ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ବିଜେପି କ୍ଷୋଭ ପ୍ରକାଶ କରିଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ସବିଆଇ ତଦନ୍ତ ପାଇଁ ବିଜେପି ଦାବି କରିଛି। ଅନ୍ୟପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପାଇଁ କେବଳ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ଶର୍ମା କହିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ବୃହତ ଓ କ୍ଷୁଦ୍ର ସମସ୍ତ ସରକାରୀ ନିର୍ମାଣ କାଯ୍ୟର୍ରେ ଶାସକ ଦଳର ନେତାମାନେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି। ପିସି ଏବଂ ନିର୍ମାଣ ପାଇଁ ଅନୁମୋଦିତ ହୋଇଥିବା ଅନୁଦାନରୁ ବ୍ୟାପକ ମାତ୍ରାରେ ଅର୍ଥ ବାଟମାରଣା ହେଉଛି। ଫଳରେ ନିର୍ମାଣ କାଯ୍ୟର୍ ବହୁ ନିମ୍ନମାନର ହେଉଛି।
କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର :ବମିଖାଲ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ଅଜୟ ଭୁମିଜ୍ଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ସହିତ କଳାତାଲିକାଭୁକ୍ତ ଠିକା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମୃତକଙ୍କ ପରିବାରକୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଗୁରୁତର ଆହତ ଶ୍ରମିକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମାଗଣାରେ କରାଯିବା ସହିତ ଦୁଇଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।