ବାଲିପାଟଣା କଲେଜ ଅଣଛାତ୍ରଙ୍କ ଆଡ଼ା, ଥାନାରେ ଏତଲା ଦେଲେ ଅଧ୍ୟକ୍ଷ

ବାଲିପାଟଣା: ଶିଶୁଅନନ୍ତ ମହାବିଦ୍ୟାଳୟ ଅଣଛାତ୍ରଙ୍କ ଆଡା ପାଲଟିଛି। ବିଭିନ୍ନ ସମୟରେ ଦଳ ଦଳ ହୋଇ ଅଣଛାତ୍ର କଲେଜ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି। ଗତ ୫ତାରିଖରେ ପ୍ରାୟ ୫୦ ଜଣ ଅଣଛାତ୍ର କଲେଜ ପରିସରରେ ଛାତ୍ରୀମାନଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ସହିତ ହୋ ହଲ୍ଲା କରିଥିଲେ। ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। କଲେଜ କର୍ମଚାରୀ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ନେଇ କଲେଜ ଅଧ୍ୟକ୍ଷ ବୈକୁଣ୍ଠ ନାରାୟଣ ଦାଶ ଥାନାରେ ଏତଲା ଦେଇଛନ୍ତି।

ସେ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ସମ୍ପୃକ୍ତ ଅଣଛାତ୍ରମାନେ କଲେଜ ପରିସରରେ ସ୍ପିଡ୍ ବାଇକ ନେଇ ଯିବା ଆସିବା କରୁଥିବାରୁ ବିପଦ ସୃଷ୍ଟି ହେଉଛି। କୋଚିଂ ସେଣ୍ଟରରେ ଆଡିମିଶନ କରାଇବା ପାଇଁ ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। କଲେଜ ପାଖରେ ଥିବା ଦେକାନରେ ଗୁଟ୍‌ଖା ଓ ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ହେଉଛି। ଉଠା ଦୋକାନୀ ମାନେ ରାସ୍ତା କଡ଼ରେ ପସରା ମେଲେଇ ବାରୁ ଯାତାୟାତରେ ଅସୁବିଧା ହେଉଛି ବୋଲି ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି। ଏତଲାର କପି ସେ ପୁଲିସ କମିସନର, ଜୟଦେବ ବିଧାୟକ, ବାଲିପାଟଣା ତହସିଲଦାର ଓ ବିଡିଓଙ୍କୁ ପ୍ରଦାନ କରିଥିବା କହିଛନ୍ତି। ଏହି ଘଟଣାକୁ ଥାନା ଅଧିକାରୀ ଗୁରୁତ୍ବର ସହିତ ନେଇଛନ୍ତି। ୪/୫ ଜଣ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ବରେ ଲଗାଯିବ ବୋଲି ଥାନା ଅଧିକାରୀ ବଳରାମ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର