ପୁଣି ଚର୍ଚ୍ଚାରେ ବାଲିପାଟଣା ଥାନା ପୁଲିସ : କୋର୍ଟ ଆଦେଶ ପରେ ମାମଲା ରୁଜୁ

ଅଭିଯୁକ୍ତଙ୍କୁ ବାନ୍ଧୁନି

ଭୁବନେଶ୍ୱର : ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଜେଲ୍‌ ପଠାଇବା, ଅଭିଯୁକ୍ତଙ୍କ ଘର ଭାଙ୍ଗି ଲୁଟ୍‌ ହେବା ପରେ କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣାରେ ଚର୍ଚ୍ଚାରେ ଥିବା ବାଲିପାଟଣା ଥାନା ପୁଲିସ ପୁଣି ଥରେ ବିବାଦକୁ ଆସିଛି। ଜଣେ ମହିଳାଙ୍କୁ ଅସଦାଚରଣ ହେବା ସହ ହତ୍ୟା ଉଦ୍ୟମ ହୋଇଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରୁନଥିଲା। ଏ ନେଇ କୋର୍ଟ ଆଦେଶ ଦେବା ପରେ ମାମଲା ସିନା ରୁଜୁ ହେଲା ହେଲେ ଖୋଲାଖୋଲି ଭାବରେ ବୁଲୁଥିବା ଅଭିଯୁକ୍ତଙ୍କୁ ଗିରଫ କଲା ନାହିଁ। ବରଂ ‘କୋର୍ଟରେ କହ, ବାନ୍ଧିବେ’ ବୋଲି ଜଣେ ବଡ଼ବାବୁ ଅଭିଯୋଗକାରୀକୁ କହିଲେ।

‘ମୋ ସରକାର’ ବ୍ୟବସ୍ଥାକୁ ନେଇ ସରକାର ତନାଘନା କରୁଥିବା ବେଳେ ଅଭିଯୋଗକାରୀଙ୍କ ପ୍ରତି ଏତାଦୃଶ ମନ୍ତବ୍ୟକୁ ନେଇ ବାଲିପାଟଣା ଥାନା ବିବାଦକୁ ଆସିଛି। ଏହାକୁ ନେଇ ଆଜି ଅଭିଯୋଗକାରିଣୀ ଜନ ଅଭିଯୋଗ ଶୁଣାଣିରେ ପୁଲିସ କମିସନରଙ୍କୁ ଭେଟିଛନ୍ତି। ମାମଲାର ଉପଯୁକ୍ତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ମିଳିଛି। ଅନ୍ୟପଟେ ଅଭିଯୋଗକାରିଣୀଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାରକୁ ବାଲିପାଟଣା ଥାନା ପୁଲିସ ଖଣ୍ଡନ କରିଛି। ମାମଲାର ତଦନ୍ତ ଚାଲିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନା ମୁତବାକ, ବାଲିପାଟଣା ଖଜୁରୀଆପଡ଼ାର ଅର୍ଜୁନ ସାହୁ ସପରିବାର ବାସ କରନ୍ତି। ଗତ ମେ’ ମାସରେ ତାଙ୍କ ଗ୍ରାମରେ ବିଜୁଳି ସଂଯୋଗ ପାଇଁ ନୂଆ ଖୁଣ୍ଟ ପୋତା ଯାଉଥିଲା। ରାସ୍ତା କଡ଼ରେ ଏହାକୁ ନେବା ପାଇଁ ବ୍ୟବସ୍ଥା ଥିବା ବେଳେ ଖୁଣ୍ଟଗୁଡ଼ିକ ଅର୍ଜୁନଙ୍କ ବାଡ଼ିରେ ପୋତା ଯାଇଥିଲା। ଏହା ଜୀବନ ପ୍ରତି ବିପଦ ଥିବା ବେଳେ ଖଳା ବ୍ୟବହାର ଅନୁପଯୋଗୀ ହୋଇପଡ଼ିବା ଆଶଙ୍କା କରି ତାଙ୍କ ପତ୍ନୀ ରେଣୁ ସାହୁ ଏହାର ବିରୋଧ କରିଥିଲେ। ଗ୍ରାମର କେତେକ ପୁରୁଷଙ୍କ ସହ କେତେକ ମହିଳା ମିଳିତ ଭାବେ ଆକ୍ରମଣ କରିବା ସହ ରେଣୁଙ୍କ ବାଡ଼ିରେ ଜବରଦସ୍ତ ଖୁଣ୍ଟ ପୋତିଥିଲେ। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ବାଲିପାଟଣା ଥାନା ପୁଲିସ ମାମଲା ରୁଜୁ କରିନଥିଲା। କୋର୍ଟଙ୍କ ଆଦେଶ ପରେ ଚଳିତ ମାସ ୧ ତାରିଖରେ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବାର ୨୧ ଦିନ ବିତିଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିନଥିବାରୁ ପୀଡ଼ିତ ଦମ୍ପତ୍ତି ଆଜି ପୁଲିସ କମିସନରଙ୍କୁ ଭେଟିଛନ୍ତି।

ସମ୍ବନ୍ଧିତ ଖବର