ଅବହେଳିତ ଅବସ୍ଥାରେ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠ

ବାଲିପାଟଣା: ସ୍ଥାନୀୟ ପମ୍ପାଲୋ ପଞ୍ଚାୟତସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଅଣଅନୁଦାନପ୍ରାପ୍ତ ଏହି ଶିକ୍ଷାନୁଷ୍ଠାନ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକମ‌ାନେ ସମସ୍ୟା ଭୋଗୁଛନ୍ତି। ବିଦ୍ୟାଳୟରେ ପିଲାଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ନାହିଁ। ସେହିପରି ବିଦ୍ୟାଳୟକୁ ବିଦ୍ୟୁତ୍ ଲାଇନ ସଂଯୋଗ ହୋଇପାରିନାହିଁ। ଦୀର୍ଘ ୩୦ ବର୍ଷ ତଳର ଏହି ବିଦ୍ୟାଳୟ ସରକାରୀ ଅନୁଦାନ ପାଇ ନଥିବାରୁ ଶିକ୍ଷକ ଓ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାନୁସାରେ, ଏହି ବିଦ୍ୟାଳୟ ୧୯୯୩ ମସିହାରେ ଗଢ଼ି ଉଠିଥିଲା। ମାତ୍ର ଏହା ଏବେ ବି ରାଜ୍ୟର ୧୬୭ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରେ ରହିଛି। ସରକାରୀ ଅନୁଦାନ ମିଳୁନାହିଁ। ପିଇବା ପାଣି ପାଇଁ ଥିବା ନଳକୂଅ ଅଚଳ ହୋଇପଡ଼ିଛି। ବିଦ୍ୟାଳୟକୁ ଲାଇନ୍‌ ସଂଯୋଗ ପାଇଁ ଗତବର୍ଷ ନଭେମ୍ବର ୩ ତାରିଖରେ ଟିପିସିଓଡିଏଲ୍‌କୁ ୪୬୫୭ ଟଙ୍କା ପଇଠ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ବିଦ୍ୟାଳୟ ପରିଚାଳନା କମିଟି ବାଲିପାଟଣା ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ ଓ ବାଳକାଟି କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନିରାଶ ହୋଇଥିବା କହିଛନ୍ତି। ଏବେ ଏଠାରେ ୮ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୮୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୨୦୨୨ ମସିହାରେ ଏହି ସ୍କୁଲରୁ ୩ଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିଲେ। ସେହିପରି ୨୦୨୩ ଶିକ୍ଷାବର୍ଷରେ ୨ ଜଣ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଦ୍ୟାଳୟକୁ ପୁରସ୍କାର ମିଳିଛି। କିନ୍ତୁ ଅନୁଦାନ ମିଳୁନାହିଁ। ଫଳରେ ବିଦ୍ୟାଳୟରେ କାମ କରୁଥିବା ୮ ଶିକ୍ଷକ ଓ ୪ କର୍ମଚାରୀ ଦୀର୍ଘ ବର୍ଷ ହେଲା ଉପଯୁକ୍ତ ପାରିଶ୍ରମିକରୁ ବଞ୍ଚିତ ହେଉଛନ୍ତି। ଏଭଳି ଅବହେଳିତ ଅବସ୍ଥା ଲାଗି ରହିଲେ, ବିଦ୍ୟାଳୟଟି ଆଗାମୀ ଦିନରେ ବନ୍ଦ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସରକାର ତୁରନ୍ତ ଏହି ବିଦ୍ୟାଳୟ ଉପରେ ଶୁଭଦୃଷ୍ଟି ପକାଇବାକୁ ଅଭିଭାବକମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର