ଭୁବନେଶ୍ୱର: ପ୍ରାଚୀନ ସମୟରୁ ବାଉଁଶ ଆମ ବ୍ୟବହାରିକ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ଗ୍ରାମୀଣ ବଜାରରୁ ଆରମ୍ଭ ହୋଇଥିବା ଏହି କୁଟିର ଶିଳ୍ପର ଚାହିଦା ବୃଦ୍ଧି ହେବାରେ ଲାଗିଛି। ସାଧାରଣତଃ ବାଉଁଶ କଥା କହିଲେ ମନକୁ ସଙ୍ଗେ ସଙ୍ଗେ ଝୁଡ଼ି, ପାଛିଆ, ଡାଲା, କୁଲା ଭଳି ଘରକରଣା ସାମଗ୍ରୀ ଆସିଯାଏ। କିନ୍ତୁ ଏବେ ବାଉଁଶରେ ବିଭିନ୍ନ ପ୍ରକାର ଡିଜାଇନ୍ ଅଳଙ୍କାର, ଲ୍ୟାମ୍ପସେଡ୍ ଭଳି ସାମଗ୍ରୀ କାରିଗରଙ୍କ ପାଇଁ ଏକ ଭିନ୍ନ ବିକଳ୍ପ ସୃଷ୍ଟି କରିଛି। ଦିନ ଥିଲା ପ୍ଲାଷ୍ଟିକ୍ରେ ପ୍ରସ୍ତୁତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀର ଚାହିଦା ଅଧିକ ଥିଲା। ହେଲେ ଏହି କିଛି ବର୍ଷ ମଧ୍ୟରେ କିଛି ସଚେତନ ଲୋକ ପୁଣି ପାରମ୍ପରିକ ସାମଗ୍ରୀକୁ ଫେରିବାର ଲକ୍ଷ୍ୟ କରାଯାଉଛି। ଘର ସମେତ ବହୁ ବଡ଼ ବଡ଼ ରେସ୍ତୋଁରା, ହୋଟେଲ, କାର୍ଯ୍ୟାଳୟକୁ ଏକ ପ୍ରାକୃତିକ ଲୁକ୍ ଦେବା ପାଇଁ ବାଉଁଶରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହାର କରାଯାଉଛି। ଏଗୁଡ଼ିକ ହାଲୁକା, ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ହୋଇଥିବାରୁ ଏହାର କ୍ରେଜ୍ ବଢ଼ିବାରେ ଲାଗିଛି। ହେଲେ ପରିଶ୍ରମ ଅନୁସାରେ ପ୍ରାପ୍ୟ ମିଳୁନାହିଁ ବୋଲି ବହୁ ବାଉଁଶ କାରିଗର ଧୀରେ ଧୀରେ ଏହି କୁଳବେଉସାରୁ ମୁହଁ ମୋଡ଼ି ଦେଉଛନ୍ତି ବୋଲି ବ୍ୟବସାୟୀମାନେ କହୁଛନ୍ତି।
ମେନୁ ‘ବାମ୍ୱୋ ଚିକେନ’
ବାଉଁଶରେ ପ୍ରସ୍ତୁତ ଚିକେନ, ମାଛ, ବିରିଆନିର ମଧ୍ୟ କ୍ରେଜ୍ ବଢ଼ିବାରେ ଲାଗିଛି। ରାଜଧାନୀର ବହୁ ତାରକା ହୋଟେଲ ସେମତ ଛୋଟ ଛୋଟ ଆଉଟଲେଟ୍ରେ ମଧ୍ୟ ଏହି ଖାଦ୍ୟ ଉପଲବ୍ଧ ହେଲାଣି। ରାଜମହଲ, ଶିଶୁଭବନ ଛକ ସମେତ ବିଭିନ୍ନ ହାଟରେ ଆକାର ଅନୁସାରେ ଏହା ଉପଲବ୍ଧ ହେଉଛି।
ପାର୍ବଣରେ ‘ବାଉଁଶ ପାତିଆ ଘର’ ଓ ‘ଆଲଟ’
ରାଜମହଲ ଛକର ବ୍ୟବସାୟୀ କେ ଖାଡ଼ିଆ ବେହେରାଙ୍କ କହିବା ଅନୁସାରେ ସେମାନେ ବାଉଁଶରେ ୨୪ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଗଣେଶ ପୂଜା, ସରସ୍ୱତୀ ପୂଜା, ପାର୍ବଣରେ ‘ବାଉଁଶ ପାତିଆ ଘର’ ଓ ‘ଆଲଟ’ର ଚାହିଦା ସବୁବେଳେ ରହିଥାଏ। ପୂଜା ପେଣ୍ଡାଲରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ବାଉଁଶ ପାତିଆ ଘର ଭିତରେ ରହି ପୂଜା ପାଆନ୍ତି। ସେହିପରି ମୂର୍ତ୍ତିର ପଛ ପଟେ ଆକର୍ଷଣୀୟ ଆଲଟ ଲଗାଯାଇଥାଏ। ଏହାବ୍ୟତୀତ ପୂର୍ବରୁ ଭକ୍ତମାନ ପଲିଥିନ୍ ବ୍ୟାଗ୍ରେ ଭୋଗ ନେଉଥିଲେ। ହେଲେ ପଲିଥିନ ବ୍ୟାନ ହେବା ପରେ ବର୍ତ୍ତମାନ ଏହି ଝୁଡ଼ି, ଡାଲା, କୁଲା, ବାଉଁଶିଆର ବେପାର ବଢ଼ୁଛି। ପାର୍ବଣ ଋତୁ ଛଡ଼ା ସେମାନେ ଅନ୍ୟ ଦିନରେ ପାଛିଆ, ବାଉଁଶିଆ, ଡାଲା, ମେଜ ପ୍ରଭୃତି ତିଆରି କରୁଛନ୍ତି। ସେହିପରି ବଡ଼ ପ୍ରଦର୍ଶନୀରେ ବାଉଁଶର ପେନ୍ ଷ୍ଟାଣ୍ଡ, ଗଣେଶ ମୂର୍ତ୍ତି, ଫୁଲ ଷ୍ଟାଣ୍ଡ, ଟ୍ରେ, ଲ୍ୟାମ୍ପ୍ ସମେତ ଅଳଙ୍କାର ବିକ୍ରି କରନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/11/sdsfsxxcc-2025-09-11-01-59-12.jpg)