‌ଶୋଚନୀୟ କେନାଲ ବନ୍ଧ ରାସ୍ତା, ଗାଁକୁ ଯାଇ ପାରୁନି ଆମ୍ବୁଲାନ୍‌ସ

ବାଲିପାଟଣା: କେନାଲ ବନ୍ଧ ରାସ୍ତା କଦର୍ଯ୍ୟ ହୋଇ ପଡ଼ିଥିବାରୁ ଦୁଇ ପଞ୍ଚାୟତର ଶହ ଶହ ଲୋକେ ହସ୍ପିଟାଲ୍‌ ଯିବା ପାଇଁ ସମସ୍ୟାରେ ପଡ଼ୁଛନ୍ତି। ବର୍ଷା ଦିନ ଆସିଲେ କେନାଲ ବନ୍ଧ କାଦୁଅ ପଚପଚ ହୋଇ ପଡ଼ୁଥିବାରୁ ଏହି ସମସ୍ୟା ଆହୁରି ବଳେଇ ପଡ଼ୁଛି। ଗାଁକୁ ଯାଇ ପାରୁନି ଆମ୍ବୁଲାନ୍‌ସ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜି ବସିଛି। ଜିଲ୍ଲା ପ୍ରଶାସନର ଉଦାସୀନତା ଜଳସେଚନ ବିଭାଗକୁ ସୁହାଇଛି। ରାସ୍ତା ମରାମତି କରାଯାଉନାହିଁ। ଫଳରେ ଦିନକୁ ଦିନ କେନାଲ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପମ୍ପାଲୋ ଓ ରାଜସ ପଞ୍ଚାୟତବାସୀଙ୍କ ଦୁଃଖ।

ପମ୍ପାଲୋ ଓ ରାଜସ ପଞ୍ଚାୟତର ବହୁ ଗାଁ ଲୋକେ ଆଙ୍କୁଶପୁର କେନାଲ ବନ୍ଧ ରାସ୍ତାରେ ସରାଟ ଶାସନ ଦେଇ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଆନ୍ତି। ବାଲିପାଟଣା ଜଳସେଚନ ବିଭାଗ ଅଧୀନରେ ଏହି ରାସ୍ତାଟି ଅଛି। ୨୦୧୧/୨୦୧୨ ମସିହାରେ ନିମାପଡ଼ା ଡିଭିଜନ ପକ୍ଷରୁ ଏହି କେନାଲ ବନ୍ଧ ରାସ୍ତା ନବୀକରଣ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଟେଣ୍ତର ହୋଇଥିଲା। କୌଣସି କାରଣରୁ ଟେଣ୍ତର ପାଇଥିବା ଠିକାଦାର ଏହି କାମ କଲେନାହିଁ। ପରେ ଉକ୍ତ ଟେଣ୍ତର ବାତିଲ ହୋଇଗଲା। କିନ୍ତୁ ପରେ ଆଉ ପୁନଃଟେଣ୍ଡର କରାଗଲା ନାହିଁ। ଆଜି ପର୍ଯ୍ୟନ୍ତ ଉକ୍ତ ଫାଇଲ୍‌ ସେମିତି ବିଭାଗୀୟ କେଉଁ ଅଳିଆଗଦାକୁ ଚାଲିଯାଇଛି। ଫଳରେ ଏବେ ସରାଟ ଶାସନ ଓ ଅନ୍ୟାନ୍ୟ ଗାଁ ଲୋକେ ଅସୁସ୍ଥ ହେଲେ ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ର ଯିବା ପାଇଁ ଏହି ରାସ୍ତାକୁ ଛାଡ଼ି ଭିନ୍ନ ରାସ୍ତାରେ ବୁଲି ବୁଲି ଅଧିକ ଦୂରତା ଅତିକ୍ରମ କରୁଛନ୍ତି। ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସରାଟ ଶାସନବାସିନ୍ଦା। ବର୍ଷା ଦିନରେ ରାସ୍ତା ଅବସ୍ଥା ପାଇଁ ଗାଁକୁ ଆମ୍ବୁଲାନ୍‌ସଟିଏ ଆସିବା ବନ୍ଦ ହୋଇଯାଏ।
କେନାଲ ବନ୍ଧ ରାସ୍ତା କଦର୍ଯ୍ୟ ହୋଇପଡ଼ିଥିବାବେଳେ ଚଣାହଟା-ରାଜସ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାଟି ମଧ୍ୟ ପଙ୍କକାଦୁଅପୂର୍ଣ୍ଣ ହୋଇପଡ଼େ। ପଂଚାୟତ ତରଫରୁ ତତ୍କାଳୀନ ସମିତି ସଭ୍ୟା ପ୍ରୀତିପର୍ଣ୍ଣା ଦାଶଙ୍କ ସହଯୋଗରେ ଏହି ରାସ୍ତାର କିଛି ଅଂଶ କଂକ୍ରିଟ୍‌ ଢଳେଇ ହୋଇଥିଲା। କିନ୍ତୁ ଏବେ ବି ବାକି ଅଂଶ ସେମିତି ବିପର୍ଯ୍ୟସ୍ତ ହୋଇପଡିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର