ଏଇ ସପ୍ତାହରେ ‌ଖୋଲିବ ବମିଖାଲ ଫ୍ଲାଏ ଓଭର

ଭୁବନେଶ୍ବର : ଶେଷ ପର୍ଯ୍ୟାୟରେ ବମିଖାଲ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ। ଚଳିତ ସପ୍ତାହ‌େର ଏହାକୁ ଉଦ୍‌ଘାଟନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଫ୍ଲାଏ ଓଭରରେ ରଙ୍ଗ ଦିଆ ସରିଥିବାବେଳେ ଷ୍ଟ୍ରିଟ୍ ଲାଇଟ୍ ବି ଲାଗିଗଲାଣି। କେବଳ ସହିଦନଗର ପାର୍ଶ୍ବରେ ଫ୍ଲାଏ ଓଭର ତଳେ କିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବଂ ଏକାମ୍ର ଟକିଜ୍ ପାର୍ଶ୍ବରେ ସର୍ଭିସ୍ ରୋଡ୍ ପିଚୁ କାର୍ଯ୍ୟ ବାକି ଅଛି। ଆଉ ଦୁଇ ତିନି ଦିନର କାମ ବାକି ଥିବାରୁ ଏହି ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର କେବେ ଖୋଲିବ, ତାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

ସହିଦନଗର ଲେଭେଲ୍ କ୍ରସିଂ ଉଚ୍ଛେଦ ପାଇଁ ଏହି ଫ୍ଲାଏ ଓଭର ନିର୍ମାଣ ହୋଇଥିବାବେଳେ ରସୁଲଗଡ଼-ସହିଦନଗର ଓ ବମିଖାଲକୁ ଏହା ସଂଯୋଗ କରିବ। ୨୦୧୨-୧୩ରେ ଫ୍ଲାଏ ଓଭର୍ କାମ ଆରମ୍ଭ ହୋଇଥିଲା। ମାତ୍ର ୨୦୧୫ ବେଳକୁ ଓଭରବ୍ରିଜ୍ ଡିଜାଇନ୍ ପରିବର୍ତ୍ତନ ହେଲା। ଓଭରବ୍ରିଜ୍‌ ବମିଖାଲ ପାର୍ଶ୍ବକୁ ବଢ଼ିଲା। ଏହାର କାମ ୨୦୧୬ରେ ଆରମ୍ଭ ହେଲା। ପଣ୍ଡା ଇନ୍‌ଫ୍ରା ଏହାର ନିର୍ମାଣ ଦାୟିତ୍ବ ନେଇଥିଲା। ତେବେ ଦୁଇଟି ଦୁର୍ଘଟଣା ପରେ ଗତବର୍ଷ ମେ’ ମାସରେ ସଂପୃକ୍ତ ସଂସ୍ଥାକୁ ପ୍ରକଳ୍ପରୁ ହଟାଇ ଦିଆଗଲା। ଜୁଲାଇରେ ବିଭିନ୍ନ ସଂସ୍ଥା ମାଧ୍ୟମରେ ଏହାର ବାକି କାମ ଆରମ୍ଭ ହୋଇଥିଲା। ଏବେ କାମ ଚୂଡ଼ାନ୍ତ ପର୍ଯ୍ୟା‌ୟ‌େର ପହଞ୍ଚିଥିବାରୁ ଚଳିତ ସପ୍ତାହରେ ଏହାକୁ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ବର୍ତ୍ତମାନ ଖୋଲିବାକୁ ଯାଉଥିବା ଏହି ଫ୍ଲାଏ ଓଭର୍ ୱାନ୍‌-ୱେ ହିଁ ରହିବ। ଏହା ଫଳରେ ସହିଦନଗର(ମହର୍ଷି କଲେଜ ରାସ୍ତା)ରୁ ରସୁଲଗଡ଼ ଯିବାକୁ ଚାହୁଁଥିବା ଏବଂ ଲକ୍ଷ୍ମୀସାଗର ପଟୁ ସହିଦ ନଗରକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ହିଁ ଫ୍ଲାଏ ଓଭର୍ ଉପରେ ଯାତାୟାତ କରିପାରିବେ। କଳ୍ପନାରୁ ରସୁଲଗଡ଼ ଆସିବା ପାଇଁ ଯାତ୍ରୀ ଫ୍ଲାଏ ଓଭର ଉପରେ ଯାଇପାରିବେନି। ପୂର୍ବରୁ ଥିବା ସେହି କଟକ ରୋଡ୍‌ ରାସ୍ତାରେ ଅର୍ଥାତ୍ ଫ୍ଲାଏ ଓଭର ତଳ ରାସ୍ତାରେ ହିଁ କଳ୍ପନାରୁ ରସୁଲଗଡ଼, ରସୁଲଗଡ଼ରୁ କଳ୍ପନା ଅଭିମୁଖେ ଯିବେ।

ରସୁଲଗଡ଼ରୁ ଫ୍ଲାଏ ଓଭର୍ ଉପର ଦେଇ ସହିଦନଗର ଯିବାକୁ ଚାହୁଁଥିବା ଯାତ୍ରୀମାନେ ସିଧାସଳଖ ଏସ୍‌ପ୍ଲାନେଡ୍‌ ୱାନ୍ ସାମ୍ନାରେ ଫ୍ଲାଏ ଓଭର୍‌କୁ ଚଢ଼ିପାରିବେ ନାହିଁ। ସେମାନଙ୍କୁ ଏକାମ୍ର ଟକିଜ୍ ପାଖକୁ ଆସି ରୋଡ୍‌ ମେଡିଆନ୍‌ରେ ୟୁ ଟର୍ଣ୍ଣ ନେଇ ଫ୍ଲାଏ ଓଭର୍ ଉପର ଦେଇ ସହିଦ ନଗର ଯିବାକୁ ପଡ଼ିବ। ଏନେଇ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ସାଇନେଜ୍ ଲାଗିଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯଦି କଟକରୋଡ୍‌ରେ କୌଣସି ପ୍ରକାରର ଭିଡ଼ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହି ଫ୍ଲାଏ ଓଭର କାମରେ ଆସିବନି ବୋଲି କୁହାଯାଉଛି। ଫ୍ଲାଏ ଓଭରରେ ଝାରପଡ଼ା ଓଭରବ୍ରିଜ୍ ପରି ଦୁଇଟିକିଆ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଏହାକୁ ୱାନ୍‌ ୱେ ଭଳି କାହିଁକି ବ୍ୟବହାର କରାଯାଉଛି ସେନେଇ ରାଜଧାନୀବାସୀ ପ୍ରଶ୍ନ ଉଠାଇଲେଣି। ଭିଏସ୍ଏସ୍ ନଗରକୁ ସଂଯୋଗ କରୁଥିବା ଫ୍ଲାଏ ଓଭର ଯେପରି ନିର୍ମାଣ କରାଯାଇଛି ସେପରି ହୋଇଥିଲେ ରସୁଲଗଡ଼ରୁ କଳ୍ପନା ଆସୁଥିବା, ସହିଦନଗରରୁ ଲକ୍ଷ୍ମୀସାଗର ପାର୍ଶ୍ବକୁ ଆସିବାକୁ ଥିବା ଲୋକ ବି ଫ୍ଲାଏ ଓଭର ବ୍ୟବହାର କରିପାରିଥାନ୍ତେ। କିନ୍ତୁ ପୂର୍ତ୍ତ ବିଭାଗ ଏହାକୁ ୱାନ୍‌ ୱେ କରିଥିବାରୁ ଏହା ଲୋକଙ୍କ ସମସ୍ୟା ଆଶାନୁରୂପ ସମାଧାନ କରିପାରିବନି ବୋଲି କୁହାଯାଉଛି।

ପୂର୍ତ୍ତ ବିଭାଗର ଡିଭିଜନ୍-୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ କହିଛନ୍ତି ଯେ, ଫ୍ଲାଏ ଓଭର୍ ଉପରେ ୱାନ୍ ୱେ ହେବା ଦ୍ବାରା ନିଶ୍ଚିତ ଭାବେ ଟ୍ରାଫିକ୍ ଜାମ୍ କମିଯିବ। ତଳ ରାସ୍ତାରେ ବି ଆଉ ଜାମ୍ ହେବାର ସମ୍ଭାବନା ରହିବନି। ଯେହେତୁ କାମ େଶଷ ହୋଇଗଲାଣି, ତେଣୁ ଦିନେ ଦୁଇ ଦିନ ଭିତରେ ଉଦ୍‌ଘାଟନର ତାରିଖ ସ୍ଥିର ହେବ।

ସମ୍ବନ୍ଧିତ ଖବର