ମୋ ଶେଷ ଗୀତ ଗାଇବି… : ଓଲିଉଡ୍‌ରେ ବି ଛାପ ଛାଡ଼ିଯାଇଛନ୍ତି ବାଲ୍‌ସୁବ୍ରମଣ୍ୟମ୍‌

ଭୁବନେଶ୍ୱର : ୧୬ଟି ଭାରତୀୟ ଭାଷାରେ ପ୍ରାୟ ୪୦ ହଜାର ଗୀତ ଗାଇ ବିଶ୍ବ ରେକର୍ଡ କରିଥିବା ବହୁଭାଷୀ ସୁର ସମ୍ରାଟ ବାଲ୍‌ସୁବ୍ରମଣ୍ୟମ୍‌ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଛାପ ଛାଡ଼ି ଯାଇଛନ୍ତି। ୧୯୮୫ ମସିହାର ଚଳଚ୍ଚିତ୍ର ‘ସତ କେବେ ଲୁଚି ରହେନା’ର ସମସ୍ତ ୬ଟି ଗୀତରେ କଣ୍ଠଦାନ କରିଥିଲେ ଏହି ସୁର ସମ୍ରାଟ। ଚଳଚ୍ଚିତ୍ରଟି ବିଜେନ୍ଦ୍ର କୁମାର ମହାନ୍ତିଙ୍କ ପ୍ରଯୋ‌ଜନାରେ ପ୍ରସ୍ତୁତ ହୋଇଥିବା ବେଳେ ରମେଶ ମହାନ୍ତି ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ। ଏହା ତାମିଲ ଚଳଚ୍ଚିତ୍ର ‘ଉଦୟ ଗୀତମ୍‌’ର ଓଡ଼ିଆ ରିମେକ୍‌ ଥିଲା। ଉଦୟ ଗୀତମ୍‌ ଚଳଚ୍ଚିତ୍ରର ୭ଟି ଯାକ ସଙ୍ଗୀତ ବାଲ୍‌ସୁବ୍ରମଣ୍ୟମ ଗାଇଥିବା ‌ବେଳେ ଏହାର ଗୀତିକାର ଥିଲେ ଇଲିୟାରାଜା। ଏହାର ଯେତେବେଳେ ଓଡ଼ିଆ ରିମେକ୍‌ ନିର୍ମାଣ ହେବାର ନିଷ୍ପତ୍ତି ହୋଇଥିଲା ସେତେବେଳେ ଇଲିୟାରାଜା ଏଥିରେ କଣ୍ଠଦାନ ପା‌ଇଁ ବାଲ୍‌ସୁବ୍ରମଣ୍ୟମଙ୍କୁ ହିଁ ରାଜି କରାଇଥିଲେ। ତାମିଲ ରିମେକ୍‌ ହୋଇଥିବାରୁ ଉକ୍ତ ତାମିଲ ଟ୍ରାକ୍‌ରେ ହିଁ ଓଡ଼ିଆ ଗୀତଗୁଡ଼ିକ ରେକର୍ଡିଂ ‌ହୋଇଥିଲା। ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବସନ୍ତ ଦାସ। ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି, ଅପରାଜିତା, ବିଜୟ ମହାନ୍ତି, ତନ୍ଦ୍ରା ରାୟ ଓ ଜୟୀରାମ ସାମଲ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଉକ୍ତ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି ନିଜ ନାୟିକା ପାଇଁ ଗାଉଥିବା ସଙ୍ଗୀତ ‘ମୋ ଶେଷ ଗୀତ ଗାଇବି ମନ ତୁମ ଛୁଇଁବି…କୁ ବାଲ୍‌ସୁବ୍ରମଣ୍ୟମ ଗାଇଥିଲେ ବୋଲି ଉତ୍ତମ ମହାନ୍ତି କହିଛନ୍ତି।

ଚଳଚ୍ଚିତ୍ରର ନିର୍ଦ୍ଦେଶକ ରମେଶ ମହାନ୍ତି କହିଛନ୍ତି, ଚଳଚ୍ଚିତ୍ରଟିର ଓଡ଼ିଆ ରିମେକ୍‌ର ଅନୁମତି ପାଇଁ ପ୍ରଯୋଜକ ବିଜେନ୍ଦ୍ର କୁମାର ମହାନ୍ତି ଓ ମୁଁ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜାଙ୍କ ପାଖରେ ଯାଇ ପହଞ୍ଚିଥିଲୁ। ସେ ଆମକୁ ସଙ୍ଗୀତର ଟ୍ରାକ୍‌ ପାଇଁ ଅନୁମତି ଦେବା ସହ ବାଲ୍‌ସୁବ୍ରମଣ୍ୟମ୍‌ଙ୍କୁ ଗାଇବାକୁ ଅନୁରୋଧ କରିଥିଲେ। ଉଭୟ ବାଲ୍‌ସୁବ୍ରମଣ୍ୟମ୍‌ ଓ ଏସ୍‌ ଜାନକୀ ମିଶି ତିନି ତିନିଟି କରି ୨ ଦିନରେ ଚଳଚ୍ଚିତ୍ରର ୬ଟି ଯାକ ଗୀତ ରେକର୍ଡିଂ ସାରିଥିଲେ। ତାଙ୍କର କର୍ମ ନିଷ୍ଠା ଓ ଅନ୍ୟକୁ ସମ୍ମାନ ଦେବାର ନିଆରାଶୈଳୀ ମତେ ବହୁତ ଭଲ ଲାଗିଥିଲା। ସେଠାରେ ବାଲ୍‌ସୁବ୍ରମଣ୍ୟମ୍‌ଙ୍କ ସହ ଆମର ଭଲ ପରିଚୟ ହୋଇଯାଇଥିଲା। ଏହାର ୬ ମାସ ପରେ ଯେତେବେଳେ ଚେନ୍ନାଇରେ ତାଙ୍କ ସହ ମୋର ଅକସ୍ମାତ୍‌ ଦେଖା ହୋଇଥିଲା, ଆରେ ରମେଶ୍‌ ଜୀ… କହି ସେ ମୋତେ ଆଲିଙ୍ଗନ କରିଥିଲେ। ଏତେ ବଡ଼ ସଙ୍ଗୀତଜ୍ଞଙ୍କ ଏଭଳି ସରଳତା ନିହାତି ହୃଦୟସ୍ପର୍ଶୀ ଥିଲା। ପରେ ସେ ଓଡ଼ିଆ ଚଳଚ୍ଚିତ୍ରରେ ଆହୁରି ଗୀତ ଗାଇବାକୁ ଚାହୁଁଥିବା ମତେ କହିଥିଲେ।

ସମ୍ବନ୍ଧିତ ଖବର