ବାଲିପାଟଣା, ଚନ୍ଦକା ଥାନା ସର୍ବାଧିକ କ୍ଷତିଗ୍ରସ୍ତ: ୨୩ ଥାନାରେ କୋଟିଏ ୩୭ଲକ୍ଷ କ୍ଷତି

ଭୁବନେଶ୍ବର: ଫନି ପ୍ରଭାବରେ କମିସନରେଟ୍‌ ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଡିସିପି ଅଫିସ୍‌, ଥାନା, ଫାଣ୍ଡି, ବାରାକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେଉଁଠି ପାଣି ଟାଙ୍କି ଫାଟି ଯାଇଛି ତ କେଉଁଠି ଝରକା କାଚ ଭାଙ୍ଗି ଯାଇଛି। କେଉଁଠି ସିଲିଂ, ସେଡ୍‌ ଗୁଡ଼ିକରୁ ଟିଣ ଉଡ଼ିଯାଇଛି। ସେହିପରି ପାଣି ପଶି ଅନେକ ବୈଦ୍ୟୁତିକ ସାମଗ୍ରୀ, ଭିଏଚ୍‌ଏଫ୍‌ ଟାୱାର, ଏସି, ପ୍ରିଣ୍ଟର୍‌ ଅଚଳ ହୋଇଯାଇଛି। ଖାଲି ସେତିକି ନୁହେଁ ୭ମ ବାଟାଲିୟନ, ଆଇପିଏସ୍‌ ମେସ୍‌, ରିଜର୍ଭ ପୁଲିସ ଅଫିସ୍‌ରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି। ପାଖାପାଖି ୪କୋଟି ୬୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ପୁଲିସ କମିସନର ସତ୍ୟଜିତ ମହାନ୍ତି ରାଜ୍ୟ ସରକାରଙ୍କୁ ଏକ ତାଲିକା ଦେଇଛନ୍ତି।

୨୩ ଥାନାରେ କୋଟିଏ ୩୭ଲକ୍ଷ କ୍ଷତି
କମିସନରେଟ୍‌ ପୁଲିସ ଅଧୀନ ରାଜଧାନୀର ୨୩ଟି ଥାନାରେ ପାଖାପାଖି ଏକ କୋଟି ୩୭ଲକ୍ଷ ୫୦ ହଜାର ଟଙ୍କାର କ୍ଷତି ଘଟିଛି। ତେବେ ବାଲିପାଟଣା ଓ ଚନ୍ଦକା ଥାନାରେ ସର୍ବାଧିକ କ୍ଷତି ଘଟିଥିବା ଆକଳନ କରାଯାଇଛି। ଉଭୟ ଥାନରେ କ୍ଷୟକ୍ଷତିର ପରିମାଣ ୩୦ଲକ୍ଷ ବୋଲି ଆକଳନ କରାଯାଇଛି। ବାଲିପାଟଣା ଥାନା‌ର ବିଶେଷ କରି ସୋଲାର ପ୍ୟାନେଲ୍‌, ଏସି ସିଟ୍‌ ରୁଫ୍‌ ନଷ୍ଟ ହୋଇଯିବା ସହ ୩ଟି କମ୍ପାଉଣ୍ଡ ୱାଲ୍‌ ଭାଙ୍ଗିଛି। ଚନ୍ଦକା ଥାନାର ଭିଏଚ୍‌ଏଫ୍‌ ଟାୱାର, ସିସିଟିଏନ୍‌ଏସ୍‌ କ୍ୟାମେରା, କମ୍ପାଉଣ୍ଡ ୱାଲ୍‌, ଏସି ସିଟ୍‌ ରୁଫ୍‌, ବାରାକ ନଷ୍ଟ ହୋଇଯାଇଛି। ସହିଦନଗର ଥାନା ୧୨ଲକ୍ଷ, ଲକ୍ଷ୍ମୀସାଗର ଥାନା ୭ଲକ୍ଷ, ଏସିପି ଜୋନ୍‌-୫ ଏକ ଲକ୍ଷ, କ୍ୟାପିଟାଲ ଥାନା ୭ଲକ୍ଷ, ଏସିପି ଜୋନ୍‌-୧ ୬ଲକ୍ଷ, ମହିଳା ଥାନା ସାଢ଼େ ୭ଲକ୍ଷ, ଶ୍ରୀଲିଙ୍ଗରାଜ ଥାନା ୪ଲକ୍ଷ, ଏୟାରଫିଲ୍‌ଡ ଥାନା ୫୦ହଜାର, ଏସିପି ଜୋନ୍‌-୨ ୨ଲକ୍ଷ, ଜଟଣୀ ଥାନା ୮ଲକ୍ଷ, ତମାଣ୍ଡୋ ଥାନା ସାଢ଼େ ୭ଲକ୍ଷ, ଖଣ୍ଡଗିରି ଥାନା ଏକ ଲକ୍ଷ, ନନ୍ଦନକାନନ ଥାନା ୬ଲକ୍ଷ, ଇମ୍ଫୋସିଟି ଥାନା ସାଢ଼େ ୪ଲକ୍ଷ, ମଞ୍ଚେଶ୍ବର ଥାନା ୨ଲକ୍ଷ, ଚନ୍ଦ୍ରଶେଖରପୁର ଥାନା ୩ଲକ୍ଷ, ବଡ଼ଗଡ଼ ଥାନା ଅଢ଼େଇ ଲକ୍ଷ, ଧଉଳି ଥାନା ୫ଲକ୍ଷ, ଟ୍ରାଫିକ୍‌ ଥାନା ଓ ଅଡ଼ିଟୋରିୟମ ୧୫ଲକ୍ଷ, ଖାରବେଳନଗର ଥାନା ୫ଲକ୍ଷ, ବାଲିଅନ୍ତା ଥାନା ୭ଲକ୍ଷ, ଏୟାରପୋର୍ଟ ଥାନା ୭ଲକ୍ଷ, ବିୁଦ୍ୟତ ଥାନା ଦେଢ଼ ଲକ୍ଷ ଏବଂ ନୟାପଲ୍ଲୀ ଥାନା ୫ଲକ୍ଷ ଟଙ୍କାର କ୍ଷତି ହୋଇଛି। ମୋଟ୍‌ କ୍ଷତିର ପରିମାଣ ଏକ କୋଟି ୩୭ଲକ୍ଷ ୫୦ ହଜାର ଟଙ୍କା ବୋଲି ଆକଳନ କରାଯଇଛି।

ଜାମୁଝରୀ ଏସ୍‌ଏସ୍‌ ବାଟାଲିୟନ
ଫନି ଯୋଗୁଁ ସ୍ପେସାଲ୍‌ ସିକ୍ୟୁରିଟି ବାଟାଲିୟନ ଜାମୁଝରୀ ଛିନ୍‌ଛତ୍ର ହୋଇଯାଇଛି। ଭିଭିଆଇପି, ସଚିବାଳୟ ଏବଂ ଜରୁରୀକାଳୀନ ପରିସ୍ଥିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୮୦ଏକର ବିଶିଷ୍ଟ ଜାଗାରେ ୨୦୦୯ ମସିହାରେ ଏହି ବାଟାଲିୟନକୁ କାର୍ଯ୍ୟକ୍ଷମ କରାଯାଇଥିଲା। ବାତ୍ୟାରେ ବାରାକର ପ୍ରାଶାସନିକ ବିଲ୍‌ଡିଂ ଠାରୁ ଆରମ୍ଭ କରି ପୁରୁଷ ଜେସିଓ ବାରାକ, ପୁରୁଷ ବାରାକ୍‌-୧ଓ୨, ରୋଷେଇଘର, ଅସ୍ତ୍ରଶସ୍ତ୍ର ଗୃହ ଏବଂ ପାର୍କିଂ ସେଡ୍‌ ନଷ୍ଟ ହୋଇଯାଇଛି। ପ୍ରଶାସନିକ ବିଲ୍‌ଡିଂ ୯ଲକ୍ଷ, ଜେସିଓ ବାରାକ ୫ଲକ୍ଷ, ପୁରୁଷ ବାରାକ ୧ ଓ ୨ ୧୭ଲକ୍ଷ, ରୋଷେଇଘର ଓ ଡାଇନିଂ ୪ଲକ୍ଷ, ଅସ୍ତ୍ରଶସ୍ତ୍ର ଗୃହ ସାଢ଼େ ୬ଲକ୍ଷ ଏବଂ ପାର୍କିଂ ୫ଲକ୍ଷ। ମୋଟ ସାଢ଼େ ୪୬ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ନାଇଜର୍‌ ନିକଟରେ ଥିବା ଏସ୍‌ଏସ୍‌ ବାଟାଲିୟନ ବାରାକରେ ୫ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି।

ପୁଲିସ କମିସନର ବିଲ୍‌ଡିଂ ଓ ଡିସିପି କାର୍ଯ୍ୟାଳୟ
ପୁଲିସ କମିସନର ବିଲ୍ଡିଂରେ ବ୍ୟାପକ କ୍ଷତି ଘଟିଛି। କମିସନରେଟ୍‌ ବିଲ୍ଡିଂରେ ଥିବା ଡିଜି କ୍ୟାମ୍ପ ଅଫିସର କାଚ ଭାଙ୍ଗିଯାଇଛି, ଅତିରିକ୍ତ ପୁଲିସ କମିସନରଙ୍କ ଲବି କାଚ କବାଟ ଭାଙ୍ଗିଯାଇଛି, ପିଆର୍‌ଓ ସେଲ୍‌, ଅପରାଧ ସେଲ୍‌, ମିଡିଆ ହଲ୍‌ର ପ୍ୟାନେ୍‌ଲ ଡୋର୍‌,୨୦ଟି ଏସି କମ୍ପ୍ରେସର୍‌ ଭାଙ୍ଗି ଯାଇଛି। ପାଖାପାଖି ୨୭ଲକ୍ଷ ଟଙ୍କାର କ୍ଷତି ହେବ ବୋଲି ଅନୁମାନ କରାଯାଇଛି। ଏକଲକ୍ଷ ବର୍ଗକ୍ଷେତ୍ର ଛାତର ମରାମତି ପାଇଁ ୨୫ଲକ୍ଷ ବ୍ୟୟ ବରାଦ ହୋଇଛି। ସେହିପରି ଡିସିପି କାର୍ଯ୍ୟାଳୟରେ ଥିବା ଭିଏଚ୍‌ଏଫ୍‌ ଟାୱାର ଭାଙ୍ଗି ଯାଇଛି। କଣ୍ଟ୍ରୋଲ ରୁମ୍‌ର ବିଭିନ୍ନ କାଚ ଡୋର, ସିଲିଂ ଆଦି ନଷ୍ଟ ହୋଇଯାଇଛି। ଯାହାକି ୫ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଛି।

ଟ୍ରାଫିକ୍‌ ସିଗ୍‌ନାଲ୍‌ ଓ ସିସିଟିଭି ଅଚଳ
ବାତ୍ୟାରେ ୫୦ଟି ଟ୍ରାଫିକ୍‌ ସିଗ୍‌ନାଲ୍‌ ସମ୍ପୂର୍ଣ୍ଣ ଖରାପ୍‌ ହୋଇଯାଇଛି। କେଉଁଠି ଖୁଣ୍ଟି ଉପୁଡ଼ି ଯାଇଥିଲା ତ କେଉଁଠି କନେକ୍ସନ ଛିଡ଼ି ଯାଇଥିଲା। ତେବେ ଯୁଦ୍ଧକାଳୀନ ପରିସ୍ଥିତିରେ ସେଥି ମଧ୍ୟରୁ ୪୨ଟି ଟ୍ରାଫିକ୍‌ ସିଗ୍‌ନାଲ୍‌କୁ ମରାମତି କରାଯାଇଛି। ହେଲେ ଜୟଦେବ ବିହାର, କିଟ୍‌, ଶିଶୁଭବନ ଛକ, ବାଣୀବିହାର, ଷ୍ଟିୱାର୍ଟ, ଆଚାର୍ଯ୍ୟବିହାର, ଫାୟାରଷ୍ଟେସନ୍‌ ଓ ଦୟାନଦୀ ଆଦି ୮ଟି ସ୍ଥାନରେ ଥିବା ଅତ୍ୟାଧୁନିକ ଟ୍ରାଫିକ୍‌ ସିଗ୍‌ନାଲ୍‌ ପୋଷ୍ଟକୁ ଠିକ୍‌ କରାଯାଇପାରି ନାହିଁ। ଏଥିପାଇଁ ମୁମ୍ବାଇର ଟେକ୍ନିକାଲ୍‌ ଟିମ୍ ସହ ଯୋଗାଯୋଗ କରାଯାଇଛି ବୋଲି ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି କହିଛନ୍ତି।

ସେହିପରି କମିସନରେଟ୍‌ ପୁଲିସର ବିଭିନ୍ନ ଟ୍ରାଫିକ୍‌ରେ ଥିବା ୧୩୪ଟି କ୍ୟାମେରାରୁ ୭୫ଟି ଅଚଳ ହୋଇପଡ଼ିଛି। ୭୫ଟି ଅଚଳ ମଧ୍ୟରୁ ୬ଟି ପିଟିଜେଡ୍‌ କ୍ୟାମେରା ରହିଛି। ଯାହାକି ଆଖପାଖ ଅଞ୍ଚଳର ଚତୁର୍ଥପାଶ୍ବକୁ ନଜର ରଖିଥାଏ। ରବୀନ୍ଦ୍ରମଣ୍ଡପ, ଗଭର୍ଣ୍ଣର ହାଉସ୍‌, ଲୋୟରପିଏମ୍‌ଜି, ରାମମନ୍ଦିର, କଳ୍ପନା ଛକ, ନାଲ୍‌କୋ ଛକ ଅଦି ୬ଟି ସମ୍ବେଦନଶୀଳ ସ୍ଥାନରେ ଲାଗିଥିବା ଏହି କ୍ୟାମେରା ଅଚଳ ହୋଇପଡ଼ିଛି। ନେଟ୍‌ୱର୍କ ଓ ପାୱାର କନେକ୍ସନରେ ସମସ୍ୟା ଯୋଗୁଁ କ୍ୟାମେରାଗୁଡ଼ିକ ଅଚଳ ହୋଇପଡ଼ିଛି। ଏହାଛଡ଼ା କେତେକ କ୍ୟାମେରାରେ ଭାଙ୍ଗିଯିବା ସହ ପାଣିପଶି ନଷ୍ଟ ହୋଇଯାଇଛି। ଏଥିପାଇଁ ସେସୁ ଓ ବିଏସ୍‌ଏନ୍‌ଏଲ୍‌ କର୍ତୃପକ୍ଷଙ୍କୁ କମିସନରେଟ୍‌ ପୁଲିସ ପକ୍ଷରୁ ଚିଠି କରାଯାଇଛି। ସେହିପରି କ୍ୟାମେରାର ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିବଦ୍ଧ ଥିବା ସଂସ୍ଥା ହନିୱେଲ୍‌କୁ ମଧ୍ୟ ତୁରନ୍ତ ମରାମତି ପାଇଁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର