟତର ଏକ ଗାଁରେ ଜଣେ ଯୁବତୀଙ୍କୁ ପ୍ରେମ କରୁଛି। ପ୍ରେମିକାକୁ ଭେଟିବା ପାଇଁ ଗତକାଲି ବିଳମ୍ବିତ ରାତିରେ ସେ ସାଙ୍ଗରେ ୩ ଜଣ ବନ୍ଧୁଙ୍କୁ ଧରି ସେହି ଗାଁକୁ ଯାଇଥିଲା। ତିନି ସାଙ୍ଗ ବାହାରେ ଅପେକ୍ଷା କଲା ବେଳେ ପ୍ରେମିକାଙ୍କ ବାଡ଼ି ତାଟି ଖୋଲି ଘରକୁ ଯିବାକୁ ବାହାରିଲା ପ୍ରେମିକ। କିନ୍ତୁ ତାଟି ଶବ୍ଦ ଶୁଣି ପଡ଼ୋଶୀ ଘର ଲୋ‌କେ ଉଠି ପଡ଼ି ଚୋର ଚୋର ବୋଲି ପାଟି କଲେ। ଉକ୍ତ ଅଞ୍ଚଳରେ ଛେଳିମେଣ୍ଢା ଚୋର ମାତିଥିବାରୁ ଗାଁ ଲୋକେ ଉଠି ପଡ଼ିଥିଲେ। ତେଣୁ ଭୟରେ ଚାରି ଜଣଯାକ ଗାଁରୁ ପଳାଇ ଆସି ଏକ ଅନ୍ଧାରିଆ ସ୍ଥାନରେ ଛପିଗଲେ। ଗାଁ ଲୋକେ ଚୋରମାନଙ୍କୁ ନପାଇ ନିଜ ନିଜ ଘରକୁ ଫେରି ଯାଇଥିଲେ। ତେବେ ୫/୬ ଜଣ ଯୁବକ ଚୋର କେଉଁଠି ଛପି ରହିଥିବା ସନ୍ଦେହ କରି ସେମାନଙ୍କୁ ଧରିବା ପାଇଁ ଛକି ବସିଲେ। କିନ୍ତୁ ସେମାନଙ୍କ ଯୋଜନା ଜାଣିନପାରି ପ୍ରେମିକ ଓ ତା’ ସାଙ୍ଗମାନେ ଛପିଥିବା ସ୍ଥାନରୁ ବାହାରି ପୁଣି ପ୍ରେମିକାର ବାଡ଼ି ପାଖକୁ ଗଲେ। ତେବେ ସେମାନେ ବାଡ଼ି ତାଟି ଖୋଲିବା ପୂର୍ବରୁ ଛକି ବସିଥିବା ଗାଁ ଯୁବକମାନେ ସେମାନଙ୍କୁ ଘେରି ଯାଇଥିଲେ ଓ ଧରୁଧରୁ ବିଧାଗୋଇଠା ବର୍ଷଣ କଲେ। ପାଟି ଶୁଣି ଗାଁ ଲୋକେ ସେଠାକୁ ଧାଇଁ ଆସି ସେମାନଙ୍କୁ ଚୋର ବୋଲି ଗାଁ ଦାଣ୍ଡରେ ବାନ୍ଧି ପକାଇଲେ। ଖବର ପାଇ ବାଲିପାଟଣା ଥାନା ପୁଲିସ ସେଠା‌ରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର