ବାଲିପାଟଣା: ଆଳିସି ପଞ୍ଚାୟତ ଦନାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ବଳରାମ ବେହେରାଙ୍କୁ ଆଜି ବିଦ୍ୟାଳୟରେ ପୂରାଇଦିଆଯାଇନାହିଁ। ଡେପୁଟେସନ୍ରେ ଯାଇ ପୁଣି ବିଦ୍ୟାଳୟକୁ ଫେରିଥିବା ଶିକ୍ଷକ ଶ୍ରୀ ବେହେରାଙ୍କୁ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଜଗି ବସିବା ଫଳରେ ଶିକ୍ଷକ ଶ୍ରୀ ବେହେରା ବାଧ୍ୟ ହୋଇ ଫେରିଯାଇଥିଲେ। ଅଭିଭାବକମାନଙ୍କ ଅଭିଯୋଗ ଅନୁସାରେ ଶିକ୍ଷକ ଶ୍ରୀ ବେହେରା ଠିକ୍ ସମୟରେ ବିଦ୍ୟାଳୟକୁ ଆସନ୍ତି ନାହିଁ କି ଠିକ୍ରେ ପିଲାଙ୍କୁ ପଢ଼ାନ୍ତି ନାହିଁ। ବହୁ ସମୟ ଶ୍ରେଣୀରେ ଶୋଇପଡ଼ନ୍ତି ଏବଂ ଅକାରଣରେ ପିଲାଙ୍କୁ ପିଟି ପକାନ୍ତି।
ତେଣୁ ଏଠାରୁ ତାଙ୍କୁ ବଦଳି କରିବାକୁ ବାରମ୍ବାର ଦାବି ହୋଇଥିଲା। ୨୦୨୨ ଜାନୁଆରିରେ ତାଙ୍କୁ ଡେପୁଟେସନ୍ରେ ପାଳସାହି ଶାସ୍ତ୍ରୀଜୀ ନୋଡାଲ୍ ବିଦ୍ୟାଳୟକୁ ପଠାଯାଇଥିଲା ଏବଂ ତାଙ୍କ ସ୍ଥାନରେ ଦେଉଳିଧରପୁର ବିଦ୍ୟାଳୟର ଶିକ୍ଷକ ତାପସ ସିଂହଙ୍କୁ ଅଣାଯାଇଥିଲା। ଏବେ କର୍ତ୍ତୃପକ୍ଷ ପୁଣି ତାଙ୍କୁ ଦନାପଡ଼ା ବିଦ୍ୟାଳୟକୁ ଫେରାଇଛନ୍ତି। ଅଭିଭାବକମାନଙ୍କ କହିବା କଥା ଶିକ୍ଷକ ଶ୍ରୀ ବେହେରାଙ୍କୁ ଏହି ବିଦ୍ୟାଳୟରେ ପୂରାଇ ଦିଆଯିବ ନାହିଁ। ତାଙ୍କୁ ଏଠାରୁ ବଦଳି କରାଯାଉ। କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ଦାବି ନ ଶୁଣିଲେ, ସେମାନେ ଧାରଣାରେ ବସି ଶିକ୍ଷକ ଶ୍ରୀ ବେହେରାଙ୍କୁ ବିଦ୍ୟାଳୟରେ ପଢ଼ାଇବାକୁ ଦେବେ ନାହିଁ। ବାଲିପାଟଣା ବିଇଓ ପ୍ରଜ୍ଞା ପରିମିତା ଜେନା ଏହି ମାମଲାର ତଦନ୍ତ କରିବା ପରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।