ରୋଗୀଙ୍କୁ ଭଗବାନ ସାହା : ଡ୍ରେସିଂ କଲେ ଝାଡ଼ୁଦାର

ବାଲିପାଟଣା : ସ୍ବାସ୍ଥ୍ୟ ସେବା ପାଇଁ ବାଲିପାଟଣା ବ୍ଲକ୍‌ର ଏକମାତ୍ର ଭରସା ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ମାତ୍ର ରବିବାର ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ସେବା ଠପ୍‌ ହୋଇଯାଇଥିଲା। ଡାକ୍ତର ଶ୍ରୀମୟ ମିଶ୍ରଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ରୋଗୀମାନେ ମେଡିକାଲ୍‌କୁ ଆସି ଦୀର୍ଘସମୟ ଧରି ଅପେକ୍ଷା କରିକରି ଶେଷରେ ଘରକୁ ଫେରିଥିଲେ। ଔଷଧ ଦୋକାନରୁ ନିଜ ରୋଗ ସମ୍ପର୍କରେ କହି ଔଷଧ ନେଇ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏ ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯିବା ପରେ ସେ ରାଜସର ସବ୍‌ ମେଡିକାଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଫୋନ୍‌ କରିଥିଲେ। ମାତ୍ର ସେ କାର୍ଯ୍ୟରେ ଯୋଗଦେବାରେ ବିଳମ୍ବ ହେବାରୁ ଘଣ୍ଟାଘଣ୍ଟା ଅପେକ୍ଷା କରି ବହୁ ରୋଗୀ ଫେରିବାକୁ ବାଧ୍ୟ ହୋଇଥିଲେ। ଏହା ମଧ୍ୟରେ ଗର୍ଭବତୀ, ଝାଡ଼ାବାନ୍ତି ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଆଜି ମଧ୍ୟ ଅନୁରୂପ ସମସ୍ୟା ଭୋଗିବାକୁ ପଡ଼ିଥିଲା। ଡ୍ରେସିଂ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଝାଡ଼ୁଦାର ଡ୍ରେସିଂ କାମ ତୁଲାଇଥିଲେ। ଏହା ଖୋଦ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଂଜନ ହାତୀ ସ୍ବୀକାର ମଧ୍ୟ କରିଛନ୍ତି।

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୨୦ରୁ ଊର୍ଧ୍ବ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀଙ୍କୁ ହଟହଟା ହେବାକୁ ପଡ଼ିଛି। ଗୁରୁତର ରୋଗୀଙ୍କୁ କିପରି ଚିକିତ୍ସା କରାଇବେ ଚିନ୍ତାରେ ପଡିଯାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏମିତି କି କ୍ବାର୍ଟର ଦିଆଯାଇଥିଲେ ମଧ୍ୟ କେହି ସେଠାରେ ରହୁନାହାନ୍ତି। ତେଣୁ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ମଧ୍ୟ ଲୋକେ ଉପକୃତ ନେଇପାରୁନାହାନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ୫ ଜଣ ଡାକ୍ତରଙ୍କ ମଧ୍ୟରୁ ୨ ଜଣ ଛୁଟିରେ ଚାଲିଯାଇଛନ୍ତି। ଆଜି ବି ଜଣେ ଡାକ୍ତର ରୋଗୀ ସେବା ଭାର ସମ୍ଭାଳିଥିଲେ। ପୂର୍ବାହ୍ନ ୧୦ଟା ସୁଦ୍ଧା ୮୦ ଜଣ ରୋଗୀ ଟିକେଟ୍ କରିଥିବା ବେଳେ ପ୍ରାୟ ୩୦/୪୦ ଜଣ ଶିଶୁ, ବୃଦ୍ଧ, ମହିଳା ରୋଗୀ ଲାଇନରେ ଛିଡ଼ା ହୋଇ ରହିଥିଲେ। ଡ୍ରେସିଂ କର୍ମଚାରୀ ଅନୁପସ୍ଥିତ ଥିବାରୁ ଝାଡ଼ୁଦାର ରୋଗୀଙ୍କ ଡ୍ରେସିଂ କରିଥିଲେ। ଗତକାଲି ଡ୍ରେସର କୌଣସି କାରଣରୁ ନଆସିବାରୁ ଠିକା ଭିତ୍ତିକ ଝାଡୁଦାର ଗୁରୁତର ରୋଗୀଙ୍କ ଡ୍ରେସଂ କାମ ସମ୍ପାଦନ କରିଥିଲେ। ପିଣ୍ଡାରେ ହିଁ ରୋଗୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନା ପରିସରରେ ପିଇବା ପାଣିର ସଙ୍କଟ ମଧ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏମିତିକି ସପ୍ତାହକୁ ଦୁଇଦିନ ରାତି ଡ୍ୟୁଟି କରିବାକୁ ଡାକ୍ତରମାନଙ୍କୁ କୁହାଯିବାରୁ ସେମାନେ ଛୁଟିରେ ଚାଲିଯିବାକୁ ଧମକ ଦେଉଛନ୍ତି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡା. ହାତୀ କହିଛନ୍ତି। ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି ଅବସ୍ଥା ଯୋଗୁ ୩ଟି ସବ୍ ସେଣ୍ଟରରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ରାଜନୈତିକସ୍ତରରେ ପ୍ରୟାସ କରାଯାଇ ତୁରନ୍ତ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି ହେଉଛି। ବାରମ୍ବାର ଏ ସମ୍ପର୍କରେ କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ କେବଳ ରାଜନୈତିକସ୍ତରରେ ଚାପ ପଡ଼ିଲେ ହିଁ ଏହା ସମ୍ଭବ ହୋଇପାରିବ ବୋଲି ଡା. ହାତୀ କହିଛନ୍ତି।

ସମ୍ବନ୍ଧିତ ଖବର