ବାତ୍ୟା ଫନିରେ ପ୍ରାଣ ହରାଇଥିବା ୧୨ଜଣଙ୍କ ପରିବାରକୁ ଏଯାଏ ସରକାରୀ ସହାୟତା ମିଳି ନାହିଁ। ୨୩,୭୩୦ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ୫କୋଟି ୯୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟୟରେ ୨୮୬୦ଜଣ ବିପନ୍ନଙ୍କୁ ଟଙ୍କା ବଣ୍ଟନ ଆରମ୍ଭ ହେଲାଣି। କିନ୍ତୁ ଦୁର୍ଦିନରେ ଗତି କରୁଥିବା ମୃତକଙ୍କ ପରିବାରକୁ ସରକାରୀ ସହାୟତା ନମିଳିବା ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପାନ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିଲାନି
ବାଲିପାଟଣା ଅଞ୍ଚଳରେ କୃଷି ଓ ଉଦ୍ୟାନ ବିଭାଗରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ମାତ୍ର ଏଯାଏ କ୍ଷୟକ୍ଷତିର ଆକଳନ ଚିଠା ସରକାରଙ୍କୁ ପ୍ରଦାନ କରାଯାଇନାହିଁ। ଉଦ୍ୟାନ ବିଭାଗ ନିକଟରେ ପ୍ରାୟ ୩୦ ହଜାରରୁ ଊର୍ଧ୍ବ ଅଭିଯୋଗ ହୋଇଛି। ୨୩୦୦ରୁ ଅଧିକ ପାନବରଜ କ୍ଷତିର ତଥ୍ୟ ବିଭାଗ ନିକଟରେ ଥାଇ ମଧ୍ୟ ଅଧିକାରୀଙ୍କ ଉଦାସୀନତା କାରଣରୁ ଏହା ଫାଇଲ ମଧ୍ୟରେ ବନ୍ଦ ପଡ଼ିଛି। ଏବେ ବି ଅର୍ଥ ଅଭାବରୁ ପାନବରଜ ସେମିତି ମାଟିରେ ମୁହଁ ମାଡ଼ି ପଡ଼ିଛି। ଫଳରେ ମାଟିରେ ଲୋଟିଥିବା ବରଜ ଉପରେ ଲଟା ମାଡ଼ି ଗଲାଣି। ପାଣି ଅଭାବରୁ ଖରାରେ ମଧ୍ୟ ପାନପତ୍ର ଜଳି ଯାଉଛି। ଯାହାକୁ ନେଇ ଚିନ୍ତାରେ ଚାଷୀ ରହିଛନ୍ତି। କ୍ଷେତ୍ର ପରିଦର୍ଶନ ଆଳରେ କର୍ମଚାରୀଙ୍କ ଦେଖାମିଳୁନି। ଫଳରେ ଅଭିଯୋଗ କରିବାକୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୃଷି ବିଭାଗରେ ୨୭୫୦ ହେକ୍ଟର ଜମିରେ ଧାନ, ମୁଗ, ବିରି, ଆଖୁ ଆଦି ଫସଲ ନଷ୍ଟ ହୋଇଯାଇଛି। ପ୍ରତ୍ୟେକ ଅଞ୍ଚଳର ଆରଆଇଙ୍କ ଉପସ୍ଥିତିରେ କ୍ଷୟକ୍ଷତି ଚିଠା ପ୍ରସ୍ତୁତ ହେବ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି।
ଅସଜଡ଼ା ସ୍କୁଲ ଗୃହ
ବାତ୍ୟାରେ ବ୍ଲକର ୧୪୬ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ଏବେବି ଅସଜଡ଼ା ହୋଇ ରହିଛି। ଅଧିକାଂଶ ବିଦ୍ୟାଳୟ ପରିସରରୁ ଭଙ୍ଗା ଗଛ ଉଠା ଯାଇନାହିଁ। କାନ୍ଥ, ଗେଟ୍, ପାଚେରି ଭାଙ୍ଗି ବିପଦ ସଂକୁଳ ଅବସ୍ଥାରେ ରହିଛି। ପାଚେରି ଭାଙ୍ଗି ଯାଇଥିବାରୁ ସରାଟଶାସନ ଉପ୍ରା ବିଦ୍ୟାଳୟ ଗେଟ୍ ଖୁଣ୍ଟ ବିପଦସଂକୁଳ ଭାବେ ଛିଡ଼ା ହୋଇଛି। ପ୍ରତ୍ୟେକ ଦିନ ଅଙ୍ଗନବାଡ଼ି କେନ୍ଦ୍ରକୁ ବିପଜ୍ଜନକ ଭାବେ ଶିଶୁମାନେ ଆସୁଛନ୍ତି।
ସହାୟତା ଅପେକ୍ଷାରେ କୁକୁଡ଼ା ଚାଷୀ
କୁକୁଡ଼ା ଚାଷୀଙ୍କୁ ଏଯାଏଁ ସହାୟତା ରାଶି ମିଳିନାହିଁ। ୨୩୭ଟି କୁକୁଡ଼ା ଫାର୍ମ ନଷ୍ଟ ହୋଇଯାଇଥିବା ବିଭାଗ ପକ୍ଷରୁ ସରକାରଙ୍କୁ ଚିଠା ଦିଆଯାଇଛି। ମାତ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ କେବେ ସହାୟତା ମିଳିବ, ସେ ସୂଚନା ଅଧିକାରୀଙ୍କ ପାଖରେ ନାହିଁ। ବାତ୍ୟାରେ ୪.୫ ଲକ୍ଷ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ଟି ଗୋରୁ, ମଇଁଷି, ୧୮୪ଟି ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ବାତ୍ୟା ପୂର୍ବରୁ ସରକାରଙ୍କୁ ୧୧୨ମେଟ୍ରିକ ଟନ୍ ଗୋ-ଖାଦ୍ୟ ମଗା ଯାଇଥିବା ବେଳେ ଏଯାଏ ତାହା ମିଳି ପାରିନାହିଁ।
ବଢ଼ୁଛି ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା
ବାତ୍ୟା ପରେ ପାନୀୟ ଜଳ ଅଭାବରୁ ସମ୍ପୃକ୍ତ ଅଞ୍ଚଳରେ ଲୋକେ ଦୂଷିତ ପାଣି ପିଇ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନରହି ଘରୋଇ କ୍ଲିନିକ୍ରେ ବ୍ୟସ୍ତ ରହୁଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇନଥିବାରୁ ଅଂଶୁଘାତ ରୁମ୍ରେ ଏସି କାମ କରୁନି। କୁଲର ଲଗାଇ ଅଂଶୁଘାତ ରୋଗୀଙ୍କ ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ ପାଇଁ ତରବରିଆ ଭାବେ ଏକ ଅପରିଷ୍କାର ସ୍ଥାନରେ ପାଣିଟାଙ୍କି ବସାଯାଇଛି। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କିୟ ଦୂଷିତ ପାଣି ପିଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।
ଉତ୍କଟ ରୂପ ଧାରଣ କରିଛି ପାନୀୟ ଜଳ ସମସ୍ୟା
ବାଲିପାଟଣା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଉକ୍ତ ଅଞ୍ଚଳରେ ୧୪୯୨ଟି ନଳକୂପ ଥିବା ବେଳେ ଅଧିକାଂଶରୁ ଲୌହଯୁକ୍ତ ପାଣି ବାହାରୁଛି। ବାତ୍ୟାର ମାସକ ପରେ ମଧ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଜେନେରେଟର ଚଳାଇ ଗ୍ରାମାଞ୍ଚଳକୁ ଗୋଟିଏ ଘଣ୍ଟା ପାଣି ଯୋଗାଇ ଦିଆଯାଉଛି। ମାତ୍ର ତାହା ଲୋକଙ୍କ ଚାହିଦା ପୂରଣ କରିପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-11-2.jpg)