ଭୁବନେଶ୍ବର: ଭୁବନେଶ୍ବର ଜନପଥ ମେଡିଆନ୍ରୁ ଶେଷରେ ଭଙ୍ଗା ବାଉଁଶବାଡ଼ାକୁ ହଟାଯାଇଛି। ମେଡିଆନ୍ରେ ଗ୍ରିଲ୍ ଲଗାଇବା ଦାୟିତ୍ବ ନେଇଥିବା ଠିକାସଂସ୍ଥା ଏହି ବାଉଁଶବାଡ଼ାକୁ ହଟାଇଛି। ପରେ ପର୍ଯ୍ୟାୟକ୍ରମେ ଏମ୍ଏସ୍ ଗ୍ରିଲ୍ ଜନପଥ ମେଡିଆନ୍ରେ ଲାଗିବ। ଏ ବାବଦରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
ଭୁବନେଶ୍ବର ସ୍ମାର୍ଟ ସହରର ମାନ୍ୟତା ପାଇବା ପରେ ପ୍ରଥମ ପର୍ଯ୍ୟାୟରେ ସରକାର ସହରର ପ୍ରମୁଖ ରାସ୍ତା ଜନପଥକୁ ସ୍ମାର୍ଟ ରୂପ ଦେଇଥିଲେ। ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାଘାଟ, ପାଦଚଲା, ସାଇକେଲ୍ ଟ୍ରାକ୍ ସାଙ୍ଗକୁ ସୌନ୍ଦର୍ଯ୍ୟୀକରଣର ବ୍ୟାପକ ବିକାଶ କରାଯାଇଥିଲା। ପ୍ରାୟ ୧୦୬ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ କରାଯାଇଥିଲା। ସେ ସମୟରେ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ଜନପଥ ମେଡିଆନ୍ର ବିକାଶ କରାଯାଇଥିଲା। ସବୁଜିମା ଭ୍ରମ ସୃଷ୍ଟି ପାଇଁ ବାଉଁଶବାଡ଼ାରେ ସାଜସଜ୍ଜା କରାଯିବା ସହ ଏହାକୁ ସବୁଜ ରଙ୍ଗ ଦିଆଯାଇଥିଲା। କିନ୍ତୁ ବେଶି ଦିନ ଯାଇନଥିଲା ଏହି ବାଉଁଶବାଡ଼ା। ମନୁଷ୍ୟକୃତ ଭାବେ ଓ ପୋକ ଖାଇ ଭାଙ୍ଗିଯିବା ସହ ରାସ୍ତାକୁ ବିପଦପୂର୍ଣ୍ଣ ଅବସ୍ଥାରେ ଭଙ୍ଗାବାଉଁଶ ସବୁ ଝୁଲି ରହିଥିଲା। ଯାହା ଚାଳକଙ୍କ ପାଇଁ ଘାତକ ସାଜିଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଏହି ବିପଦପୂର୍ଣ୍ଣ ବାଉଁଶବାଡ଼ା ସବୁ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ମାଷ୍ଟରକ୍ୟାଣ୍ଟିନ୍ ପାର୍ଶ୍ବରୁ ବାଉଁଶବାଡ଼ା ସବୁ ହଟାଯାଉଛି।
ସୂଚନାଯୋଗ୍ୟ, ଜନପଥର ମେଡିଆନ୍ରୁ ବାଉଁଶବାଡ଼ା ହଟାଇ ଏମ୍ଏସ୍ ଗ୍ରିଲ୍ ଲଗାଇବାକୁ ଯୋଜନା ହୋଇଛି। ଏଥିସହ ଉଦ୍ୟାନ ବିଭାଗ ସହଯୋଗରେ ନାନାଦି ସୌନ୍ଦର୍ଯ୍ୟବୃଦ୍ଧି ଗଛ ଲଗାଇବାକୁ ଯୋଜନା ହୋଇଛି। ଗଛ ଲାଗିବା ପରେ ବନ ନିଗମ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବ। ଏ ବାବଦରେ ସ୍ମାର୍ଟ ସିଟି ପକ୍ଷରୁ ନିକଟରେ ୬୦ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି।