ଭୁବନେଶ୍ବର: ଭୁବନେଶ୍ବରର ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ରାସ୍ତା ହେଉଛି ରସୁଲଗଡ଼-କଳ୍ପନା ରାସ୍ତା। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ିମୋଟର ଏହି ରାସ୍ତାରେ ଯା’ଆସ କରୁଛି। ଏହି ରାସ୍ତାର ଭିଡ଼ ଚାପ କମାଇବା ଓ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ବମିଖାଲ ଓ ଲକ୍ଷ୍ମୀସାଗରଠାରେ ଦୁଇଟି ଓଭର୍‌ବ୍ରିଜ୍‌ ବି କରାଯାଇଛି। ସବୁଠୁ ଅଧିକ ଭିଡ଼ ଚାପ ବମିଖାଲ ବ୍ରିଜ୍‌ ଉପରେ ରହୁଛି। କାରଣ ଏହା ଗୋଟିଏ ପାର୍ଶ୍ବରେ ଆଇଡିବିଆଇ ଛକ ଓ ଅନ୍ୟପାର୍ଶ୍ବରେ ରସୁଲଗଡ଼କୁ ସଂଯୋଗ କରୁଛି। କିନ୍ତୁ ଏହି ଜନଗହଳିପୂର୍ଣ୍ଣ ବ୍ରିଜ୍‌କୁ ମରାମତି ଆଳରେ ମାସ ମାସ ଧରି ଅବରୋଧ କରି ରଖାଯାଇଛି। ଯା’ଆସ ରାସ୍ତାରେ ବାଲି, ଗୋଡ଼ି, ପିଚୁ ତରଳା ମେସିନ୍‌, ପିଚୁ ଡ୍ରମ୍‌ ଆଦି ଗଦାଇ ରଖାଯାଇଛି। କାମରେ ବି ଅହେତୁକ ବିଳମ୍ବ କରାଯାଉଛି।

Advertisment

ଗଦାଇ ରଖିଛନ୍ତି ବାଲି, ଗୋଡ଼ି, ପିଚୁ ତରଳା ମେସିନ୍‌ ଓ ଡ୍ରମ୍‌

ଯାହା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣା ବଢ଼ାଉଛି। ବମିଖାଲ ବ୍ରିଜ୍‌ର ଏବେ ମାଷ୍ଟିକ ପିଚୁ କାମ ଚାଲିଛି। କଂକ୍ରିଟ୍‌ ଉପରେ ମାଷ୍ଟିକ୍‌ ପିଚୁ ପକାଯାଉଛି। ମାଷ୍ଟିକ୍‌ ପିଚୁର କାମ ଦୀର୍ଘସ୍ଥାୟୀ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍‌। ଗାଡ଼ିର ବେଗ ବି କମାଇବାରେ ଏହା କାମ ଦେଇଥାଏ।  ଏହି କାମ ବି ସହଜ ଓ ଶୀଘ୍ର ସରେ। ବମିଖାଲର ଏହି କଂକ୍ରିଟ୍‌ ବ୍ରିଜ୍‌ରେ ଗାଡ଼ିମୋଟର ଯିବାରେ ଅସୁବିଧା ହେଉଥିବାରୁ ଏହାକୁ ମାଷ୍ଟିକ୍‌ କରାଯାଉଛି। କିନ୍ତୁ ବମିଖାଲ ବ୍ରିଜ୍‌ର ଏହି କାମ ମାସାଧିକ ହେବ ଚାଲିଛି। ଯନ୍ତ୍ରୀ ଓ ଠିକାଦାର ଏହି କାମରେ ସେତେଟା ମନଧ୍ୟାନ ଦେଉନଥିବାରୁ ଏହା ଅଧପନ୍ତରିଆ ହୋଇ ପଡ଼ିରହିଛି। କାମ କରିବା ଆଳରେ ମାସ ମାସ ଧରି ଏହି ବ୍ରିଜ୍‌ ଉପରେ ବାଲି, ଗୋଡ଼ି, ପିଚୁ ଡ୍ରମ୍‌, ପିଚୁ ତରଳା ଯନ୍ତ୍ରାଂଶ ସବୁ ଗଦାଇ ରଖାଯାଇଛି। ଏଣୁ ଚାଳକମାନେ ବ୍ରିଜ୍‌ର ସଂକୁଚିତ ରାସ୍ତାରେ ଯିବା ବେଳେ ବାଲି, ଗୋଡ଼ିରେ ଖସି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ବିଶେଷ କରି ଯେଉଁମାନେ ରସୁଲଗଡ଼ ପାର୍ଶ୍ବକୁ ଯାଉଛନ୍ତି ଓ ବମିଖାଲ ପାର୍ଶ୍ବରୁ ଇଡ୍‌କୋ ଛକ ଆଡ଼କୁ ଯାଉଛନ୍ତି, ସେମାନେ ଅଧିକ ଦୁର୍ଘଟଣାର ଶିକାର ହେଉଛନ୍ତି।

ବମିଖାଲ ବ୍ରିଜ୍‌ର ବିଶେଷତ୍ବ ହେଉଛି, ଏହା ଭୁବନେଶ୍ବରର ଏକମାତ୍ର ବ୍ରିଜ ଯେଉଁଥିରେ ଦୁଇପାର୍ଶ୍ବକୁ ରାସ୍ତା ରହିଛି। କିନ୍ତୁ ବ୍ରିଜ୍‌ର ଯେଉଁ ଜାଗାରେ ବୁଲାଣି ରହିଛି, ସେଠି ଏକ କଂକ୍ରିଟ୍‌ ଖଣ୍ଡ ରଖାଯାଇ ଟ୍ରାଫିକ ନିୟନ୍ତ୍ରଣ କରାଯାଉଛି।  ଏହି ବ୍ରିଜର କାମ ଶେଷ କରି ଚାଳକଙ୍କ ଯାତାୟାତ ସୁଗମ କରିବାକୁ ସହରବାସୀ ଦାବି କରିଛନ୍ତି। ଯେଉଁ ବାଲି, ଗୋଡ଼ି ଆଦି ଗଦା ରଖାଯାଇଛି, ଖାଲି କରିବାକୁ ଦାବି ହୋଇଛି।